ବନ ବିଭାଗ ଗୁମର: ଭିଜିଲାନ୍ସ ମାମଲାରେ ଦଣ୍ଡିତ ବନାଞ୍ଚଳ ଅଧିକାରୀ ଚାକିରିରେ!

ଫୁଲବାଣୀ ଭିଜିଲାନ୍ସ କୋର୍ଟ ଶୁଣାଇଛନ୍ତି ୩ ବର୍ଷ ଜେଲ୍

ସୁନ୍ଦରଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଧିକାରୀ ଦୋଷୀ ସାବ୍ୟସ୍ତ ହେଲେ, ୩ ବର୍ଷ ଜେଲ ଦଣ୍ଡ ସହ ୧ ଲକ୍ଷ ଜରିମାନା ଆଦେଶ ହେଲା। ତେବେ ବିସ୍ମୟକର କଥା, କୋର୍ଟ ରାୟକୁ ୨୭ ଦିନ ବିତିଯାଇଥିଲେ ମଧ୍ୟ ବିଭାଗ ତାଙ୍କ ଉପରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଆଉ ଅଧିକାରୀ ଜଣକ ଏବେ ବି ଚାକିରି କ୍ଷେତ୍ର‌ରେ ବେଶ ଆରାମରେ ଅଛନ୍ତି। ରାଜ୍ୟ ବନ ବିଭାଗର ଏ ଗୁମର ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଜେଲ୍‌ ଦଣ୍ଡ ପାଇଥିବା ଅଧିକାରୀ ଜଣକ ହେଲେ ସୁନ୍ଦରଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ଗାଁ ବନାଞ୍ଚଳ ଅଧିକାରୀ ଦିଲୀପ କୁମାର ଦିଗାଲ। ୨୦୧୧ରେ ବୌଦ୍ଧ ବନଖଣ୍ଡ ପୁରୁଣାକଟକ ବନାଞ୍ଚଳ ଦାୟିତ୍ବରେ ଥିବା ବେଳେ ତାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ଉ ବେଳେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ବେକ୍ରା ଗାଁରେ ତାଙ୍କ ନିଜ ଘର, ଫୁଲବାଣୀ କବରଖାନା ସାହିରେ ଏକ ବିଶାଳ ଦ୍ବିତଳ ପ୍ରାସାଦ, ଭୁବନେଶ୍ବର ନୀଳାଦ୍ରିବିହାରରେ ଏକ ୩ ମହଲା କୋଠା ଥିବା ଭିଜିଲାନ୍ସ ଠାବ କରିଥିଲା। ଆୟ ଠାରୁ ୪୫ ଲକ୍ଷରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠୁଳ କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଏ ନେଇ ୨୦୧୧ ସେପ୍ଟେମ୍ବର ୨୩ରେ ଭିଜିଲାନ୍ସ ଅଧିକାରୀ ଦିଲୀପ ଓ ତାଙ୍କ ପତ୍ନୀ ସୁଜାତା ନାଏକଙ୍କ ନାମରେ ମାମଲା ରୁଜୁ କରିଥିଲା।

ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଶୁଣାଣି ଚାଲିଥିବାବେଳେ ୪୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜୁନ ୩୦ରେ ଅଧିକାରୀ ଶ୍ରୀ ଦିଗାଲ ଓ ତାଙ୍କ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ୧ ଲକ୍ଷ ଜରିମାନା ଆଦେଶ କରିଥିଲେ। ଜରିମାନା ଅର୍ଥ ଅନାଦେୟରେ ଜେଲଦଣ୍ଡକୁ ଆଉ ଅଧିକ ୬ ମାସ ବୃଦ୍ଧି କରିବାକୁ ଆଦେଶ କରିଥିଲେ କୋର୍ଟ। ନିୟମ ଅନୁସାରେ, ସରକାରୀ କର୍ମଚାରୀ କୌଣସି ଅପରାଧିକ ମାମଲାରେ ଗିରଫ ହେଲେ କିମ୍ବା ଦଣ୍ଡିତ ହେଲେ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ତୁରନ୍ତ ନିଲମ୍ବିତ ବା ବହିଷ୍କାର କରାଯିବା କଥା। କିନ୍ତୁ ଶ୍ରୀ ଦିଗାଲ ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ପାଇବା ପରେ ମଧ୍ୟ ବନବିଭାଗ ତୁରନ୍ତ ତାଙ୍କୁ କାର୍ଯ୍ୟରୁ ଅନ୍ତର ନକରି ନିରବ ରହିଛି। ଆଉ ୨୭ ଦିନ ପରେ ବି ଅଧିକାରୀ ସରକାରୀ ଚାକିରିରେ ରହିଛନ୍ତି। ଦୁର୍ନୀତି ପ୍ରତି ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ମଧ୍ୟରେ ବନ ବିଭାଗର ଏ ବିପରୀତ ଆଚରଣ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର