ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଇଁ ମୂଳଦୁଆ ପଡ଼ିଲା: ପିଲାର୍ ପାଇଁ ଉଠିଲା ରଡ୍, ଡିପିଆର୍ ପଠାଯାଇନି କି ଅନୁମତି ମିଳିନି
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କୌଣସି ଅନୁମତି କି ଏନ୍ଓସି ଦିଆଯାଇନି। ଗତକାଲି ହାଇକୋର୍ଟଙ୍କୁ ଦାଖଲ ସତ୍ୟପାଠରେ ଏହା କହି ସାରିଛି ପ୍ରତ୍ନତତ୍ତ୍ବ ବିଭାଗ। ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ବି ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବା ସ୍ପଷ୍ଟ କରିସାରିଛି। ଏହାସତ୍ତ୍ବେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବଡ଼ କଥା ହେଲା, ଯେଉଁ ଏନ୍ଓସି ଜିଲ୍ଲା ପ୍ରଶାସନ ମୂଳରୁ ଦେଖାଇ ଆସୁଛି, ସେଥିରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଇଁ ସ୍ବତନ୍ତ୍ର ଡିପିଆର୍ ପଠାଇ ଅନୁମତି ମାଗିବାକୁ କୁହାଯାଇଥିଲା। କିନ୍ତୁ, ସେଭଳି କିଛି ଡିପିଆର୍ ନ ପଠାଇ ଓ ଅନୁମତି ନ ପାଇ ନିର୍ମାଣ କାର୍ଯ୍ୟ ଜାରି ରଖିଛି ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍।
ଶ୍ରୀମନ୍ଦିର କାର୍ଯ୍ୟାଳୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଧ୍ୟରେ ଆସୁନି। କିନ୍ତୁ ଏହା ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ପରିଧି ଅର୍ଥାତ୍ ନିଷିଦ୍ଧାଞ୍ଚଳରେ ଆସୁଛି। ପୂର୍ବରୁ ଯେତେବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିପିଆର୍ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ ପ୍ରକଳ୍ପକୁ ମିଶାଇ ଏନ୍ଏମ୍ଏକୁ ଜିଲ୍ଲା ସଂସ୍କୃତି ବିଭାଗ ପଠାଇଥିଲା, ସେ ସମୟରେ ଏନ୍ଏମ୍ଏ ଏହା ଉପରେ ଆପତ୍ତି ଉଠାଇଥିଲା। ଯେହେତୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ଆସୁନି, ସେଥିପାଇଁ ଭିନ୍ନ ଭାବେ ଡିପିଆର୍ ପଠାଇବାକୁ କୁହାଯାଇଥିଲା। ସେଭଳି କିଛି ନ କରି ବେଆଇନ୍ ଭାବେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ ଜାରି ରଖିଛି ଠିକା ସଂସ୍ଥା । ପ୍ରଥମେ ବାଲି ପୋତି ବାହାନା କରୁଥିବା ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଏବେ କଂକ୍ରିଟ୍ କାମକୁ ଜୋରଦାର କରିଛି। ପ୍ରଥମେ ନିଅଁ ଓ ଡିପିସି ପଡ଼ିବା ପରେ ବାଲି ଓ ମାଟି ପକାଇ ପୋତି ଦିଆଗଲା। ଏବେ, ଏହାଉପରେ ରଡ୍ ବାଇଣ୍ଡିଂ କରି କଂକ୍ରିଟ୍ର ବିସ୍ତୃତ ଚଟାଣ ତିଆରି କରାଯାଇଛି। ଏହାପରେ ପିଲାର୍ ଉଠିବା ପାଇଁ ଖନନ କରି ରଡ୍ ବାଇଣ୍ଡିଂ କାମ ଶେଷ ହୋଇଛି। ୧୫ରୁ ଅଧିକ ପିଲାର ପାଇଁ ରଡ୍ ଛିଡ଼ା କରାଯାଇଥିବା ବେଳେ ଦିନେ ଦୁଇଦିନ ଭିତରେ ଏହାର କାମ ସାରି ଛାତ ପକାଇବାକୁ ପ୍ରସ୍ତୁତି ଚାଲିଛି।