ଭୁବନେଶ୍ବର: ରାଜ୍ୟରେ ତାତି ବଢ଼ୁଛି। ତା’ସହ ତାଳ ଦେଇ ଜଙ୍ଗଲ ନିଆଁ ମଧ୍ୟ ବୃଦ୍ଧି ପାଉଛି। ଲଗାତାର ସପ୍ତାହେ ହେଲା ଓଡ଼ିଶାର ଅର୍ଦ୍ଧାଧିକ ଜଙ୍ଗଲରେ ନିଆଁର କୋପ ଦେଖିବାକୁ ମିଳିଛି। ଆଜି ଗୋଟିଏ ଦିନରେ ରାଜ୍ୟର ୪୦୦ରୁ ଅଧିକ ସ୍ଥାନରେ ଛୋଟ ବଡ଼ ବନାଗ୍ନି ଚିହ୍ନଟ ହୋଇଛି। ସେଥିମଧ୍ୟରେ ୮୯ଟି ବଡ଼ଧରଣ ବନାଗ୍ନି ରହିଛି। ତିନି ଦିନ ମଧ୍ୟରେ ବଡ଼ଧରଣ ବନାଗ୍ନି ୪ ଗୁଣା ବୃଦ୍ଧି ପାଇଥିବାରୁ ବନ ବିଭାଗ ଅଧିକାରୀମାନେ ଚିନ୍ତାପ୍ରକଟ କରିଛନ୍ତି। ବନାଗ୍ନି ରୋକିବାକୁ ସଚେତନତା କାର୍ଯ୍ୟକ୍ରମ ସହ ଫାୟାର ଫାଇଟିଂ ଟିମ୍‌ ପ୍ରସ୍ତୁତ ହୋଇଥିଲେ ମଧ୍ୟ ସଫଳତା ନ ମିଳିବା ବଡ଼ ଆହ୍ବାନ ଭାବେ ଛିଡ଼ା ହୋଇଛି।

Advertisment

ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ରିପୋର୍ଟ ଅନୁଯାୟୀ ଆଜି ପୂର୍ବାହ୍ନ ସୁଦ୍ଧା ଦେଶର ୪୦୫ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ଚିହ୍ନଟ ହୋଇଛି। ସେଥିମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୮୯ଟି ସ୍ଥାନରେ ବଡ଼ଧରଣ ବନାଗ୍ନି ରହିଛି। ଏହାବ୍ୟତୀତ ମିଜୋରାମ ଓ ଛତିଶଗଡ଼ରେ ୬୩ଟି ଲେଖାଏ, ମଧ୍ୟପ୍ରଦେଶରେ ୪୧, ମହାରାଷ୍ଟ୍ରରେ ୩୬, ମଣିପୁରରେ ୩୧, ତେଲେଙ୍ଗାନାରେ ୧୬, ମେଘାଳୟରେ ୧୩, ଝାଡ଼ଖଣ୍ଡରେ ୧୧ଟି ବଡ଼ଧରଣ ବନାଗ୍ନି ନଜରକୁ ଆସିଛି। ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ପରି ରାଜ୍ୟରେ ବନାଗ୍ନି ଏବେ ନିୟନ୍ତ୍ରଣ ଭିତରକୁ ଆସୁଥିବା ବେଳେ ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଇବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।

ବଡ଼ ବନାଗ୍ନିରେ ଓଡ଼ିଶା ଶୀର୍ଷରେ
୮୯ଟି ସ୍ଥାନରେ ନିୟନ୍ତ୍ରଣକୁ ଆସିପାରିନି
ହାତ ଟେକି ଦେଲେଣି ବନ କର୍ମଚାରୀ

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜଙ୍ଗଲରେ ବଡ଼ଧରଣର ବନାଗ୍ନି ସାମ୍ନାକୁ ଆସିଛି। ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଓ ଖରିଆର ଡିଭିଜନ୍‌ର ଏକାଧିକ ସ୍ଥାନରେ ଜଙ୍ଗଲ ଜଳୁଛି। କୋରାପୁଟ ଜିଲ୍ଲାର ନାରାୟଣପାଟଣା, ବଲାଙ୍ଗୀରର ଟିଟିଲାଗଡ଼ ରେଞ୍ଜ, ଲୋଇସିଙ୍ଗା ରେଞ୍ଜ, କଣ୍ଟାବାଞ୍ଝି ରେଞ୍ଜ, ରାୟଗଡ଼ା ଜିଲ୍ଲାର ଗୁମ୍ମା ବିଟ୍‌, ମୁନିଗୁଡ଼ା ରେଞ୍ଜ, ବରଗଡ଼ ଜିଲ୍ଲାର ଭଟଲୀ ରେଞ୍ଜ, ସୁନ୍ଦରଗଡ଼ ଜିଲ୍ଲାର ଗୋପାଳପୁର ରେଞ୍ଜ, ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ରେଞ୍ଜ, ସମ୍ବଲପୁର ଜିଲ୍ଲାର ବାମରା ଡିଭିଜନ୍‌, ଗଞ୍ଜାମର ଘୁମୁସର ଦକ୍ଷିଣ ଡିଭିଜନ୍‌, କନ୍ଧମାଳ ଜିଲ୍ଲାର ଫୁଲବାଣୀ ଡିଭିଜନ୍‌, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଡିଭିଜନ୍‌, ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଓ ବାରିପଦା ଡିଭିଜନ୍‌ରେ ସନ୍ଧ୍ୟା ସୁଦ୍ଧା ବନାଗ୍ନି ଜାରି ରହିଥିବା ଦୃଷ୍ଟିକୁ ଆସିଛି। ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଡିଭିଜନ୍‌ର ଏକାଧିକ ସ୍ଥାନ‌ରେ ନିଆଁ ସକ୍ରିୟ ରହିଛି। କୋରାପୁଟରୁ ଆରମ୍ଭ କରି ଅନୁଗୁଳ ପର୍ଯ୍ୟନ୍ତ, ସବୁଠି ଜଙ୍ଗଲ ଜଳୁଥିଲେ ମଧ୍ୟ ବନ ବିଭାଗ ସେଭଳି ଆଖିଦୃଶିଆ ପଦକ୍ଷେପ ନେଇ ନାହିଁ। ୧୭ଟି ଜିଲ୍ଲାରେ ଚାଷ ପାଇଁ ଲୋକେ ଜଙ୍ଗଲରେ ନିଆଁ ଲଗାଉଥିବା କହି ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ହାତ ଟେକି ଦେଇଛନ୍ତି। ସେପଟେ ଅନ୍ୟ ରାଜ୍ୟକୁ ପଛରେ ପକାଇ ଓଡ଼ିଶ‌ାର ଜଙ୍ଗଲ ନିଆଁ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି। ଆଗାମୀ ଦିନରେ ତାତି ବଢ଼ିବାକୁ ଥିବାରୁ ଜଙ୍ଗଲ ନିଆଁ ମଧ୍ୟ ରେକର୍ଡ ଭାଙ୍ଗିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।