ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଗେଟ୍ ଖୋଲାଯିବା ପୂର୍ବରୁ ପାରମ୍ପରିକ ରୀତିନୀତିରେ ସକାଳ ୭ଟାରୁ ପୂଜାର୍ଚ୍ଚନା ହୋଇଥିଲା। ରବିବାର ସକାଳ ସାଢ଼େ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁଯାୟୀ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଥମେ ବାମ ପାର୍ଶ୍ବର ୭ ନମ୍ବର ଗେଟ୍ ଖୋଲାଯାଇଥିଲା। ତାପରେ ତାକୁ ମିଶାଇ ବାମ ପାର୍ଶ୍ବର ୫ଟି ଓ ଡାହାଣ ପାର୍ଶ୍ବର ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ତାପରେ ବାମ ପାର୍ଶ୍ବର ୯ଟି ଓ ଡାହାଣ ପାର୍ଶ୍ବର ୪ଟି ଗେଟ୍ ଖୋଲାଯାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା ସୂଚନା ଦେଇଛନ୍ତି। ମୁଖ୍ୟଯନ୍ତ୍ରୀଙ୍କ ସହ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ୍ ଆଇଜି ହିମାଂଶୁ ଲାଲ୍, ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରଵାଲ ଓ ଏସ୍ପି ମୁକେଶ ଭାମୁ ଉପସ୍ଥିତ ରହି ଗେଟ୍ ଖୋଲିଥିଲେ।
ମୁଖ୍ୟଯନ୍ତ୍ରୀ ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ, ୨ ଦିନ ବର୍ଷା ନାହିଁ, ଆଗକୁ ବର୍ଷା ଅଛି। ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳର ପରିମାଣ ବୃଦ୍ଧି ପାଇଥିବାରୁ ପରବର୍ତ୍ତୀ ସ୍ଥିତିକୁ ନଜରରେ ରଖାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ୨ ଦିନ ଯାଏ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେବ। ତାପରେ ଗେଟ୍ ଅଧିକ ଖୋଲାଯିବ କି ବି ବନ୍ଦ କରାଯିବ ତାହା ବର୍ଷା ଉପରେ ନିର୍ଭର କରେ ବୋଲି ଶ୍ରୀ ବେହେରା କହିଛନ୍ତି। ଜଳଭଣ୍ଡାରରେ ଜଳସ୍ତରକୁ ୬୦୯ ଫୁଟ ରଖାଯିବ ବୋଲି ସେ କହିଛନ୍ତି। ରବିବାର ସନ୍ଧ୍ୟାର ରିପୋର୍ଟ ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରକୁ ୩ ଲକ୍ଷ ୭ ହଜାର ୭ ଶହ ୧୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳସ୍ତର ୬୧୭.୬୯ ଫୁଟ୍ ରହିଛି। ଅନ୍ୟପଟେ ଜଳଭଣ୍ଡାରରୁ ୩ ଲକ୍ଷ ୪୫ ହଜାର ୮ ଶହ ୪୫ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ୨୦ଟି ଗେଟ୍ ଦେଇ ୩ ଲକ୍ଷ ୯ ହଜାର ୭ ଶହ ୬୦ କ୍ୟୁସେକ୍ ଏବଂ ପାୱାର ଚାନେଲ ଦେଇ ୩୨,୬୭୨ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ଜଳସେଚନ ପାଇଁ ୩୧୩୮ କ୍ୟୁସେକ୍ ଜଳ କେନାଲଗୁଡ଼ିକରେ ଛଡ଼ାଯାଉଥିବା ବେଳେ ୨୭୫ କ୍ୟୁସେକ୍ ଜଳ ଶିଳ୍ପାନୁଷ୍ଠାନଗୁଡ଼ିକୁ ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/dgdgdgd.jpg)