ଫୁଲରେ ସଜେଇ ହେଇଛି ମା’ ତାରିଣୀପୀଠ

ଘଟଗାଁ :  ଫୁଲରେ ସଜେଇ ହେଇଛି ମା’ ତାରିଣୀପୀଠ। ଆଜି ମା’ଙ୍କ ଚଇତିପର୍ବର ଷଷ୍ଠ ଦିନରେ ମା’ଙ୍କ ବେଢ଼ାଠାରୁ ଆରମ୍ବ କରି ମନ୍ଦିର ପରିସର ଫୁଲରେ ସଜେଇ ହୋଇଥିବାରୁ ଏହା ଆକର୍ଷଣୀୟ ହୋଇଥିଲା। ମହାବିଷୁବ ସଂକ୍ରାନ୍ତିରେ ଅବସରରେ ମା’ଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସେଥିପାଇଁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ମା’ଙ୍କ ପହଡ଼ ପଡ଼ି ନାହିଁ। ସେପଟେ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ଝାଙ୍କିକୁ ସେଲଫି ପଏଣ୍ଟରେ ପରିଣତ କରିଦେଇଥିଲେ। ଫଟୋ ନେବାକୁ ସେଠାରେ ପ୍ରବଳ ଭଡ଼ ଲାଗି ରହିଥିଲା। ତେବେ ମା’ଙ୍କ ପୂଜାର୍ଚ୍ଚନା ପାଇଁ ଆଜି ୫୦ରୁ ଅଧିକ ପୂଜକ ନିୟୋଜିତ ହୋଇଥିଲେ।

ମା ସୁନାବେଶ ଦର୍ଶନ ସହ ପୂଜାର୍ଚ୍ଚନା ପାଇଁ ଗତକାଲି ବିଳମ୍ବିତ ରାତିରୁ ଏଠାରେ ଆସି ଡେରା ପକାଇଥିଲେ ଶ୍ରଦ୍ଧାଳୁମାନେ। ଫଳରେ ଦିନତମାମ ଶ୍ରଦ୍ଧାଳୁ ଭକ୍ତ ଭିଡ ଲାଗି ରହିଥିଲା।  ବଡିଭୋର ୫ ଟାରୁ ରାତି ଆଠଟା ମଧ୍ୟରେ ଦୁଇଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ବରିଷ୍ଠ ମନ୍ଦିର ପୂଜକ ଶ୍ୟାମସୁନ୍ଦର ଦେହୁରୀ, ନଟବର ଦେହୁରୀ, ପ୍ରଦୀପ ଦେହୁରୀ, ଯଯାତୀ , ରାଜକିଶୋର ଦେହୁରୀ, ଦିଲୀପ୍ ଦେହୁରୀ ସମେତ ୫୦ ରୁ ଅଧିକ ପୂଜକ ଆଜି ଭୋର ୪ ଟାରୁ ଆସି ମା’ଙ୍କ ମାଜଣା ଷୋଡଶ ଉପଚାର କରି ମଙ୍ଗଳ ଆଳତୀ , ବଡସିଂହାର ପୂଜା, ସୁନାବେଶ କରିବାପରେ ସକାଳୁ ୫ ଟା ବେଳେ ମନ୍ଦିର ପହଡ ଖୋଲିଥିଲା। ଖୋଲିବା ମାତ୍ରେ ୮ ଧାଡିରେ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରି ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଆଜି ଟ୍ରଷ୍ଟବୋର୍ଡ ପକ୍ଷରୁ ନିର୍ଦ୍ଧାରିତ ମାତ୍ର ୨ ଟି ଭୋଗ ଲାଇନ ବ୍ୟବସ୍ଥା କରାଯାଇଥିଲା। ଭକ୍ତ  ଦର୍ଶନ ଆସିବା ମାତ୍ରେ ପ୍ରସ୍ଥାନ ବାଟରେ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ସୁସ୍ବାଦୁ ବେଲପଣା ବଂଟନ କରାଯାଇଥିଲା।  ମନ୍ଦିର ପରିଚାଳନା ବୋର୍ଡ ସଦସ୍ୟ ଦୟାନିଧି ମହାନ୍ତଙ୍କ ଦ୍ବାରା ଏହା ପରିଚାଳନା ହୋଇଥିଲା। ଅନତି ଦୂରରେ କେନ୍ଦୁଝର ଯାଦବ ମହାସଭା ଦ୍ବାରା ଅନୁରୂପ ବେଲପଣା ବଂଟନ କରାଯାଇଥିଲା।

