ଭୁବନେଶ୍ବର : ତାତି ସହ ତାଳ ଦେଇ ବଢ଼ିଚାଲିଛି ବନାଗ୍ନି। ଓଡ୍ରାଫ୍ ଟିମ୍ ନିୟୋଜିତ ହେବା ପରେ ବି ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ। ତିନି ଦିନ ତଳେ ହଜାରେ ପାଖାପାଖି ରହୁଥିବା ବନାଗ୍ନି ରବିବାର ଶହେ ତଳକୁ ଖସି ୭୬ରେ ପହଞ୍ଚିଥିଲା। ମାତ୍ର ଗତ ୨୪ ଘଣ୍ଟାରେ ଓଡ଼ିଶାର ବିଭିନ୍ନ ଜଙ୍ଗଲ ପୁଣିଥରେ ହୁତୁହୁତୁ ହୋଇ ଜଳୁଛି। ମଧ୍ୟାହ୍ନରେ ରାଜ୍ୟର ୪୯୫ଟି ସ୍ଥାନରେ ବନାଗ୍ନି ନଜରକୁ ଆସିବା ସହ ଚଳିତବର୍ଷ ଓଡ଼ିଶାର ବନାଗ୍ନି ସଂଖ୍ୟା ୩୦ ହଜାର ପାର୍ ହୋଇଛି। ନଭେମ୍ବର ପହିଲାରୁ ଏପର୍ଯ୍ୟନ୍ତ ଓଡ଼ିଶାରେ ବଡ଼ଧରଣର ବନାଗ୍ନି ସଂଖ୍ୟା ୧୪୦୦ ଉପରକୁ ଚାଲିଯାଇଥିବା ବେଳେ ୧୨ ହଜାର ହେକ୍ଟରରୁ ଅଧିକ ଜଙ୍ଗଲ ପ୍ରଭାବିତ ହୋଇଛି।
ଗତ ୭ ଦିନ ମଧ୍ୟରେ ଦେଶରେ ସୃଷ୍ଟି ହୋଇଥିବା ବନାଗ୍ନି ତାଲିକାରେ ଓଡ଼ିଶା ଶୀର୍ଷ ସ୍ଥାନ ବଜାୟ ରଖିଛି। ୪ ହଜାର ୬୦୦ ବନାଗ୍ନି ସହ ଓଡ଼ିଶା ଆଗରେ ଥିବା ବେଳେ ପଛକୁ ପଛ ଯଥାକ୍ରମେ ଛତିଶଗଡ଼, ମହାରାଷ୍ଟ୍ର, ତ୍ରିପୁରା ଓ ଆନ୍ଧ୍ରପ୍ରଦେଶ ରହିଛି। ଆଜି ଓଡ଼ିଶାର ମାଲକାନଗିରି, କୋରାପୁଟ, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବରଗଡ଼, କନ୍ଧମାଳ, ସୁନ୍ଦରଗଡ଼, ଗଜପତି, ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନରେ ନିଆଁ ଲାଗିଛି। ଦେବଗଡ଼, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ, ବାଲେଶ୍ବର, କଟକ, ଗଞ୍ଜାମ, ସମ୍ବଲପୁର, ଦେବଗଡ଼, ଭଦ୍ରକ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୩୭ଟି ସ୍ଥାନରେ ବଡ଼ଧରଣର ନିଆଁ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ବୌଦ୍ଧ, ଦେବଗଡ଼, କେନ୍ଦୁଝର, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ସୁନ୍ଦରଗଡ଼ ଜିଲ୍ଲାରେ ଚିହ୍ନଟ କରାଯାଇଛି।
/sambad/media/post_attachments/wp-content/uploads/2022/04/fire-SUNABADA-forest-fire-750x430.jpg)
ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗତ ମାର୍ଚ୍ଚରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ୧୧ଟି ବନାଗ୍ନିପ୍ରବଣ ବନଖଣ୍ଡରେ ଓଡ୍ରାଫ୍ ଟିମ୍ ନିୟୋଜିତ ହୋଇଛନ୍ତି। ଓଡ୍ରାଫ୍ ଟିମ୍ର ସକ୍ରିୟ ନିୟୋଜନ ଦ୍ବାରା ବିଭିନ୍ନ ସ୍ଥାନରେ ନିଆଁ ସଙ୍ଗେ ସଙ୍ଗେ ଆୟତ୍ତକୁ ଆସୁଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଶନିବାର ସମୀକ୍ଷା ବୈଠକ କରାଯାଇ ନିଆଁ ଲାଗିବା ପରେ ନୁହେଁ, ବରଂ ଲାଗିବା ପୂର୍ବରୁ କିପରି ଏହାକୁ ରୋକା ଯାଇପାରିବ ସେଦିଗରେ ସାମୂହିକ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ବର୍ଷାକୁ ଅପେକ୍ଷା ନକରି ବର୍ଦ୍ଧିତ ବନାଗ୍ନିକୁ ପ୍ରଶମିତ କରିବାକୁ ସ୍ଥାନୀୟ ଜନସାଧାରଣ ଓ ଯୁବକଯୁବତୀଙ୍କୁ ସାମିଲ କରି ବ୍ୟାପକ ପ୍ରଚାରପ୍ରସାର, ବନ ସୁରକ୍ଷା ସମିତି, ସମ୍ପୃକ୍ତ ଅଞ୍ଚଳର ନେତୃସ୍ଥାନୀୟ ବ୍ୟକ୍ତିଙ୍କ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି। ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ପ୍ରଶାସନିକ ଅଧିକାରୀମାନେ ବନାଗ୍ନି ପ୍ରବଣ ଅଞ୍ଚଳକୁ ଯାଇ ଗ୍ରାମବାସୀଙ୍କ ସହିତ ପ୍ରତ୍ୟକ୍ଷ ଆଲୋଚନା କଲେ ସେମାନଙ୍କ ବିଶ୍ୱାସ ଜିଣିବା ସହ ଅନେକ ସୁଫଳ ମିଳିପାରିବ ବୋଲି ଶ୍ରୀ ସାହୁ ଆଶାବ୍ୟକ୍ତ କରିଥିଲେ।
ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ଦେବୀଦତ୍ତ ବିଶ୍ୱାଳ କହିଛନ୍ତି ଯେ ବନାଗ୍ନିକୁ ପ୍ରତିହତ କରିବାକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଏପର୍ଯ୍ୟନ୍ତ ଘଟିଥିବା ୩୦ ହଜାର ବନାଗ୍ନି ମଧ୍ୟରୁ ୯୮%ରୁ ଅଧିକକୁ ତୁରନ୍ତ ପ୍ରଶମିତ କରାଯାଇଛି। ‘ମୋ ଜଙ୍ଗଲ’ ଆପ୍ ମାଧ୍ୟମରେ ବନାଗ୍ନିର ସଦ୍ୟତମ ତଥ୍ୟ ମିଳିପାରୁଛି। ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇ ପ୍ରତି ଜିଲ୍ଲା ପାଇଁ ଜିଲ୍ଲା ଅଗ୍ନି ନିବାରଣ ଓ ପ୍ରଶମନ କାର୍ଯ୍ୟ ଯୋଜନା ପ୍ରସ୍ତୁତ ସହ କାର୍ଯ୍ୟକାରୀ ହେଉଛି। ରାଜ୍ୟ ମୁଖ୍ୟାଳୟ ତଥା ବନଖଣ୍ଡସ୍ତରରେ ୨୪ ଘଣ୍ଟିଆ ନିରୀକ୍ଷଣ କକ୍ଷ ଖୋଲିଛି। ବନଖଣ୍ଡସ୍ତରରେ ଅଗ୍ନି ନିର୍ବାପକ ଦଳ ନିୟୋଜିତ କରାଯାଇ ସେମାନଙ୍କୁ ଲିଫ୍ ବ୍ଲୋଅର, ଟର୍ଚ୍ଚ ଓ ଅନ୍ୟାନ୍ୟ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି। ଏଥର ବନାଗ୍ନିରେ ୧୨ଟି ବନଖଣ୍ଡ ଯଥା ବାଲିଗୁଡ଼ା, ରାୟଗଡ଼ା, କଳାହାଣ୍ଡି (ଦକ୍ଷିଣ), ବାମରା (ବନ୍ୟଜନ୍ତୁ), ବଣାଇ, ପାରଳାଖେମୁଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର, ବୌଦ୍ଧ, ଫୁଲବାଣୀ, ଆଠଗଡ଼ ଓ ମାଲକାନଗିରି ବିଶେଷ ଭାବେ ପ୍ରଭାବିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/forest-fire-dd.jpg)