ଦନ୍ତାକୁ ମାରିଦେଲା ବନ ବିଭାଗ! ଚିକିତ୍ସା ଅପେକ୍ଷାରେ ଆଉ ଗୋଟିଏ ହାତୀ

ଯୁଯୁମୁରା/ସମ୍ବଲପୁର: ସାପଲହରା ଗାଁ ପୋଖରୀରେ ୫ ଦିନଧରି ଫଶି ରହିଥିବା ଦନ୍ତାହାତୀର ଆଜି ମୃତ୍ୟୁ ଘଟିଛି। ଉପଯୁକ୍ତ ଚିକିତ୍ସା ଅଭାବରୁ ହାତୀ ମରିଯାଇଥିବାବେଳେ ଏବେ ଅନ୍ୟ ଗୋଟିଏ ଆହତ ହାତୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବାରେ ବି ଅବହେଳା କରାଯାଉଛି! ଆହତ ହାତୀକୁ ଚିକିତ୍ସା କରାନଯିବା ଏକପ୍ରକାର ମରଣ ମୁହଁ ଠେଲିଦେବା ସଦୃଶ ହୋଇଛି ‌ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସୂଚନା ଅନୁସାରେ, ଗତ ୨୯ ତାରିଖ ଦିନ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ପଡ଼ିଆବାହାଲ ବନାଞ୍ଚଳରେ ଆହତ ଦନ୍ତାହାତୀ ବୁଲୁଥିବା ଦେଖାଯାଇଥିଲା। ଦୁଇହାତୀ ମଧ୍ୟରେ ସଂଘର୍ଷ ଯୋଗୁ ଏଭଳି ଆଘାତ ଲାଗିଥିବା ବନବିଭାଗ କହିଥିଲା। ଏହି ହାତୀକୁ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ବନ ବିଭାଗକୁ ୪ ଦିନ ସମୟ ଲାଗିଯାଇଥିଲା। ଗତ ୨ ତାରିଖ ଦିନ ଆହତ ହୋଇ ଚାଲି ପାରୁନଥିବା ଦନ୍ତା ହାତୀର ଚିକିତ୍ସା ଭୁବନେଶ୍ୱର ଓୟୁଏଟିରୁ ଆସିଥିବା ଚିକିତ୍ସକ ଦଳ ଏବଂ ଯୁଯୁମୁରା ପ୍ରାଣୀଧନ ଚିକିତ୍ସକ ଚିକିତ୍ସା କରି ଫେରି ଯାଇଥି‌ଲେ। ତେ‌ବେ, ୧୬ ତାରିଖ ରାତିରେ ବଡ଼ସାହିର ପାଖ ସାପଲହରା ମହାଦେବ ମନ୍ଦିର ସଂଲଗ୍ନ ପୋଖରୀରେ ପାଣି ପିଇବାକୁ ଆସିଥିଲା। ପୋଖରୀ ପଙ୍କରେ ଗୋଡ଼ ଫସିଯିବାରୁ ଦୁର୍ବଳତା କାରଣରୁ ଏହି ଆହତ ହାତୀ ଆଉ ବାହାରକୁ ଆସିପାରିନଥିଲା। ପାଣି ଭିତରୁ ବାହାରିବାକୁ ବାରମ୍ବାର ଚେଷ୍ଟାକରି ହାତୀ ବିଫଳ ହୋଇଥିଲା। ଘଟଣା ସଂକ୍ରାନ୍ତରେ ଖବର ପାଇ ଗତ ୧୭ ତାରିଖ ଦିନ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚିଥିଲେ। ହାତୀକୁ ୨ଟି ଇଞ୍ଜେକ୍ସନ ଦେବାପରେ ସେ ଛିଡ଼ା ହେବାକୁ ସକ୍ଷମ ହୋଇଥିଲେହେଁ ଆଉ ପୋଖରୀରୁ ବାହାରି ପାରିନଥିଲା। ପାଣି ଭିତରରେ ଫସି ରହିଥିବା ହାତୀକୁ ଆଉ ବାହାରକୁ ବାହାରିନଥିଲା। ପରିଶେଷରେ ଆଜି କ୍ରେନ୍ ସହାୟତାରେ ହାତୀକୁ ବାହାରକୁ ବାହାର କରାଯାଉଥିବାବେଳେ ହାତୀର ମୃତ୍ୟୁ ଘଟିଥିଲା।

ଗ୍ରାମବାସୀଙ୍କ ଅଭିଯୋଗ ହେଲା, ହାତୀକୁ ବାହାରକୁ ବାହାର କରାଯାଇ ଚିକିତ୍ସା କରାଯିବା ଉଚିତ ହୋଇଥାନ୍ତା। ବାରମ୍ବାର କୁହାଯିବା ପରେ ବି ବନ ବିଭାଗର ବାବୁମାନେ କିଛି ଶୁଣିନଥିଲେ। ଉପଯୁକ୍ତ ଚିକିତ୍ସା ସେବା ବନ ବିଭାଗ ଦେଇନପାରି ହାତୀକୁ ମାରିଦେଲା ବୋଲି ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସେହି ପଡ଼ିଆବାହାଲ ବନାଞ୍ଚଳରେ ଅନ୍ୟ ଏକ ହାତୀ ଅସୁସ୍ଥ ଅବସ୍ଥାରେ ପାଖାପାଖି ଏକ ସପ୍ତାହ ଧରି ବୁଲାବୁଲି କରୁଥିଲେ ହେଁ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିନାହିଁ। ଅନୁଗୁଳ ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନରୁ ଏକ ଟିମ୍‌ ଟ୍ରାଙ୍କୁଲାଇଜ୍ କରିବାକୁ ଆସିଥିଲେ। ହେଲେ, ଟ୍ରାଙ୍କୁଲାଇଜ୍ କରିନପାରି ଫେରିଯାଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ସମ୍ବଲପୁର ଡିଏଫ୍ଓଙ୍କୁ ପଚାରିବାରୁ ସେ କହିଲେ, ଆଜି ସନ୍ଧ୍ୟାରେ ହାତୀର ଶବ ବ୍ୟବଚ୍ଛେଦ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ହାତୀର ଚିକିତ୍ସାରେ ଆଦୌ ଅବହେଳା କରାଯାଇନାହିଁ। ତେବେ, ଅନ୍ୟ ଅସୁସ୍ଥ ହାତୀର ଚିକିତ୍ସା ପାଇଁ ଚେଷ୍ଟା କରାଯାଉଛି। ଅନୁଗୁଳରୁ ଟିମ୍ ଆସିବା ପରେ ଟ୍ରାଙ୍କୁଲାଇଜ୍ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର