ଭୁବନେଶ୍ବର, (କେଶବ ପାଣି) : ଗତ ଦଶନ୍ଧିରେ ଓଡ଼ିଶା ଜଙ୍ଗଲରେ ମାଓବାଦୀଙ୍କର ପତିଆରା ଥିଲା। ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ସେମାନେ ନିଜର କାୟା ବଢ଼ାଉଥିଲେ। କେଉଁଠି ବିସ୍ଫୋରଣରେ ପୁଲିସ ଗାଡ଼ି ଉଡ଼ୁଥିଲା ତ ଆଉ କେଉଁଠି ବନ୍ଧୁକ ମୁନରେ ସାଧାରଣ ଜନତାଙ୍କ ପ୍ରାଣ ନେଉଥିଲେ।। ଏବେ ଏହି ସ୍ଥିତିରେ ଅନେକ ସୁଧାର ଆସିଛି। ହେଲେ ଜଙ୍ଗଲରେ କିନ୍ତୁ ଗୁଳିଗୋଳା ମାଡ଼ ନିରବି ଯାଇନି। ମାଓବାଦୀଙ୍କ ସ୍ଥାନ ଶିକାରୀ ନେଇଛନ୍ତି ଓ ମାତିଛନ୍ତି। ସାଧାରଣ ଜନତା ନୁହେଁ, ଏବେ ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ବନ୍ୟଜନ୍ତୁ ଟଳିପଡ଼ୁଥିବା ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଠାରୁ ଆରମ୍ଭକରି ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଲାଣି।

Advertisment

ମାଲକାନଗିରିରୁ ମୟୂରଭଞ୍ଜ; ଦେବଗଡ଼ରୁ ସୁନ୍ଦରଗଡ଼, ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଏବେ ଶିକାରୀଙ୍କ ରାଜ୍‌ ଚାଲିଛି। ଜଙ୍ଗଲରେ ମହାବଳଠାରୁ ଆରମ୍ଭ କରି କଲରାପତରିଆ, ହାତୀ, ବାର୍‌ହା, ସମ୍ବର ବିପଦରେ। କୋଟି କୋଟି ଟଙ୍କାର ମୂଲ୍ୟବାନ ଚମଡ଼ା, ମାଂସ ରାଜ୍ୟ ବାହାରକୁ ପଠାଇ ମାଲାମାଲ୍‌ ହେଉଛନ୍ତି ଶିକାରୀ। ଓଡ଼ିଶା ପ୍ରଚୁର ପ୍ରାକୃତିକ ସମ୍ପଦ ହରାଉଛି। ଏସବୁ ଗଣମାଧ୍ୟମ ରିପୋର୍ଟରେ ରହିଛି, ସରକାର ବି ଜାଣୁଛନ୍ତି। ଅଥଚ ଶିକାରୀଙ୍କ କାୟା ମେଲିବା ପଛରେ କେଉଁମାନେ ସାମିଲ ଅଛନ୍ତି ତାହା ଉପରୁ ରହସ୍ୟ ଉନ୍ମୋଚନ ହୋଇପାରୁନାହିଁ। ଜଙ୍ଗଲ ବିଭାଗର ଅଧିକାରୀମାନେ ଏଦିଗରେ କି କି ଠୋସ୍ ପଦକ୍ଷେପ ନେଉଛନ୍ତି, ତାହା ବି କେହି ଜାଣିପାରୁନାହାନ୍ତି। ସବୁଠାରୁ ଯେଉଁ କଥାଟି ବେଶି ଆନ୍ଦୋଳିତ କରୁଛି ତାହା ହେଲା- ଶିକାରୀଙ୍କ ପାଖକୁ କେଉଁଠୁ ଆସୁଛି ମାରଣାସ୍ତ୍ର? ସେମାନଙ୍କୁ କିଏ ଯୋଗାଉଛି ବନ୍ଧୁକ ଓ ଗୁଳି? ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଦୁର୍ଦ୍ଦାନ୍ତ ଶିକାରୀ ‌ବାଇଗୋ ହୋ ପାଖକୁ ୧୨୯୯ ରାଉଣ୍ଡ ଜୀବନ୍ତ ଗୁଳି (ଗୋଟିଏ ବନ୍ଧୁକ ସହ) କେଉଁଠୁ ଆସିଲା? ସେ ଶିକାରୀ ନା ବ୍ୟବସାୟୀ? ଏତେ ଗୁଳି ଜବତ ହେବା ପରେ ପୁଲିସ ବିଭାଗ ଓ ଜଙ୍ଗଲ ବିଭାଗର ବଡ଼ ବଡ଼ ଅଧିକାରୀମାନେ ଯେଭଳି ତତ୍ପରତା ଦେଖାଇବା କଥା ତାହା ପରିଲକ୍ଷିତ ହୋଇନାହିଁ। ଅତଏବ, ଏସବୁ କଣ ନିୟମିତ ଘଟୁଛି କି?

