ଭୁବନେଶ୍ବର: ‘ଆମକୁ ଲାଗୁଛି ମଣିଷର କେବଳ ଜୀବନ ଅଛି। ପଶୁ, ପକ୍ଷୀ, ବୃକ୍ଷଙ୍କ କଥା ବି ଭାବିବାକୁ ପଡ଼ିବ। କାରଣ ପୃଥିବୀରେ ଯଦି କେବଳ ମଣିଷ ଏକା ରହେ, ତେବେ ସବୁ ଶୂନ୍ୟ ଲାଗିବ। ଏଥିପାଇଁ ଆମକୁ ସମସ୍ତଙ୍କ ଜୀବନକୁ ରକ୍ଷା କରି ବଞ୍ଚିବାକୁ ହେବ। ଆମେ ପୃଥିବୀରୁ ସବୁ ଭଲ ଜିନିଷ ନେଇ ଖରାପ ଜିନିଷ ଦେଉଛେ। ତେଣୁ ଭଲ ନେଇ ଭଲ ଫେରାଇବାର ଅଭ୍ୟାସ ଆରମ୍ଭ କରିବାକୁ ହେବ।’ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ବାର୍ଷିକ ଉତ୍ସବ ଅବସରରେ ହୋଟେଲ୍‌ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ତିନିଦିନିଆ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏମିତି ଆହ୍ବାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ପୃଥିବୀ ପାଇଁ ଏବେ ୩ଟି ବିପଦ ସୃଷ୍ଟି ହୋଇଛି। ପ୍ରଥମଟି ହେଉଛି- ବିକାଶ ଯୋଗୁ ପୃଥିବୀର ତାପମାତ୍ରା ଉପରେ ପ୍ରଭାବ ପଡ଼ୁଛି। ଦ୍ବିତୀୟରେ ଆଧୁନିକ ପଦ୍ଧତି ଓ ଜ୍ଞାନକୌଶଳ ବ୍ୟବହାର ଯୋଗୁ ଜମି ମରୁଭୂମିମୁହାଁ ହେଲାଣି। ତୃତୀୟଟି ହେଉଛି, ଲଗାତାର ଜୈବ ବିବିଧତା କ୍ଷୟ ଜନଜୀବନକୁ ପ୍ରଭାବିତ କରୁଛି। ଏହା ଭବିଷ୍ୟତ ପିଢ଼ି ପାଇଁ ବିପଦଜନକ। ଏମିତିରେ ବି ଆମେ ପୃଥିବୀରୁ ଶୁଦ୍ଧ ପବନ ନେଉଛୁ କିନ୍ତୁ ଦୂଷିତ ବାୟୁ ଦେଉଛୁ। ବିଶୁଦ୍ଧ ପାଣି ବ୍ୟବହାର କରୁଛୁ କିନ୍ତୁ ଦୂଷିତ ପାଣି ଦେଉଛୁ। ସାର ଓ କୀଟନାଶକ ବ୍ୟବହାର କରି ଭଲ ମାଟିକୁ ଖରାପ କରୁଛୁ। ଆମକୁ ଏହି ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ହେବ। 

Advertisment

‘ପୁନଶ୍ଚ ପୃଥିବୀ’ ଆନ୍ଦୋଳନ ଆସନ୍ତା ୧୨ବର୍ଷ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍ ୨୦୨୪ରୁ ୨୦୩୬ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଯୋଡ଼ିବା ନେଇ ସମ୍ବାଦ ଗ୍ରୁପ ନେଇଥିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରି କେନ୍ଦ୍ରମନ୍ତ୍ରୀ କହିଥିଲେ, ବିନା ଶକ୍ତିରେ ମନୁଷ୍ୟ ବଞ୍ଚିବା କଷ୍ଟକର। ‌ହେଲେ ଏହାଜନିତ ସୃଷ୍ଟି ହେଉଥିବା ସଙ୍କଟ ଓ ସମସ୍ୟାରୁ କିଭଳି ସମାଧାନ ବାହାରିବ, ସେନେଇ ସରକାର ବାଟ ବାହାର କରୁଛନ୍ତି। ହେଲେ ନୂଆ ଷ୍ଟାର୍ଟଅପ୍‌ଗୁଡ଼ିକୁ ଶକ୍ତି ସଂରକ୍ଷଣ ଦିଗରେ କାମ କରିବାକୁ ହେବ। ଆମେ ପାଣି, ଖାଦ୍ୟ ଯେପରି ନଷ୍ଟ କରୁଛେ ତାହାକୁ କମାଇବାକୁ ହେବ। ଶିଳ୍ପ ଓ ଖଣି କ୍ଷେତ୍ରରେ ଆମକୁ ଏପରି ଜ୍ଞାନକୌଶଳ ଉପ‌ଯୋଗ କରିବାକୁ ହେବ, ଯେପରି ସେଠାରେ ଅକ୍ଷୟ ଶକ୍ତି ବ୍ୟବହାର ହୋଇପାରିବ। ଆମେ ଯେତେ ବିକାଶ କଲେ ବି ପ୍ରକୃତି ଉପରେ ନିର୍ଭରଶୀଳ। ତେଲ, ଖାଦ୍ୟ, ଶକ୍ତି, ଔଷଧ, କସମେଟିକ୍ ସମାଗ୍ରୀ ପାଇଁ ଆମକୁ ପ୍ରକୃତି ଉପରେ ନିର୍ଭର କରିବାକୁ ପଡ଼ିବ। ଏସବୁ ସତ୍ତ୍ବେ ଆମେ ପ୍ରକୃତିକୁ ନଷ୍ଟ କରିଚାଲିଛୁ। ୫୦ହଜାର ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦକୁ ନଷ୍ଟ କରିସାରିଲୁଣି। ଏବେ ସମୟ ଆସିଛି,  ଆମକୁ ଜୈବବିବିଧତାର ସୁରକ୍ଷା ପାଇଁ ସଂକଳ୍ପ ନେବାକୁ ପଡ଼ିବ।

ସମ୍ବାଦର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ, ଆମେ ସମସ୍ତେ ବିକାଶ ପଛରେ ବାୟା। ହେଲେ ବିକାଶ ହିଁ ବିନାଶର କାରଣ ପାଲଟିଛି। ଆମକୁ ବିକଳ୍ପ ବିକାଶ କଥା ଚିନ୍ତା କରିବାକୁ ପଡ଼ିବ, ଯେଉଁଥିରେ ବିନାଶ କମ୍‌ ହେବ। ‘ସମ୍ବାଦ’ ସଦାବେଳେ କିଛି ନୂଆ କଥା କରିବାରେ ବିଶ୍ୱାସ କରେ। ‘ପୁନଶ୍ଚ ପୃଥିବୀ’ ଅଭିଯାନ କେବଳ ମଣିଷକୁ ମଣିଷ ସହ ଯୋଡ଼ିବନି ବରଂ ଆମ ସମସ୍ୟାର ସମାଧାନକୁ ନିକଟତର କରିବା ପାଇଁ ଚେଷ୍ଟା କରିବ। ପ୍ରତି ଘରେ ପରିବେଶ ଚିନ୍ତା ହେବା ଦରକାର। ସମସ୍ତେ ନିଜ ପିଲାଙ୍କୁ ଜଳବାୟୁ ପରିବର୍ତ୍ତନର ସମସ୍ୟା ଓ ନିରାକରଣ ନେଇ ସଚେତନ କରିବାକୁ ପଡ଼ିବ। ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ ତାଙ୍କ ସ୍ବାଗତ ଭାଷଣରେ କହିଥିଲେ, ୨୦୨୧ ମସିହାରେ ଆରମ୍ଭ ହୋଇଥିବା ‘ପୁନଶ୍ଚ ପୃଥିବୀ’  ଆଜି ଆନ୍ଦୋଳନରେ ପରିଣତ ହୋଇଛି। ପରିବେଶ ଓ ଜଳବାୟୁ ସମ୍ପର୍କିତ ସଚେତନତାକୁ ସରଳ ଭାଷାରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛୁ। ୫୦ଦିନରେ ୧୪୦ଟି ନିର୍ବାଚନ ମଣ୍ଡଳୀରେ  ବିଧାୟକମାନଙ୍କୁ ନେଇ ‘କ୍ଲାଇମେଟ୍‌ ପଞ୍ଚାୟତ’ ଆୟୋଜନ କରିବା ସହ ସ୍ଥାନୀୟ ଲୋକ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ପ୍ରତିବର୍ଷ ସମ୍ବାଦ ଗ୍ରୁପ ୬୦ ଦିନ ପ୍ରତ୍ୟକ୍ଷ ଭାବେ ଏହି ଅଭିଯାନରେ ସାମିଲ ହେବ। ବାକି ଦିନଗୁଡ଼ିକରେ ରାଜ୍ୟବାସୀଙ୍କ ପରିବେଶ ଆନ୍ଦୋଳନକୁ ଅବଶିଷ୍ଟ ଲୋକଙ୍କ ପାଖରେ ପହଞ୍ଚାଇବାରେ ପ୍ରମୁଖ ମାଧ୍ୟମ ସାଜିବ ବୋଲି କହିଥିଲେ ଶ୍ରୀମତୀ ପଟ୍ଟନାୟକ।

ସମ୍ବାଦ  ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କହିଥିଲେ, ‘ସମ୍ବାଦ’ ପରିବାର ପକ୍ଷରୁ ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବାକୁ ଅନେକ କାର୍ଯ୍ୟକ୍ରମ ହୁଏ। ମାତ୍ର ଏହି କାର୍ଯ୍ୟକ୍ରମ ପୂରା ପୃଥିବୀକୁ ଯୋଡ଼ିବାକୁ ହୋଇଛି । ପୁନଶ୍ଚ ପୃଥିବୀ ଅଭିଯାନରେ ସାମିଲ ହେବାକୁ ଏହା ଆମ ସମସ୍ତଙ୍କ ପାଇଁ ଏକ ସୁଯୋଗ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ସକ୍ରେଟସ୍‌ ଓ ବକୁଳ ଫାଉଣ୍ଡେସନ୍‌ ପକ୍ଷରୁ ଯଥାକ୍ରମେ ଦେବଜିତ୍‌ ମିତ୍ର ଓ ସୁଜିତ ମହାପାତ୍ର ପୁନଶ୍ଚ ପୃଥିବୀ ଓ କ୍ଲାଇମେଟ୍‌ ପଞ୍ଚାୟତ ସମ୍ପର୍କରେ ଆଲୋକପାତ କରାଇଥିଲେ। କନକ ନ୍ୟୁଜ୍‌ର ଆସୋସିଏଟ୍‌ ନ୍ୟୁଜ୍‌ ପ୍ରଡ୍ୟୁସର ସ୍ବସ୍ତିକା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ନିଜ କର୍ତ୍ତବ୍ୟ କ’ଣ, ସମସ୍ତେ ଆଗ ଜାଣନ୍ତୁ: ବାଚସ୍ପତି

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଯୋଗଦେଇ କହିଥିଲେ, ୧୮୫୦ ମସିହା ପୂର୍ବରୁ ପୃଥିବୀର ଆକାର, ସ୍ଥିତି ଯାହା ଥିଲା ଏବେ ତାହା ନାହିଁ। ୧୮୫୦ ମସିହାରେ ଶିଳ୍ପାୟନ ଆରମ୍ଭ ହେବା ପରେ ପୃଥିବୀର ପାଣି, ପବନକୁ ପ୍ରଭାବିତ କରିବା ଆରମ୍ଭ ହେଲା। ଶିଳ୍ପ ବିପ୍ଳବ ଜରିଆରେ ଶକ୍ତିର ବ୍ୟବହାର ବଢ଼ିଲା, ବାୟୁମଣ୍ଡଳ ପ୍ରଭାବିତ ହେଲା। ଗତ ୧୦୦ବର୍ଷରେ ସମଗ୍ର ବିଶ୍ବର ତାପମାତ୍ରା ୧.୧୫ଡିଗ୍ରି ସେଲସିୟସ ବଢ଼ିଥିବାବେଳେ ଆମ ଦେଶରେ ଏହା ୦.୬୬ ଡିଗ୍ରି ବଢ଼ିଛି। ଦିନ ଓ ରାତି ତାପମାତ୍ରାରେ ବଡ଼ ବ୍ୟବଧାନ ସୃଷ୍ଟି ହୋଇଛି। ତାପମାତ୍ରା ବୃଦ୍ଧି କାରଣରୁ ଅତ୍ୟଧିକ ବର୍ଷା, ବନ୍ୟା ଓ ମରୁଡ଼ି ପରିସ୍ଥିତି ବଢ଼ିଯାଇଛି। ବଜ୍ରପାତଜନିତ ମୃତ୍ୟୁ ବି ବଢ଼ୁଛି। 

ଦିନ ଓ ରାତି ତାପମାତ୍ରାରେ ବଡ଼ ବ୍ୟବଧାନ ସୃଷ୍ଟି ହେଲାଣି

ଶ୍ରୀ ମହାପାତ୍ର ଆହୁରି କହିଲେ, ସାରା ବିଶ୍ବ ଏବେ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଛି। ଏପରିକି ପାଣିପାଗ ପୂର୍ବାନୁମାନ ପ୍ରତି ଚ୍ୟାଲେଞ୍ଜ ବଢ଼ିଛି। ଆମକୁ ପୂର୍ବାନୁମାନ ଠିକ୍ କରିବାକୁ ହେଲେ ଅଧିକ ଜ୍ଞାନକୌଶଳ ବ୍ୟବହାର କରି କମ୍‌ ଅଞ୍ଚଳ ପାଇଁ ପୂର୍ବାନୁମାନ କରିବାକୁ ପଡ଼ିବ। ଏହି ଅବସରରେ ସେ ମହାଭାରତର ଉଦାହରଣ ଦେଇ କହିଥିଲେ, ଅଭିମନ୍ୟୁ ଚକ୍ରବ୍ୟୂହରୁ ବାହାରିବା ନଜାଣିକି ବି ମହତ୍‌ ଉଦ୍ଦେଶ୍ୟରେ ଏହା ଭିତରକୁ ପଶିଥିଲା। କିନ୍ତୁ ଆମେ ଜଳବାୟୁ ପରିବର୍ତ୍ତନ ରୂପୀ ଚକ୍ରବ୍ୟୂହରେ ପ୍ରବେଶ ଓ ପ୍ରସ୍ଥାନ ଜାଣିକି ବି ଏଥିରେ କେବଳ ପ୍ରବେଶ କରୁଛୁ, ହେଲେ ବାହାରିବାକୁ ଉଦ୍ୟମ କରୁନେ।

କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ କହିଥିଲେ, ଜଳବାୟୁ ପରିବର୍ତ୍ତନ ନେଇ ଆମେ ସମସ୍ତେ ବିଭିନ୍ନ ଜାଗାରେ ବହୁତ ପରାମର୍ଶ ଦେଉଛୁ। ହେଲେ ପରିବେଶ ପ୍ରଦୂଷଣ ପାଇଁ ‘ମୁଁ’ (ପ୍ରତିଟି ମଣିଷ) କେତେ ଦାୟୀ ତାହା ଜାଣିବା ଦରକାର। ସମସ୍ତେ ନିଜକୁ ନିଜେ ଭାବିବା ଦରକାର। ମୋ ଦ୍ବାରା କ’ଣ ସମ୍ଭବ, ମୋର କର୍ତ୍ତବ୍ୟ କ’ଣ? ପରାମାତ୍ମା ଆମକୁ ନି‌ର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଜନ୍ମ ଦେଇଛନ୍ତି। ଆମେ ଆମ କଥା ଚିନ୍ତା  କଲାବେଳେ ଆମର ପରପିଢ଼ି ଓ ପରିବେଶ ପାଇଁ କିଛି କରିବା ନେଇ ଚିନ୍ତା କରିବାକୁ ପଡ଼ିବ। କାଲିର ଭବିଷ୍ୟତ ପାଇଁ ଆମକୁ ଶୃଙ୍ଖଳିତ ହେବାକୁ ପଡ଼ିବ। ଆମକୁ ଖାଦ୍ୟ ଦରକାର, ଆମର ଶିଳ୍ପାୟନର ବି ଆବଶ୍ୟକତା ଅଛି। ହେଲେ ଯେଉଁଭଳି ଭାବେ ଆମେ କିଛି ଆହରଣ କରୁଛେ, ସେହି ଅନୁସାରେ କିଛି ପରିତ୍ୟାଗ କରିବାକୁ ପଡ଼ିବ।

