ପୁରୀ ମୁଖ୍ୟ କେନାଲରୁ ଉଦ୍ଧାର ଥଣ୍ଟିଆ‌ ଗଲା ନନ୍ଦନକାନନ

ସପ୍ତାହେ ତଳେ ସାତକୋଶିଆ ଗଣ୍ଡରୁ ଖସି ଆସିଥିଲା, ୩ ଘଣ୍ଟା ପିଛା କରି ଧରିଲା ବନବିଭାଗ

ବାଲିଅନ୍ତା: ସାତକୋଶିଆ ଗଣ୍ଡରୁ ମହାନଦୀ ନରାଜ ମୁଣ୍ଡଳୀ ଦେଇ ପୁରୀ ମୁଖ୍ୟ କେନାଲରେ ଘୂରି ବୁଲୁଥିବା କୁମ୍ଭୀରକୁ ଖୋର୍ଧା ବନ ବିଭାଗ ଏବଂ ପ୍ରାଣୀ ଉଦ୍ୟାନ ଟିମ୍‌ ଧରିବାରେ ସଫଳ ହୋଇଛନ୍ତି। ଆଜି ବାଲିପାଟଣା ଫରେଷ୍ଟ ରେଞ୍ଜ ଅଧୀନ ହଂସପାଳସ୍ଥିତ ପୁରୀ ମୁଖ୍ୟ କେନାଲରୁ କୁମ୍ଭୀରକୁ ଉଦ୍ଧାର କରାଯାଇଛି।

ବନ ବିଭାଗ ଏବଂ ପ୍ରାଣୀ ଉଦ୍ୟାନ କର୍ମଚାରୀ କେନାଲରେ ବଡ଼ ଜାଲ ପକାଇ କୁମ୍ଭୀରକୁ ଧରିଥିଲେ। ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ‌୧ଟା ପର୍ଯ୍ୟନ୍ତ, ଦୀର୍ଘ ୩ ଘଣ୍ଟା କାଳ କୁମ୍ଭୀରକୁ ପିଛା କରି ଧରିଥିଲେ। ପାହାଳ ଥାନା ଓ ବାଲିପାଟଣା ଫରେଷ୍ଟ ରେଞ୍ଜ କର୍ମଚାରୀ ମଧ୍ୟ ଏଥିରେ ସହାୟତା କରିଥିଲେ। ଉଦ୍ଧାର ପରେ କୁମ୍ଭୀରକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସଂରକ୍ଷିତ ପୋଖରୀରେ ଛଡ଼ା ଯାଇଥିବା ଜଣାପଡ଼ିଛି।

ସୂଚନାନୁସା‌ରେ, ସାତକୋଶିଆ ଗଣ୍ଡରେ ୪ଟି କୁମ୍ଭୀର ଛଡ଼ା ଯାଇଥିଲା। ସେମାନଙ୍କ ମଧ୍ୟରୁ ଘଡ଼ିଆଳ ପ୍ରଜାତିର ଏହି ଥଣ୍ଟିଆ କୁମ୍ଭୀରଟି ସପ୍ତାହେ ତଳେ ନରାଜ ମୁଣ୍ଡଳୀ ଦେଇ ପୁରୀ ମୁଖ୍ୟ କେନାଲକୁ ଖସି ଆସିଥିଲା। ଖୋର୍ଧା ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ଏବଂ ପ୍ରାଣୀ ଉଦ୍ୟାନ ଟିମ୍‌ କୁମ୍ଭୀରକୁ ଧରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପାହାଳ ଧାନା ଅଧିକାରୀ ଷ୍ଟାଲିନ ବିଶ୍ବାଳଙ୍କ ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ କୁମ୍ଭୀରଟି ନୂଆପାଟଣା, ବଙ୍ଗୁଆରି ଏବଂ ହରିଦାଶପୁର ଅଞ୍ଚଳରେ ଦେଖାଯାଇଥିଲା।

ନଖରାସ୍ଥିତ ବନ ବିଭାଗ କାର୍ଯ୍ୟାଳୟ ଟିମ୍‌ ଜାଲ ଧରି କୁମ୍ଭୀରକୁ ପିଛା କରିଥିଲେ। ଦୀର୍ଘ ସମୟ ଧରି ଗତିବିଧି ନିରୀକ୍ଷଣ କରିଥିଲେ। ହେଲେ ଧରି ପାରିନଥିଲେ। ରାତି ତମାମ ବନ ବିଭାଗ ଟିମ୍‌ ଏବଂ ପୁଲିସ ପାଟ୍ରୋଲିଂ କରି ଲୋକଙ୍କୁ ସତର୍କ କରାଇଥିଲା। ଆଜି ସକାଳେ ପୁରୀ କେନାଲରେ କୁମ୍ଭୀର ବୁଲୁଥିବା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଖବର ପାଇ ଖୋର୍ଧା ଜିଲ୍ଲା ବନ ଖଣ୍ଡ କାର୍ଯ୍ୟାଳୟ ଏବଂ ପ୍ରାଣୀଉଦ୍ୟାନ ଟିମ୍‌ ଦିନ ୧ଟା ସୁଦ୍ଧା ବଡ଼ଜାଲ ସହାୟତାରେ କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର