ଜଗତସିଂହପୁର,: ଜଗତସିଂହପୁର ଜିଲ୍ଲା ଏରସମା ଉପକୂଳରେ ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର। ଏରସମା ବ୍ଲକ୍ର ଶିଆଳି ନିକଟରେ ବାରମ୍ବାର କୂଳ ଲଙ୍ଘି ଚାଲିଛି। ଜୁଆର ମାଡ଼ରେ ଭ୍ୟୁ ଟାଵାର୍ ମୂଳଦୁଆ ଖାଇଯିବାରୁ ଭାଙ୍ଗି ଦିଆଯାଇଛି। ଝାଉଁ ଜଙ୍ଗଲ ମଧ୍ୟ ଧ୍ବଂସ ପାଇବାରେ ଲାଗିଛି। ତଥାପି ସୁରକ୍ଷା ଦିଗରେ ପଦକ୍ଷେପ ନେଉ ନାହାନ୍ତି ସରକାର। ଏରସମା ବ୍ଲକ୍ର ପଦ୍ମପୁର ପଞ୍ଚାୟତରେ ରହିଛି ଶିଆଳି। ଏହାର ପାଖାପାଖି କଳାବେଦୀ, ସରୋବନ୍ତ, ନୋଳିଆ ସାହି, ରାମତରା, ଆମ୍ବିକି, ଗଡ଼ହରିଶପୁର ଆଦି ରହିଛି। ୧୯୯୯ ମହାବାତ୍ୟା ସମୟରେ ସମୁଦ୍ର ଜୁଆର ମାଡ଼ି ବ୍ୟାପକ ଧନଜୀବନ ନଷ୍ଟ ହୋଇଥିଲା। ଜନବସତି ଠାରୁ ସେତେବେଳେ ପ୍ରାୟ ୨ କିଲୋମିଟର ଦୂରରେ ସମୁଦ୍ର ରହିଥିଲା। ପ୍ରାୟ ୧୦ କିଲୋମିଟର ବ୍ୟାପୀ ବେଳାଭୂମି ସୃଷ୍ଟି ହୋଇଥିଲା। ବାତ୍ୟାର ଅଳ୍ପ କିଛି ବର୍ଷ ପରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା ଏହି ବେଳାଭୂମି। ୨୦୧୧ରେ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ହାସଲ କରିଥିଲା ଶିଆଳି। ନୀଳ ସମୁଦ୍ର ଓ ବେଳାଭୂମିର ମନଲୋଭା ଦୃଶ୍ୟକୁ ଦେଖିବା ଲାଗି ଏକ ଭ୍ୟୁ ଟାଵାର୍ ନିର୍ମାଣ କରାଯାଇଥିଲା। ସେତେବେଳେ ସମୁଦ୍ର ପ୍ରାୟ ୧ କିଲୋମିଟର ଦୂରରେ ରହିଥିଲା। ଅର୍ଥାତ୍ ମହାବାତ୍ୟା ଠାରୁ ଭ୍ୟୁ ଟାଵାର ନିର୍ମାଣ ଭିତରେ ସମୁଦ୍ର ପ୍ରାୟ ୧ କିଲୋମିଟର ମାଡ଼ି ଆସିଥିଲା। କିନ୍ତୁ ଅଶାନ୍ତ ସମୁଦ୍ର ସେତିକିରେ ଅଟକି ନ ଥିଲା। ଧୀରେ ଧୀରେ ଜନବସତି ମୁହାଁ ହୋଇଥିଲା। ଏପରିକି ବନ ବିଭାଗ ପକ୍ଷରୁ ସୃଷ୍ଟି କରାଯାଇଥିବା ଝାଉଁ ଜଙ୍ଗଲ ଜୁଆର ମାଡ଼ରେ ଧ୍ବଂସ ହେବାରେ ଲାଗିଛି। ଏବେ ଉପକୂଳର ଜନବସତି ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଗତବର୍ଷ ବଡ଼ ଜୁଆର ଆସିବାରୁ କଳାବେଦୀ, ରାମତରା, ଶିଆଳି ଓ ନୋଳିଆ ସାହିକୁ ପାଣି ପଶି ଆସିଥିଲା। ବାତ୍ୟା ଓ ଲଘୁଚାପ ସମୟରେ ଅଶାନ୍ତ ସମୁଦ୍ର କୂଳ ଲଂଘୁଛି।
ସେହିପରି ପାରାଦୀପର ନେହରୁ ବଙ୍ଗଳା ମୁହାଣ ନିକଟରେ ଜୁଆର ମାଡ଼ରେ ମାଟି ଅତଡ଼ା ଖାଇବାରେ ଲାଗିଛି। ସେଠାରେ ଥିବା ଝାଉଁ ଗଛ ଉପୁଡ଼ି ପଡ଼ିଲାଣି। ଗୋଟିଏ ସ୍ଥାନରେ ଅସ୍ଥାୟୀ ଭାବେ ବାଲିବସ୍ତା ପକାଯାଇ ସୁରକ୍ଷା ପାଚେରି କରାଯାଇଥିଲେ ମଧ୍ୟ ତାହା ଭାଙ୍ଗି ନଷ୍ଟ ହୋଇଗଲାଣି। ଉପକୂଳ ସୁରକ୍ଷା ପାଇଁ ବଜେଟ୍ରେ କୌଣସି ବ୍ୟୟବରାଦ ହୋଇ ନ ଥିବାରୁ ବିଧାନସଭାରେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଏହି ପ୍ରସଙ୍ଗ ଉଠାଇଥିଲେ। ପଦ୍ମପୁର ପଞ୍ଚାୟତ ସରପଞ୍ଚ ପ୍ରତିଭାରାଣୀ ପାତ୍ର କହିଛନ୍ତି, ନେହରୁ ବଙ୍ଗଳା ସୁରକ୍ଷା ପାଇଁ ବାରମ୍ବାର ଦାବି କରାଯାଇଛି। ଏହା ଏକ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ସୁରକ୍ଷା ନିହାତି ଦରକାର। ସମୁଦ୍ର ମାଡ଼ୁଥିବାରୁ ଜନବସତି ପ୍ରତି ବିପଦ ରହିଛି। ତେଣୁ ସୁରକ୍ଷା ପ୍ରାଚୀର ସହ ଏକ ଭ୍ୟୁ ଟାଵାର ନିର୍ମାଣ ପାଇଁ ପ୍ରଶାସନକୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/dgdggjdgj.jpg)