hkhfhfkhkfkhhkf

ପରିବେଶକୁ ଆଜିଠୁ ରକ୍ଷା ନକଲେ, ଯନ୍ତ୍ରଣା ଜର୍ଜରିତ କରି ମାରିବ: ପ୍ରଫେସର ସୋଲାଙ୍କି

ଏନର୍ଜି ‌େସାଲାଙ୍କି ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରଫେସର ଚେତନ ଏସ୍‌ ସୋଲାଙ୍କି ଅତିଥି ଭାବେ ଯୋଗଦେଇ ତାଙ୍କ ଭିତ୍ତିପ୍ରବନ୍ଧ ଭାଷଣରେ କିପରି ଜଳବାୟୁ ପରିବର୍ତ୍ତନ ପାଇଁ ଆମେ ନିଜେ ଦାୟୀ ତାହା ବୁଝାଇଥିଲେ। ଆମେ ନକହି ‘ମୁଁ’ କିପରି ଜଳବାୟୁ ପରିବର୍ତ୍ତନରେ କାରକ ସାଜିଛି ଏବଂ ‘ମୁଁ’ ହିଁ ଏହାର ନିରାକରଣ କରିବି ସେନେଇ ସେ ତାଙ୍କ ଭାଷଣରେ ବୁଝାଇଥିଲେ। ସେ କହିଥିଲେ, ନୀତି ନିର୍ଦ୍ଧାରଣ, ବୈଷୟିକ ଜ୍ଞାନର ବ୍ୟବହାର, ଅର୍ଥନୈତିକ ଅଭିବୃଦ୍ଧି ଦ୍ବାରା ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ହେବନି। ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି। 

ପୃଥିବୀର ତାପମାତ୍ରା ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି। ଆମ ସମସ୍ତଙ୍କୁ ଆଜିଠୁ ହିଁ ପରିବେଶକୁ ରକ୍ଷା କରିବାକୁ ପଡ଼ିବ, ନହେଲେ ପରିବେଶ ଆମକୁ ଯନ୍ତ୍ରଣା ଜର୍ଜରିତ କରି ମାରିବ। କ୍ୟାନ୍ସରକୁ ଯେପରି କେମୋ ଚିକିତ୍ସା ଦ୍ବାରା ଦୂର କରୁଛେ ସେହିପରି ଜଳବାୟୁ ପରିବର୍ତ୍ତନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ। ଶକ୍ତିର ବହୁଳ ବ୍ୟବହାର ହିଁ ଜଳବାୟୁ ପରିବର୍ତ୍ତନର ବଡ଼ କାରଣ। ଶକ୍ତିର ଖେଳକୁ ବନ୍ଦ କରିବାକୁ ପଡ଼ିବ। ଶ୍ରୀ ସୋଲାଙ୍କି କହିଥିଲେ, ଆମ ଜୀବନ ଶୈଳୀ ଏପରି ହୋଇଛି ‌େଯ ଆମେ ଶକ୍ତି (ଏନର୍ଜି) ବିନା ବଞ୍ଚି ପାରୁନେ। ସକାଳେ ଦାନ୍ତଘଷିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ବ୍ୟବହାର କରୁଥିବା ପ୍ରତିଟି ସାମଗ୍ରୀ ପାଇଁ କେତେ ଏନର୍ଜି ବ୍ୟବହାର ହେଉଛି ଜାଣିଛେ କି? ସମସ୍ତେ ବିକାଶ ପଛରେ ଧାଇଁଛେ। ଆଉ ବିକାଶରେ ବ୍ୟବହାର ହେଉଥିବା ଏନର୍ଜି ହିଁ ଏହି ଜଳବାୟୁ ପରିବର୍ତ୍ତନର ବଡ଼ କାରଣ। 

