ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ବର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ। ମାର୍ଚ୍ଚ ୫ ତାରିଖ ସଂଧ୍ୟା ୬ଟା ୪୫ ମିନିଟ୍ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଇଣ୍ଡିଗୋ ବିମାନ ଦୁବାଇ ଯାତ୍ରା ଆରମ୍ଭ କରିବା ସହିତ ୯ଟା ୪୫ ମିନିଟ୍ରେ ଦୁବାଇରେ ପହଞ୍ଚିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନ୍ତର୍ଜାତୀୟ ବିମାନ ସେବାର ଶୁଭାରମ୍ଭ କରିବେ।
ବିମାନ ଚଳାଚଳ କମ୍ପାନି ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ବରରୁ ପ୍ରଥମ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ଦୁବାଇ-ଭୁବନେଶ୍ବର ବିମାନ ସେହିଦିନ ଦୁବାଇ ବିମାନବନ୍ଦରରୁ ବାହାରି ସଂଧ୍ୟା ୫ଟା ୫ ମିନିଟ୍ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ। ଏହି ବିମାନରେ ଏକକାଳୀନ ୧୬୮ଜଣ ଯାତ୍ରୀ ଯିବାର ସୁବିଧା ରହିଛି। ଗତବର୍ଷ ଡିସେମ୍ବର ମାସରେ ରାଜ୍ୟ କ୍ୟାବିନେଟ୍ରେ ଭୁବନେଶ୍ବରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ୍କୁ ସିଧାସଳଖ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଥିଲା। ବିମାନ ଚଳାଚଳ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଯାହା ଟିକେଟ୍ ବିକ୍ରି ହେବ ଏହି ଅର୍ଥ ରାଜ୍ୟ ସରକାରଙ୍କୁ ମିଳିବ ବୋଲି ଜଣାପଡ଼ିଛି।
/sambad/media/post_attachments/wp-content/uploads/2021/07/dakota-1-300x114.jpg)
ଏହାସହ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବିମାନ ବନ୍ଦର ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।