ପାତ୍ରପୁର : କୌଣସି ଅଭାବ କି, ଅସୁବିଧା ନାହିଁ। ବରଂ ସ୍ବାଭିମାନର ସହ ସ୍ବାବଲମ୍ବୀ ହେବା ଓ ନିଜ ପରିବାର ପ୍ରତିପୋଷଣ ପାଇଁ ଚାହା ଦୋକାନ କରି ଦିନ କାଟୁଛନ୍ତି ପୂର୍ବତନ ସରପଞ୍ଚ। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପାତ୍ରପୁର ବ୍ଲକ୍ ବି.ନୂଆଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଧବଳେଶ୍ବର ସାହୁ (୪୨) ଏଥିପାଇଁ ଚର୍ଚ୍ଚାକୁ ଆସିଛନ୍ତି। ନିଜ ଘର ନିକଟରେ ଚାହା ‌ସହ ବିସ୍କୁଟ୍, ଚକୋଲେଟ୍, ତେଲ ଓ ସାବୁନ୍ ଆଦି ବିକୁଛନ୍ତି।

Advertisment

ଧବଳେଶ୍ବରଙ୍କ ସହ ଆଜି ଦେଖା ହେବାରୁ ସେ ନିଜ ଜୀବନର ଅନୁଭୂତି ଓ ସଂଘର୍ଷ କଥା ଆମ ସାମ୍ନାରେ ବ‌ଖାଣିଥିଲେ। ନିଜ ଅଞ୍ଚଳ ପାଇଁ କିଛି କରିବା ଲକ୍ଷ୍ୟ ନେଇ ସେ ରାଜନୀତି ଆଡ଼କୁ ଆକର୍ଷିତ ହୋଇଥିଲେ। ଏଥିପାଇଁ ୨୦୧୨ ମସିହାରେ ବି.ନୂଆଗାଁ ପଞ୍ଚାୟତରୁ ଗୋଟିଏ ରାଜନୈତିକ ଦଳର ସରପଞ୍ଚ ପଦରେ ଛିଡ଼ା ହୋଇ ବିଜୟୀ ହୋଇଥିଲେ। ଏହାପରଠୁ ୨୦୧୫ ମସିହାରେ ଆଉ ଏକ ଦଳରେ ଯୋଗ ଦେଇଥି‌ଲେ। ନିଜ କାର୍ଯ୍ୟକାଳ ଭିତରେ ୨ ଶହରୁ ଅଧିକ ପରିବାରଙ୍କୁ ବିଜୁ ପକ୍କା ଘର ଓ ଇନ୍ଦିରା ଆବାସ ଯୋଜନାରେ ସାମିଲ କରାଇପାରିଥିଲେ। ଏହାସହ ପ୍ରାୟ ୩୦୦ ବିଭିନ୍ନ ବର୍ଗର ହିତାଧିକାରୀଙ୍କ ପାଇଁ ଭତ୍ତା, ଗରିବଙ୍କୁ ରାସନକାର୍ଡ଼ ଓ ସ୍ବଚ୍ଛ ଅଭିଯାନରେ ଅନେକ ପରିବାରକୁ ପାଇଖାନା ଯୋଗାଇ ଦେଇଥିଲେ। ଅନେକ ପରିବାରକୁ ଉଜ୍ଜ୍ବଳା ଯୋଜନାରେ ସାମିଲ କରିବାରେ ସଫଳ ହୋଇଥିବା ସହ ବି.ନୂଆଗାଁ, ଜୟପୁର, ପମାଗାଁ, ସି.ଶରଧାପୁର ଓ ବି.ଶରଧାପୁର ଗ୍ରାମ ନଦୀପଠାର ଉନ୍ନତୀକରଣ କରିଥିଲେ। ତେବେ ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ବେ ବି.ନୂଆଗାଁ ଗ୍ରାମର ଅଧିକାଂଶ ଲୋକଙ୍କ ପଟ୍ଟା ହୋଇ ନପାରିବାରୁ ତାଙ୍କ ମନରେ ଅବସୋସ ରହିଯାଇଥିଲା।

ତେବ‌େ କାର୍ଯ୍ୟକାଳ ସରିବା ପରେ ଧବଳେଶ୍ବର ୨୦୧୮ରେ କାମ କରିବାକୁ ଦୁବାଇ ପଳାଇଥିଲେ। ୨୦୨୦ରେ କରୋନା ମହାମାରୀର ପ୍ରାଦୁର୍ଭାବ ହେତୁ ଭିଟାମାଟିକୁ ଫେରିଥିଲେ। କଷ୍ଟେମଷ୍ଟେ ଦୁଇ ସନ୍ତାନଙ୍କ ଲାଳନପାଳନ କରିଥିଲେ। ଝିଅ ଚଳିତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ପୁଅ ସପ୍ତମ ଶ୍ରେଣୀରେ ପଢ଼ୁଛି। ଶେଷରେ ରାଜନୀତି ଓ ଦଳୀୟ ସଂଗଠନ କାର୍ଯ୍ୟ ଛାଡ଼ି ଧବଳେଶ୍ବର ତାଙ୍କ ଘର ଆଗରେ ଚାହା ଦୋକାନ ଖୋଲିଛି। ସେଥିରୁ ଯାହା ମିଳୁଛି ପରିବାର ପ୍ରତିପୋଷଣ ହେଉଛି। କାହା ପାଖରେ ବି ସେ ହାତ ପାତିବାକୁ ସେ ଠିକ୍ ମଣୁନାହାନ୍ତି। ଚଳିତବର୍ଷ ବି ସେ ପଞ୍ଚାୟତ ନିର୍ବାଚନରେ କିଛି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। କିନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ଭାବେ ରାଜନୀତିରୁ ଦୂରେଇ ଯାଇଛନ୍ତି।

ଚାହା ଦୋକାନ ଖୋଲିବା ନିଷ୍ପତ୍ତିକୁ ନେଇ ଧବ‌ଳେଶ୍ବର କହନ୍ତି, ଦୀର୍ଘବର୍ଷ ହେଲା ସେ ଯେଉଁ ରାଜନୈତିକ ଦଳକୁ ସମର୍ଥନ ଯୋଗାଇଆସୁଥିଲେ ସେଠାରୁ ତାଙ୍କୁ କୌଣସି ପ୍ରକାର ସହାନୁଭୂତି କି ସମ୍ମାନ ମିଳିଲାନି। ଆଜିକାଲି ରାଜନୀତିକୁ କେବଳ ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ଅସ୍ତ୍ର କରାଯାଉଛି।  ଫଳରେ ସେ ଦଳୀୟ ସଂଗଠନରୂ ଦୂରେଇ ଯାଇ ସ୍ବାଭିମାନର ସହ ବଞ୍ଚିବାକୁ ଚାହା ଦୋକାନ ଖୋଲିଛନ୍ତି। ଏଥିରେ ମୋର କିଛି ଦୁଃଖ ନାହିଁ। ବରଂ ଗ୍ରାହକ ଖୁସି ହେଲେ ମୋତେ ଆତ୍ମସନ୍ତୋଷ ମିଳୁଛି ବୋଲି ଧବଳେଶ୍ବର କହିଛନ୍ତି।