ଜୁନ୍‌ରେ ମେଟ୍ରୋ ଟ୍ରେନ୍ ଶିଳାନ୍ୟାସ, ଡିସେମ୍ବର ସୁଦ୍ଧା କାମ ଆରମ୍ଭ ହେବ

ଭୁବନେଶ୍ବର : କଟକର ତ୍ରିଶୁଳିଆରୁ ଭୁବନେଶ୍ବର ବିମାନବନ୍ଦର ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଟ୍ରୋ ଟ୍ରେନ୍ ପ୍ରକଳ୍ପର ଆସନ୍ତାମାସରେ ଶିଳାନ୍ୟାସ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏବେ ଡିପିଆର୍ ପ୍ରସ୍ତୁତ ହେଉଛି। ତେଣୁ ସମସ୍ତ ଟେଣ୍ଡର ପ୍ରକ୍ରିୟା ଡିସେମ୍ବର ସୁଦ୍ଧା ଶେଷ କରି କାମ ଆରମ୍ଭ ହେବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ କହିଛନ୍ତି।

ଶୁକ୍ରବାର ଦିନ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଥିଲେ ଯେ କେଉଁ ରୁଟ୍‌ରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ ତାହା ସ୍ଥିର ହୋଇଛି। ଦିଲ୍ଲୀ ମେଟ୍ରୋ ରେଳ ରେଳ ନିଗମ ଏହାର ଡିପିଆର୍ ପ୍ରସ୍ତୁତ କରୁଛି। ଏହା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ତେଣୁ ଖୁବ୍‌ଶୀଘ୍ର ଟ୍ରାକ୍ ବିଛାଇବା ଓ ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ବିଶ୍ବସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରଥଯାତ୍ରା ଅବସରରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ।

ସେହିପରି ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ୍ କହିଛନ୍ତି ଯେ ମ୍ୟୁନିସପାଲଟି ଓ ଏନ୍‌ଏସିରେ ୧.୭୩ଲକ୍ଷ ପରିବାରକୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ୫ଟି ମହାନଗର ନିଗମରେ ଘର ସର୍ଭେ ଶେଷ ହୋଇଛି। ଡିସେମ୍ବର ୨୦୨୩ ସୁଦ୍ଧା ବସ୍ତିରେ ବସବାସ କରୁଥିବା ୧ଲକ୍ଷ ପରିବାରକୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯିବ। ୫୦ହଜାରରୁ ଅଧିକ ଏଲ୍‌ଆର୍‌ସି ପ୍ରସ୍ତୁତ ହୋଇଥିବାବେଳେ ୧,୬୨,୩୨୭ଟି ଘର ନିର୍ମାଣ କରାଯାଇଛି।

ଏହାସହ ସମସ୍ତ ୫ଟି ମହାନଗର ନିଗମରେ ଶତପ୍ରତିଶତ ପାଇପ ଜଳ ଯୋଗାଣ ହେଉଥିବାବେଳେ ୧୧୦ଟି ପୌରାଞ୍ଚଳରେ ୯୯% ପରିବାରକୁ ପାଇପ୍ ପାଣି ଯୋଗାଣ ହୋଇଛି। ବାକି ୧% ଲୋକଙ୍କୁ ଡିସେମ୍ବର ସୁଦ୍ଧା ପାଇପ୍ ପାଣି ଯୋଗାଣ ହେବ। ସେହିପରି ଜୁନ୍‌ରେ ବ୍ରହ୍ମପୁରକୁ, ଆସନ୍ତା ଡିସେମ୍ବର ସୁଦ୍ଧା କଟକ ଓ ରାଉରକେଲାରେ, ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ଭୁବନେଶ୍ବରରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାରେ ୨୪ଘଣ୍ଟିଆ ଜଳ ଯୋଗାଣ କାର୍ଯ୍ୟ ଶେଷ ହେବ।

ଏହି ଅବସରରେ ମନ୍ତ୍ରୀ ଓ ସଚିବ ବିଭାଗ ପକ୍ଷରୁ ଗତ ୪ବର୍ଷରେ କାର୍ଯ୍ୟକ୍ଷମ ହୋଇଥିବା ବିଭିନ୍ନ ଯୋଜନା ବିଷୟରେ କହିଥିଲେ।

ସମ୍ବନ୍ଧିତ ଖବର