୧୨୯୯ ଗୁ​ଳି ଜବତ ପରେ ତନାଘନା ନାହିଁ
ମାମଲା ସଂଖ୍ୟା ବଢ଼ୁଛି, ଗିରଫଦାରି କମୁଛି

publive-image

ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ହେଉଛି ଯେ ଜଙ୍ଗଲୀ ଜନ୍ତୁ ଶିକାର ମାମଲାରେ ଓଡ଼ିଶା ଏବେ ଶୀର୍ଷରେ ପହଞ୍ଚିଛି। ହାତୀ ସମେତ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଶିକାର ବେଧଡ଼କ ଭାବେ ବଢ଼ିଚାଲିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ସାରା ରାଜ୍ୟରେ ୩୨୯ଟି ମାମଲା ହୋଇଛି, ଯାହାକି ଗତ ଏକ ଦଶନ୍ଧି ମଧ୍ୟରେ ସର୍ବାଧିକ। ୨୦୧୨-୧୩ରୁ ୨୦୨୧-୨୨ ମଧ୍ୟରେ କୌଣସି ବର୍ଷ ଏତେ ସଂଖ୍ୟକ ମାମଲା ଦାୟର ହୋଇ ନ ଥିଲା। ୨୦୧୮-୧୯ରେ ସର୍ବାଧିକ ୩୨୭ଟି ମାମଲା ରୁଜୁ ହୋଇଥିଲା। ଏହାପରଠାରୁ ମାମଲା ସାମାନ୍ୟ ହ୍ରାସ ପାଇଥିଲା। ମାତ୍ର ଗତବର୍ଷରେ ଯେଉଁଭଳି ଭାବେ ମାମଲା ବୃଦ୍ଧି ପାଇଛି ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କେଉଁଠି ନା‌ କେଉଁଠି ଅପରାଧ ରୋକିବାରେ ବନ ବିଭାଗ ସଫଳ ହୋଇପାରନାହିଁ। ୨୦୧୧-୧୨ ଆର୍ଥିକ ବର୍ଷରେ ବନ୍ୟଜନ୍ତୁ ହତ୍ୟା ଘଟଣାରେ ରାଜ୍ୟରେ ମୋଟ ୬୨ଟି ମାମଲା ହୋଇଥିଲା। ସେଥିମଧ୍ୟରୁ ହାତୀ ମାରିବା ଘଟଣାରେ ୮ଟି ଓ ଅନ୍ୟ ବନ୍ୟଜନ୍ତୁ ମାରିଥିବାରୁ ୫୪ଟି ମାମଲା ରୁଜୁ କରାଯାଇଥିଲା। ହାତୀ ଶିକାର ଅଭିଯୋଗରେ ୩୨ ଓ ଅନ୍ୟ ଜୀବଜନ୍ତୁ ଶିକାର ଅଭିଯୋଗରେ ୧୫୯ଜଣ ଗିରଫ ହୋଇଥିଲେ। ସେବେଠାରୁ ପ୍ରତିବର୍ଷ ଏହି ସଂଖ୍ୟା ବୃଦ୍ଧି ପାଉଛି।

