ଫେରିଲେ ନିଖୋଜ ପୂର୍ବତନ ଆସିକା ବିଧାୟକ, ମାନସିକ ପୂରଣ ପାଇଁ ରାମେଶ୍ବରମ୍‌ ଯାଇଥିଲେ

ଭୁବନେଶ୍ବର: ନିଖୋଜ ଥିବା ଗଞ୍ଜାମ ଜିଲ୍ଲା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଆଜି ଘରକୁ ଫେରିଛନ୍ତି। କ୍ୟାପିଟାଲ୍‌ ଥାନା ପୁଲିସ ତାଙ୍କୁ ରାମେଶ୍ବରମରୁ ବ୍ରହ୍ମପୁର ଓ ବ୍ରହ୍ମପୁରରୁ ରାଜଧାନୀକୁ ଆଣିଛି। ଏହାସହିତ ତାଙ୍କୁ ନେଇ ପ୍ରଚାର ହେଉଥିବା ବିଭିନ୍ନ ପ୍ରକାର ଗୁଜବର ଅନ୍ତ ଘଟିଛି। ତାଙ୍କୁ କେହି ଅପହରଣ କରିନଥିଲେ, ବରଂ ‌ନିଜ ଇଚ୍ଛାରେ ‌କାହାକୁ ନ ଜଣାଇ ସେ ରାମେଶ୍ବରମ ଯାଇଥିଲେ। ଫେରିବା ପରେ ସରୋଜ ଆଜି କହିଛନ୍ତି, ସେ ଠାକୁରୁଙ୍କ ପାଖରେ ମାନସିକ କରିଥିଲେ। ତେଣୁ ଘରେ କାହାକୁ କିଛି ନ କହି ଟ୍ରେନ୍‌ରେ ରାମେଶ୍ବରମ୍‌ ଚାଲି ଯାଇଥିଲେ। ‌ସେ ଯିବା ସମୟରେ ଖୋର୍ଦ୍ଧା ନିକଟରେ ତାଙ୍କ ଫୋନ୍‌ ଚୋରି ହୋଇଯିବାରୁ କାହା ସହ ଯୋଗାଯୋଗ କରିପାରିନଥିଲେ। ଦର୍ଶନ ପରେ ଘରକୁ ଫୋନ୍‌ କରି ଫେରିବା କଥା ଜଣାଇଥିଲେ।

ପ୍ରକାଶଥାଉ କି ଗତ ୧୨ତାରିଖ ସକାଳେ ସରୋଜ ଭୁବନେଶ୍ବର ୟୁନିଟ୍‌-୬ ସ୍ଥିତ ରାଧାକ୍ରିଷ୍ଣ ଏନ୍‌କ୍ଲେଭ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲେ। ସରୋଜଙ୍କ ନିଖୋଜ ସଂପର୍କରେ ତାଙ୍କ ପୁଅ ଅଭିଯୋଗ କରିବାରୁ କ୍ୟାପିଟାଲ୍‌ ଥାନା ପୁଲିସ ତନାଘନା ଆରମ୍ଭ କରିଥିଲା। ଘରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା। ସେଥିରେ ସେ ଘରୁ ବାହାରକୁ ଚାଲି ଚାଲି ଯାଉଥିବାର ଦୃଶ୍ୟ ରହିଥିଲା। ନିଖୋଜ ଦୁଇଦିନ ପରେ ସରୋଜ ଘର ନମ୍ବରକୁ କଲ୍‌ କରି ରାମେଶ୍ବରରେ ଥିବା ଜଣାଇଥିଲେ। ହେଲେ ଏହାପରେ ଆଉ ଯୋଗାଯୋଗ ହୋଇପାରି ନଥିଲା। ଫୋନ୍‌ କଲ୍‌ ଆସିଥିବା ନମ୍ବରକୁ ଟ୍ରାକିଂ କରି ପୁଲିସର ଏକ ଟିମ୍‌ ଚେନ୍ନାଇରେ ଡେରା ପକାଇଥିଲା। ଦୁଇ ଦିନ ଧରି ଖୋଜାଖୋଜି ପରେ ଶେଷରେ ଗତକାଲି ତାଙ୍କୁ ଠାବ କରାଯାଇଥିଲା।

ସମ୍ବନ୍ଧିତ ଖବର