କେନ୍ଦୁଝର ସ୍ବେଛାସେବୀଙ୍କ ଦ୍ବାରା ଆଜି ସୂର୍ଯ୍ୟଉଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପୀଠରେ ମହାବିଷୁବ ସଂକ୍ରାନ୍ତି ଅବସରରେ  ଓଡିଶାର  ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ବାରା ଅଖଣ୍ଡ ଭଜନ ପରିବେଷଣ କରାଯାଇଥିଲା। ଏହାକୁ ପ୍ରଭାତ କୁମାର ରାଉତ ସଂଯୋଜନା ସହ ମଂଚ ପରିଚାଳନା କରିଥିଲେ। ପୀଠରେ ଆଜି ପ୍ରତ୍ୟୁଷରୁ ଘଟଗାଁ ବ୍ରାହ୍ମଣ ସମାଜ ତରଫରୁ ଦେବୀସ୍ମୃତି ଓ ଗୀତା ପାଠ କରାଯାଇଥିଲା।  ପରେ ଚଣ୍ତୀପାଠ, ଭାଗବତ ପାରାୟଣ ପାଠ, ସକାଳୁ ସଂଧ୍ୟାଯାଏ କରାଯାଇଥିଲା। ପ୍ରଶ୍ନମଂଚ କାର୍ଯ୍ୟକ୍ରମରେ ଆଜି ବହୁଶ୍ରଦ୍ଧାଳୁ ଭକ୍ତ ଅଂଶଗ୍ରହଣ କରିଥିଲା। ଟ୍ରଷ୍ଟ ତରଫରୁ ୧୦୦ ଜଣଙ୍କୁ ଆଜି ପୁରସ୍କୃତ କରାଯାଇଛି। ଏହାକୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରୋହିତ ବେହେରା,ସମାଜ ସେବୀ ଜଗବନ୍ଧୁ ଶା, ଟ୍ରଷ୍ଟବୋର୍ଡ ମେମ୍ବର ଦୟାନିଧି ମହାନ୍ତ, ମନ୍ଦିର ଏକାଉଣ୍ଟାଣ୍ଟ ଅକ୍ଷୟ କୁମାର ବେହେରା ଉପସ୍ଥିତ ରହି ପରିଚାଳନା କରିଥିଲେ।

ପୀଠରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଦ୍ୟାଳୟ ତରଫରୁ ଆଧ୍ୟାତ୍ମିକ ଚୈତନ୍ୟ ମଣ୍ତପ ସମସ୍ତଙ୍କୁ ଦୃଷ୍ଟିଆକର୍ଷଣ କରିଥିଲା। ସମସ୍ତେ ଯୋଗମାଧ୍ୟମରେ ଏକାଗ୍ରତା ତଥା ଆଧ୍ୟାତ୍ମିକ ଝାଙ୍କିର ମଜା ଉଠାଇଥିଲେ। ପ୍ରାୟ ଶତାଧିକ ଲୋକ ଏହାର ଫଟୋ ଉଠାଇବା ସହ ସେଲ୍ ଫି ନେଉଥିଲେ। ଫଳରେ ଦିନତମାମ ଭକ୍ତ ଚୈତନ୍ୟ ମଣ୍ତପରେ ଭିଡ ଲାଗିରହିଥିଲା। ସଂଧ୍ୟାରେ ପଣ୍ତିତ ଜିତୁ ଦାଶଙ୍କ ଦ୍ବାରା ପ୍ରବଚନ ଦିଆଯାଉଥିଲା। ହଜାର ହଜାର ସଂଖ୍ୟାରେ ଭକ୍ତ ଆଜି ପ୍ରବଚନ ଶୁଣୁଥିଲେ। ରାତିରେ ବାଦୀପାଲା ପରିବେଷଣ କରାଯାଇଥିଲା। ଲକ୍ଷାଧିକ ଭକ୍ତଙ୍କୁ ଶୃଙ୍ଖଳା ଦର୍ଶନ ପାଇଁ ଆଜି ପାର୍କିଂ ସେବାକୁ କଡାକଡିଭାବେ କରାଯାଇଥିଲା। ବିଭିନ୍ନ ପାର୍କିଂ ପଏଣ୍ଟରୁ ଟ୍ରଷ୍ଟ ତରଫରୁ ମାଗଣା ବସ୍ ସେବା ଯୋଗାଇ ଦିଆଯାଇଥିଲା। ପଏଣ୍ଟରୁ ଟ୍ରଷ୍ଟତରଫରୁ ମାଗଣା ବସ୍‌ ସେବା ଯୋଗାଇ ଦିଆଯାଇଥିଲା।

