୬୦ଟି ସ୍ଥାନରେ ଜଙ୍ଗଲ ନିଆଁ ଆୟତ୍ତ, ଏବେ ବି ୧୫୪ଟି ସ୍ଥାନରେ ଜଳୁଛି

ଭୁବନେଶ୍ବର : ଜଙ୍ଗଲରୁ ଲିଭୁଛି ନିଆଁ। ଗୁରୁବାର ଓଡ଼ିଶା ଜଙ୍ଗଲର ୨୧୪ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍ଆଇ)ର ସାଟେଲାଇଟ୍‌ ଇମେଜ୍‌ରୁ ସୂଚନା ମିଳିଥିଲା। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬୦ଟି ସ୍ଥାନରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ଅଧିକାରୀମାନେ ସକ୍ଷମ ହୋଇଛନ୍ତି। ବିଶେଷକରି ବାରିପଦା ସର୍କଲର ଅଧିକାଂଶ ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇପାରିଛି। ତା’ ପରେ ବି ଆହୁରି ବାରିପଦା ସର୍କଲର ରାଇରଙ୍ଗପୁର ଓ ବାରିପଦା ଡିଭିଜନ୍‌ର ୪ଟି ସ୍ଥାନରେ ଏବେ ବି ନିଆଁ ରହିଛି। ଏହାବ୍ୟତୀତ ଅନୁଗୁଳ ସର୍କଲର କଟକ ଡିଭିଜନ୍‌ରେ ଥିବା ଟମକା ରେଞ୍ଜ୍‌ର କେତେକ ସ୍ଥାନରେ ଗତ ୧ ତାରିଖଠାରୁ ନିଆଁ ଜଳୁଛି ଯେ ଆଜି ପର୍ଯ୍ୟନ୍ତ ଆୟତ୍ତକୁ ଆସି ପାରିନାହିଁ। ସେହିପରି ରାଉରକେଲା ସର୍କଲର ଦେବଗଡ଼, କେନ୍ଦୁଝର ଡିଭିଜନ୍‌ର ଅଧିକାଂଶ ସ୍ଥାନରେ ଏବେ ବି ନିଆଁ ବଳବତ୍ତର ରହିଛି। ନୟାଗଡ଼, କୋରାପୁଟ, ରାୟଗଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର, ବରଗଡ଼, ବୌଦ୍ଧ, ସୋନପୁର ଜିଲ୍ଲାର କେତେକ ଜଙ୍ଗଲ ଆଜି ବି ଜଳୁଥିବା ସୂଚନା ମିଳିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଆଜି ବି ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଅଧିକାଂଶ ଜଙ୍ଗଲ ଜଳୁଛି। ଏଫ୍‌ଏସ୍ଆଇ ତଥ୍ୟ ଅନୁଯାୟୀ, ଆଜି ଦିନରେ ଦେଶର ୬୫୦ଟି ସ୍ଥାନରେ ଜଙ୍ଗଲ ଜଳୁଛି। ସେଥିମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୧୫୪ଟି ସ୍ଥାନରେ ନିଆଁର ପ୍ରକୋପ ରହିଛି। ଓଡ଼ିଶା ତଳକୁ ତେଲେଙ୍ଗାନାରେ ୧୦୭, ଆନ୍ଧ୍ରପ୍ରଦେଶର ୮୧, ମଧ୍ୟପ୍ରଦେଶର ୫୪, ମହାରାଷ୍ଟ୍ରର ୪୪, ଝାଡ଼ଖଣ୍ଡର ୪୨, ଛତିଶଗଡ଼ର ୩୩, କର୍ଣ୍ଣାଟକର ୨୩, ମିଜୋରାମର ୨୨, ମଣିପୁରର ୧୯, ଉତ୍ତରାଖଣ୍ଡର ୧୮ ଓ ପଶ୍ଚିମବଙ୍ଗର ୧୮ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ନଜରକୁ ଆସିଛି। ଗତ ତିନି ଦିନ ମଧ୍ୟରେ ଓଡ଼ିଶାର ୩୯୫ଟି ସ୍ଥାନରେ ଜଙ୍ଗଲ ନିଆଁ ରହିଥିଲା। ଯେତେବେଳେ କି ଏହି ସମୟ ମଧ୍ୟରେ ସାରା ଦେଶରେ ୧୧୯୦ଟି ସ୍ଥାନରେ ନିଆଁ ଲାଗିଥିଲା। ମଧ୍ୟପ୍ରଦେଶ(୧୦୧)କୁ ଛାଡ଼ି ଦେଲେ ଅନ୍ୟ ରାଜ୍ୟରେ ଏହି ତିନି ଦିନରେ ଜଙ୍ଗଲ ନିଆଁ ସଂଖ୍ୟା ଶହେ ଭିତରେ ରହିଥିଲା।

ସମ୍ବନ୍ଧିତ ଖବର