ମଣିଷ ଶରୀରର ତାପମାତ୍ରା ୨ ଡିଗ୍ରି ବଢ଼ିଗଲେ ଜ୍ୱର ହୋଇଗଲା ବୋଲି କହୁଛେ। ଏବେ ପୃଥିବୀର ତାପମାତ୍ରା ପ୍ରାୟ ୨ ଡିଗ୍ରି ବଢ଼ିଯାଇଛି। ତେବେ ଆମେ ପୃଥିବୀକୁ ଜ୍ୱର ହୋଇଛି ବୋଲି କହିପାରିବା କି? ଆମକୁ ଜ୍ୱର ହେଲେ ଠିକ୍‌ ସେ କାମ କରିପାରୁନେ। ଠିକ୍ ସେମିତି ପୃଥିବୀକୁ ବି ଜ୍ୱର ହୋଇଛି, ତେଣୁ ସେ ଠିକ୍‌ରେ ବ୍ୟବହାର କରିପାରୁନାହିଁ। ଯେଉଁଥିପାଇଁ ବାତ୍ୟା, ବନ୍ୟା, ପ୍ରଚଣ୍ଡ ଖରା, ଅଧିକ ଶୀତ, ବନାଗ୍ନି ସବୁ ହେଉଛି ବୋଲି ‌େସାଲାଙ୍କି ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରଫେସର ଚେତନ ଏସ୍‌ ସୋଲାଙ୍କି କହିଛନ୍ତି। ଏହା ସହ ସେ କହିଛନ୍ତି, ଆମେ ଗୋଟିଏ ସେକେଣ୍ଡରେ ୧୪ ଲକ୍ଷ କିଲୋଗ୍ରାମ୍ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛାଡ଼ୁଛେ। ବିଚରା ବୃକ୍ଷ କ’ଣ କରିବ। ବର୍ତ୍ତମାନ ପରିସ୍ଥିତିରେ ବୃକ୍ଷରୋପଣ ବି ଜଳବାୟୁ ପରିବର୍ତ୍ତନକୁ ରୋକିପାରିବନି। ଯେମିତି କ୍ୟାନ୍ସର ହେଲେ ପାରାସିଟାମଲ୍ ଖାଇଲେ ଠିକ୍ ହେବନାହିଁ। ଠିକ୍ ସେମିତି ବୃକ୍ଷରୋପଣ କଲେ ମଧ୍ୟ ବର୍ତ୍ତମାନ ସ୍ଥିତିରେ ଜଳବାୟୁ ପରିବର୍ତ୍ତନକୁ ରୋକି ହେବନି। ସେ ଆହୁରି କହିଛନ୍ତି ମୁଁ ସୌରଶକ୍ତି ବ୍ୟବହାର ଉପରେ କାମ କରୁଛି। ହେଲେ ମୁଁ କହୁଛି ସୌରଶକ୍ତି ବି ବ୍ୟବହାର କରନି। କାରଣ ଏହାକୁ ବ୍ୟବହାର କରିବା ପାଇଁ ଯେତିକି ସାମଗ୍ରୀ ଲାଗୁଛି ତା’ର ଉତ୍ପାଦନ ପାଇଁ ଯେତିକି ଏନର୍ଜି ବ୍ୟବହାର ହେଉଛି ତାହା ଜଳବାୟୁ ପରିବର୍ତ୍ତନର କାରଣ ବି ହେଉଛି। ୨୦୧୫ରେ ଆମେ ଜଳବାୟୁ ପରିବର୍ତ୍ତନ ହେଉଛି ବୋଲି କହୁଥିଲେ,୨୦୨୦ରେ ଜଳବାୟୁ ପରିବର୍ତ୍ତନ ହୋଇଛି, ୨୦୨୪ରେ ଜଳବାୟୁ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ବୋଲି କହୁଛେ। ପ୍ରତିବର୍ଷ ଗତବର୍ଷ ତୁଳନାରେ ଅଲଗା ହୋଇଥାଏ। ବିଜ୍ଞାନ, ଅର୍ଥନୀତିରେ ଏତେ ବିକାଶ ହୋଇ ମଧ୍ୟ ଜଳବାୟୁ ସମସ୍ୟାର କାହିଁକି ସମାଧାନ ହେଉନି ତାହା ଜାଣିବା ଦରକାର।