ଭୁବନେଶ୍ୱର : ପଛକୁ ପଛ ଆସୁଛି ଲଘୁଚାପ। ୧୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ୧୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ଦୁଇ ଦିନ ପରେ ଅର୍ଥାତ ଅଗଷ୍ଟ ୧୭ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ୧୮ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ନେଇ ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଉକ୍ତ ଦୁଇ ଲଘୁଚାପ ପ୍ରଭାବରେ ମହାନଦୀର ଉପରମୁଣ୍ଡ ସମେତ ଛତିଶଗଡ଼ରେ ଲଗାଣ ବର୍ଷା ହେବାକୁ ଥିବାରୁ ମହାନଦୀ ଓ ଏହାର ଶାଖା ନଦୀରେ ମଧ୍ୟମଧରଣର ବନ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଋଷିକୂଲ୍ୟା, ବୈତରଣୀ ମଧ୍ୟ ଫୁଲିପାରେ।

Advertisment

ଆଗକୁ ଭୀଷଣ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ପରେ ଗୁରୁବାର ଦିନ ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍‌ ଖୋଲାଯାଇଛି। ପୂର୍ବାହ୍ନରେ ୫ଟି ଗେଟ୍‌ ଖୋଲାଯାଇଥିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ଡ୍ୟାମ୍‌କୁ ଅଧିକ ଜଳ ପ୍ରବେଶ କରିବାରୁ ଅପରାହ୍ନରେ ଆଉ ୫ଟି ଗେଟ୍‌ ଖୋଲାଯାଇଛି। ରାତି ୯ଟା ସୁଦ୍ଧା ଖବର ଅନୁଯାୟୀ ହୀରାକୁଦକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୫ହଜାର ୨୩୪ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି ଏବଂ ୧୦ଟି ଗେଟ୍‌ ମାଧ୍ୟମରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୮୦ହଜାର ୬୬୯ କ୍ୟୁସେକ୍‌ ବନ୍ୟାଜଳ ମହାନଦୀକୁ ଛଡ଼ାଯାଉଛି। ଏହି ସମୟ ବେଳକୁ ହୀରାକୁଦରେ ଜଳସ୍ତର ୬୧୩.୭୯ ଫୁଟ ରହିଛି ଓ ଜଳପତ୍ତନ ବଢ଼ୁଛି। ସମ୍ଭାବ୍ୟା ବର୍ଷା ଓ ବନ୍ୟାକୁ ନଜରରେ ମହାନଦୀର ତଳିଆ ଅଞ୍ଚଳରେ ଥିବା ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି।

publive-image kalingatv.com

ସେପଟେ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ୧୩ ତାରିଖଠାରୁ ୧୫ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ୨୨ ଜିଲ୍ଲା ପାଇଁ ଅରେଞ୍ଜ ଓ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅରେଞ୍ଜ ଆଲର୍ଟ ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ଜଳବନ୍ଦୀ ସମସ୍ୟା ଓ ଭୂସ୍ଖଳନ ପ୍ରତି ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୧୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ବଳୟ ପରବର୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପର ରୂପ ନେବ ଓ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ। ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହେବ। ୧୩ ଓ ୧୪ ତାରିଖରେ ଉପକୂଳ ଏବଂ ୧୪ ଓ ୧୫ ତାରିଖରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ।

publive-image NDTV.com

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ୧୩ ତାରିଖରେ ଏ ମାସର ଦ୍ବିତୀୟ ଓ ୧୭ ତାରିଖ ବେଳକୁ ତୃତୀୟ ଲଘୁଚାପ ପ୍ରଭାବରେ ଭୀଷଣ ବର୍ଷିବ। ଉପକୂଳରେ ଅଗଷ୍ଟ ୧୨ରୁ ୧୪, ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅଭ୍ୟନ୍ତରୀଣ ଦକ୍ଷିଣ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୧୩ରୁ ୧୫ ଏବଂ ୧୮ରୁ ୨୦ ତାରିଖରେ ବର୍ଷା ଜାରି ରହିବ। ସୀମାନ୍ତବର୍ତୀ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ୧୨ରୁ ୧୫ ଏବଂ ୧୭ରୁ ୧୮ ରେ ବର୍ଷା ସହ ୧୭ରେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଫଳରେ ମହାନଦୀ ସହ ଏହାର ସମସ୍ତ ଉପନଦୀ ଓ ଶାଖା ନଦୀ, ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀ ଓ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇବ। ପ୍ରବଳ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବାକୁ ଥିବାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଧାନ ରୁଆ ସ୍ଥଗିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।