ଜିଲ୍ଲା ବଣିକ ସଂଘ ତଥା ତାରିଣୀ ସମିତି ଦ୍ବାରା ଶ୍ରଦ୍ଧାଳୁ ଭକ୍ତଙ୍କୁ ମାଗଣା ଅନ୍ନଭୋଗ ବଣ୍ଟନ କରାଯାଇଥିବା ବେଳେ ଭକ୍ତ ସଂଖ୍ୟା ଆଶାତୀତ ଭାବେ ବଢିଯିବାରୁ ଟ୍ରଷ୍ଟବୋର୍ଡ ତରଫରୁ ଅନ୍ନପ୍ରସାଦ ପ୍ରସ୍ତୁତ କରାଯାଇ ଅପରାହ୍ଣ ପର୍ଯ୍ୟନ୍ତ ବଣ୍ଟନ କରାଯାଇଥିଲା। ଆଜି ୫୦୦ ରୁ ଅଧିକ ସ୍ବେଚ୍ଛାସେବୀ ସତ୍ୟସାଂ ସେବାସମିତି, ଗାୟତ୍ରୀ ପରିବାର, ଆଦିତ୍ୟ ବାହିନୀ, ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଏନ୍.ଏସ୍‌ ଛାତ୍ରଛାତ୍ରୀ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ତାରିଣୀ ସେବା ସଂଘ, ଗଜାନନ ୟୁଥକ୍ଲବର ପ୍ରଗତୀ ସ୍ବେଛାସେବୀ ସଂଗଠନ ସମେତ ୧୩ ଗୋଟି ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ ୫୦୦ ରୁ ଅଧିକ ସ୍ବେଚ୍ଛାସେବୀ ନିୟୋଜିତ  ଥିଲେ।

କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ,ତହସିଲଦାର ଜନକ ନାୟକ, ବି.ଡି.ଓ ନାରାୟଣ ସାହୁ,ଏ.ବି.ଡ.ଓ ଚିତରଂଜନ ନାୟକ, ୪ ପ୍ଲାଟୁନ ପୋଲିସ., ୩ ଜଣ ଡିଏସ୍‌.ପି, ୮ ଜଣ ଇନସିପେକ୍ଟର ଉପସ୍ଥିତ ରହି ଶାନ୍ତିଶୃଙ୍କଳା ରକ୍ଷାକରିଥିଲେ। ଘଟଗାଁ ଏସ୍‌ ଡିପିଓ ଅସିତ୍ କୁମାର ମହାନ୍ତି, ଥାନା ଅଧିକାରିଣୀ ପ୍ରଭାତି ମଂଜରୀ ସାହୁ ଉପସ୍ଥିତ ରହି ଏହାକୁ ତଦାରଖ କରିଥିଲେ। ମା ତାରିଣୀ ମନ୍ଦିର ପରିଚାଳନା ବୋର୍ଡର ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ସଦସ୍ୟ କ୍ଷୀରୋଦ ପ୍ରସାଦ ଦାସ, ପ୍ରମୋଦ ଦେହୁରୀ, ରୁଦ୍ର ନାରାୟଣ ମହାନ୍ତ, ବଳଭଦ୍ର ନନ୍ଦ, ଆନନ୍ଦ ଚନ୍ଦ୍ର ସିଂହ, ଦୟାନିଧି ମହାନ୍ତ, ନିର୍ମଳ କୁମାର ମହାନ୍ତି, ଦେବୋତର ନିରୀକ୍ଷକ ତ୍ରିଲୋଚନ ନାୟକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ମନ୍ଦିର ଏକାଉଣ୍ଟାଣ୍ଟ ଅକ୍ଷୟ କୁମାର ବେହେରା, ମନ୍ଦିର ସୁପରଭାଇଜର ଅବନୀ ଜେନା, ମନ୍ଦିର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଚଇତି ପର୍ବର ଷଷ୍ଠ ଦିବସକୁ ଶାନ୍ତିଶୃଙ୍କଳାର ସହ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର