ଭୁବନେଶ୍ବର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଡିଭିଜନ୍‌ରେ ଜଳୁଛି ଜଙ୍ଗଲ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ବି ଲାଗିଛି ନିଆଁ। ବରଗଡ଼ ଡିଭିଜନ୍‌ର ପାଇକମାଳରେ ବନାଗ୍ନି ଚିହ୍ନଟ ହେଲାଣି। ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଥିବା ସଂରକ୍ଷିତ ଜଙ୍ଗଲରେ ନିଆଁ ନଜରକୁ ଆସିଛି। କେଉଁଠି ଆଜି ଲାଗିଛି ତ ଆଉ କେଉଁଠି ୪ ଦିନ ତଳେ ଲାଗିଥିବା ନିଆଁ କୁହୁଳି ଜଳୁଛି। ବନାଗ୍ନି ପ୍ରକୋପ ଏତେ ବଢ଼ୁଛି ଯେ ଆୟତ୍ତ କରିବା ଏବେ ବନ ବିଭାଗ ପାଇଁ କାଠିକର ହୋଇପଡ଼ିଲାଣି। ଦିନରାତି ଏକ କରି ବନ ବିଭାଗ କର୍ମଚାରୀମାନେ ନିଆଁ ଲିଭାଉଥିଲେ ମଧ୍ୟ ସଫଳତା ମିଳୁନି। ଗୋଟିଏ ରେଞ୍ଜରେ ନିଆଁ ନିୟନ୍ତ୍ରଣକୁ ଆସିଲା ବେଳକୁ ଆଉ ଗୋଟିଏ ରେଞ୍ଜରେ ଲାଗିଲାଣି। ୫ମାସ ହେଲା ବର୍ଷା ନ ଥିବାରୁ ଜଙ୍ଗଲରେ ପଡ଼ିଥିବା ଶୁଖିଲା ଡାଳ ପତ୍ର ଏବେ ଅଧିକ ବିପଦ ସୃଷ୍ଟି କରିଛି। କୌଣସି ଏକ ସ୍ଥାନରେ ଲାଗିବା କ୍ଷଣି ସାରା ଅଞ୍ଚଳକୁ ବ୍ୟାପି ଯାଉଛି। ଜଳିପୋଡ଼ି ପାଉଁଶ ହୋଇଯାଉଛି ‌ହେକ୍ଟର ହେକ୍ଟର ଜଙ୍ଗଲ।

Advertisment

publive-image

ଏବେ ସ୍ଥିତି ଏମିତି ହୋଇଛି ଯେ ନିୟନ୍ତ୍ରଣ କରିବା ବନ ବିଭାଗ ପକ୍ଷରେ ସମ୍ଭବପର ହେଉନାହିଁ। ଆଜି ଦିନରେ ଗୋଟିଏ ସମୟରେ ରାଜ୍ୟର ୧୩୯୫ଟି ଛୋଟ ବଡ଼ ଜଙ୍ଗଲରେ ନିଆଁ ଲାଗିଛି। ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କନ୍ଧମାଳ, ସମ୍ବଲପୁର, ଗଜପତି, ଗଞ୍ଜାମ, ଅନୁଗୁଳ, ଦେବଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ବନ ବିଭାଗ ପାଇଁ ଆହ୍ବାନ ସୃଷ୍ଟି କରିଛି। ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ମନୁଷ୍ୟକୃତ ନିଆଁକୁ ଆୟତ୍ତ କରିବା ଆମମାନଙ୍କ ପାଇଁ ଆହ୍ବାନ ସୃଷ୍ଟି ହୋଇଛି। ପ୍ରତି ଡିଭିଜନ୍‌ରେ ଲୋକଙ୍କୁ ସଚେତନ କରାଯାଉଛି। ଜଙ୍ଗଲ ନିକଟରେ ନିଆଁ ନ ଲଗାଇବାକୁ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରାଯାଉଛି। ମାତ୍ର କେହି ଶୁଣୁ ନାହାନ୍ତି। କିଏ କେତେବେଳେ କେଉଁଠି ନିଆଁ ଲଗାଉଛି ତାହାକୁ ଧରିବା ଏବେ ଆମ ପାଖରେ ସମ୍ଭବପର ନୁହେଁ। କାରଣ ସମସ୍ତ କର୍ମଚାରୀ ବନାଗ୍ନି ନିୟନ୍ତ୍ରଣ କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଏଥର ମଧ୍ୟ ଶିମିଳିପାଳ ଲାଗି ଚିନ୍ତା ବଢ଼ିଛି। ଉକ୍ତ ଅଭୟାରଣ୍ୟର ବହୁ ସ୍ଥାନରେ ନିଆଁ ସାମ୍ନାକୁ ଆସିଥିବାରୁ ବନ ବିଭାଗର ମହିଳା କର୍ମଚାରୀମାନେ ମଧ୍ୟ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଜଙ୍ଗଲ ଭିତରେ ଫାୟାର ଲାଇନ୍‌ ତିଆରି କରି ବନାଗ୍ନି କିଭଳି ଭୟଙ୍କର ରୂପ ନ ଦେବ ସେଦିଗରେ ପଦକ୍ଷେପ ନିଆଯାଉଛି। ସବୁ ପରେ ଏବେ ବର୍ଷାକୁ ଅପେକ୍ଷା। ଉତ୍ତର ଓ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଯଦି ସେମିତି କିଛି ହୁଏ ତାହା ହେଲେ ଆମେ ଓଡ଼ିଶାର ଗୋଟିଏ ପାର୍ଶ୍ବ ଜଙ୍ଗଲକୁ ନିୟନ୍ତ୍ରଣ କରିପାରିବା।

publive-image

ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ତଥ୍ୟ ଅନୁଯାୟୀ କୋରାପୁଟ ସର୍କଲରେ ସର୍ବାଧିକ ୨୯୫ଟି ସ୍ଥାନରେ ନିଆଁ ସାମ୍ନାକୁ ଆସିଛି। ବାରିପଦା ସର୍କଲରେ ୨୫୬, କୋରାପୁଟ ସର୍କଲରେ ୨୧୩, ବ୍ରହ୍ମପୁର ସର୍କଲରେ ୨୦୩, ଭବାନୀପାଟଣା ସର୍କଲରେ ୧୮୫, ସମ୍ବଲପୁର ସର୍କଲରେ ୧୦୫, ଅନୁଗୁଳ ସର୍କଲରେ ୯୭, ଭୁବନେଶ୍ବର ସର୍କଲର ୫୩ଟି ସ୍ଥାନରେ ନିଆଁ ଲାଗିଛି। ଗତକାଲି ଅପେକ୍ଷା ଆଜି ରାଜ୍ୟର ଆଉ ୧୫ଟି ଅଧିକ ସ୍ଥାନରେ ବଡ଼ଧରଣର ବନାଗ୍ନି ସାମ୍ନାକୁ ଆସିଛି। ଦେଶର ୫୯୪ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ହୋଇଥିବା ବେଳେ ସେଥିରୁ ଓଡ଼ିଶାରେ ୧୫୮। ବରିପଦା ସର୍କଲରେ ୩୫ରୁ ଅଧିକ ସ୍ଥାନରେ ବଡ଼ଧରଣର ନିଆଁ ଲାଗିଛି। ଲିଭାଇବା ଲାଗି ବନ ବିଭାଗ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଡ଼ିଲାଣି। ତଥାପି ନିୟନ୍ତ୍ରଣକୁ ଆସିପାରୁ ନାହିଁ।

ସେହିପରି କୋରାପୁଟ, ବ୍ରହ୍ମପୁର ପ୍ରଭୃତି ସର୍କଲରେ ବଡ଼ଧରଣର ଜଙ୍ଗଲ ନିଆଁ ବନ ବିଭାଗ ଲାଗି ଚିନ୍ତାର କାରଣ ପାଲଟିଛି। ଓଡ଼ିଶା ତଳକୁ ଆନ୍ଧ୍ର ପ୍ରଦେଶରେ ୧୧୨, କର୍ଣ୍ଣାଟକରେ ୯୧, ତେଲେଙ୍ଗାନାରେ ୫୭, ଛତିଶଗଡ଼ରେ ୪୫ ବଡ଼ଧରଣର ନିଆଁ ରହିଛି। ଗତ ୭ଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶ‌ର ୩୯୫ଟି ସ୍ଥାନରେ ବଡ଼ଧରଣର ନିଆଁ ଲାଗିଥିବା ବେଳେ ଏହା ତଳକୁ ଓଡ଼ିଶାର ୩୯୩ଟି ସ୍ଥାନ ଚିହ୍ନଟ ହୋଇଛି। ନଭେମ୍ବର ପହିଲାରୁ ଏପର୍ଯ୍ୟନ୍ତ ଦେଖିଲେ ଆନ୍ଧ୍ରପ୍ରଦେଶରେ ୬୮୨ ଓ ଓଡ଼ିଶାର ୫୬୫ଟି ବଡ଼ଧରଣର ବନାଗ୍ନି ରହିଛି।