ତେବେ ଅପରାଧିକ ମାମଲା ବଢ଼ିଥିଲେ ମଧ୍ୟ ଅପରାଧୀଙ୍କୁ ଧରିବାରେ ଜଙ୍ଗଲୀ ବାବୁମାନେ ଫେଲ୍‌ ମାରିଛନ୍ତି। ୨୦୨୧-୨୨ରେ ହାତୀ ଶିକାର ମାମଲାରେ ୫୦ ଓ ଅନ୍ୟାନ୍ୟ ଜୀବଜନ୍ତୁ ଶିକାର ମାମଲାରେ ୫୭୨ ଜଣ ଏହିପରି ମୋଟ ୬୨୨ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ୨୦୧୮-୧୯ରେ ୩୨୭ ମାମଲାରେ ୧୨୭୪ଜଣଙ୍କୁ ଗିରଫ କରାଯାଇଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବନ ବିଭାଗର କୋହଳ ମନୋଭାବ ଲାଗି ଜଙ୍ଗଲରେ ଶିକାରୀଙ୍କ ପତିଆରା ଦିନକୁ ଦିନ ବଢ଼ିବାରେ ଲାଗିଛି। ମାମଲା ବଢ଼ୁଥିଲେ ମଧ୍ୟ କାହିଁକି ଅପରାଧୀଙ୍କୁ ଧରାଯାଇପାରୁ ନାହିଁ ସେନେଇ କେହି ବି ଅନୁଧ୍ୟାନ କରୁନାହାନ୍ତି। ଜଙ୍ଗଲ ବିଭାଗର ମନ୍ତ୍ରୀ, ମୁଖ୍ୟସଚିବଙ୍କଠାରୁ ଆରମ୍ଭ କରି ବିଭାଗୀୟ ସଚିବ, ପିସିସିଏଫ୍‌, ଡିଏଫ୍‌ଓମାନେ ଶୀତତାପ ନିୟନ୍ତ୍ରିତ(ଏସି) କୋଠରୀରେ ବସି ନିୟମ ଓ ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର ତାହା ସଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ସେନେଇ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଉନାହିଁ।

publive-image

ଉଲ୍ଲେଖଥାଉକି, ଚଳିତବର୍ଷ ଏବେ ସୁଦ୍ଧା ହଜାରରୁ ଅଧିକ ଜୀବଜନ୍ତୁ ଶିକାରୀଙ୍କ ପଞ୍ଝାରେ ପଡ଼ିଛନ୍ତି। ସେଥିମଧ୍ୟରୁ କଲରାପତରିଆ, ବାର୍‌ହା, ସମ୍ବର, ମୟୂର, ବଜ୍ରକାପ୍ତା, କୋକିଶିଆଳିଙ୍କ ସଂଖ୍ୟା ଅଧିକ। ଏମାନଙ୍କ ବ୍ୟତୀତ ହାତୀ ବି ଶିକାରୀଙ୍କଠାରୁ ବଞ୍ଚି ପାରି ନାହାନ୍ତି। ସୁନ୍ଦରଗଡ଼, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, ଖୋର୍ଧା, ବରଗଡ଼, ସମ୍ବଲପୁର, ଗଞ୍ଜାମ ପ୍ରଭୃତି ଜିଲ୍ଲାରେ ଅଧିକ ଶିକାରୀ ଗିରଫ ହୋଇଛନ୍ତି। ଶିମିଳିପାଳ ଓ ସାତକୋଶିଆ ଅଭୟାରଣ୍ୟ ଶିକାରୀଙ୍କ ଚରାଭୂଇଁ ପାଲଟିଥିଲେ ମଧ୍ୟ ସେମାନଙ୍କ ଉପରେ କୌଣସି ପ୍ରକାର ରୋକ୍‌ ଲଗା ଯାଇପାରୁ ନାହିଁ। ଆଗକୁ ଶୀତ ଋତୁ ଆରମ୍ଭ ହେବାକୁ ଥିବାରୁ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ଓଡ଼ିଶାରେ ବଢ଼ିବ। ଚିଲିକା ଓ ଭିତରକନିକାକୁ ବହୁତ ବିଦେଶୀ ପକ୍ଷୀ ଆସିବାକୁ ଥିବାରୁ ଶିକାରୀଙ୍କ କବଳରୁ ସେମାନଙ୍କ ସୁରକ୍ଷା ମଧ୍ୟ ବଡ଼ ଆହ୍ବାନ ସୃଷ୍ଟି କରିଛି।

publive-image