ଢଳୁଛି ନୀଳମାଧବ ମନ୍ଦିର ଭିତ୍ତିଭୂମି: ମରାମତି ନ ହେଲେ ଭୁଶୁଡିବ
ସୁରକ୍ଷା ଓ ସୌନ୍ଦର୍ଯ୍ୟୀକରଣ ପାଇଁ ଖଣ୍ଡପଡ଼ା ବିଧାୟକଙ୍କ ଦାବି
ନୟାଗଡ଼ (ରିତେନ୍ଦ୍ର ଛାଟୋଇ ଓ ସୁକାନ୍ତ ମିଶ୍ର): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ର କଣ୍ଟିଲୋ ପୁରାଣ ତଥା ଇତିହାସ ପ୍ରସିଦ୍ଧ ଏକ ଅଞ୍ଚଳ। ପୁଣ୍ୟତୋୟା ମହାନଦୀ କୂଳରେ ଅବସ୍ଥିତ ଶ୍ରୀଶ୍ରୀ ନୀଳମାଧବଙ୍କ ମନ୍ଦିର ଏଠାରେ ଅବସ୍ଥିତ, ଯାହାକୁ ନେଇ ଅନେକ କିଂବଦନ୍ତି ରହିଛି। ନୀଳମାଧବଙ୍କୁ ଜଗନ୍ନାଥଙ୍କ ଆଦିରୂପ ଭାବେ ବିବେଚନା କରାଯାଏ। ଜଗନ୍ନାଥଙ୍କ ଆଦିକ୍ଷେତ୍ର ଭାବେ କଣ୍ଟିଲୋ ପରିଚିତ। ନୀଳମାଧବଙ୍କ ନିମନ୍ତେ ଦେଶ, ବିଦେଶର ଜଗନ୍ନାଥପ୍ରେମୀଙ୍କ ମନରେ ରହିଛି କଣ୍ଟିଲୋ। ତେବେ ଏହି ନୀଳମାଧବ ମନ୍ଦିର ନେଇ ବର୍ତ୍ତମାନ ଆଶଙ୍କା ସୃଷ୍ଟି ହୋଇଛି। ମନ୍ଦିର ଦଣ୍ଡାୟମାନ ହୋଇଥିବା ବିଶାଳ ଭିତ୍ତିଭୂମି କ୍ରମେ କ୍ଷୟ ହେଉଥିବାରୁ ମନ୍ଦିର ଦବି ଚାଲିଛି। ଯାହା ମନ୍ଦିର ଭୁଶୁଡ଼ିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମାନଚିତ୍ରରେ ଏହା ସ୍ଥାନ ପାଇଥିଲେ ମଧ୍ୟ ସରକାରଙ୍କର ମନ୍ଦିର ପ୍ରତି ନିଘା ନାହିଁ। ପ୍ରଶାସନିକ ଉଦାସୀନତା ପାଇଁ ଏହି ମନୋରମ ନୈସର୍ଗିକ ସ୍ଥଳର ଆବଶ୍ୟକ ବିକାଶ ହୋଇପାରିନାହିଁ। ଏଭଳି ସମସ୍ୟାକୁ ନେଇ ‘ସମ୍ବାଦ’ର ବିଶେଷ ଉପସ୍ଥାପନା।
Sambad is now on WhatsApp
Join and get latest news updates delivered to you via WhatsApp
ଜଗନ୍ନାଥଙ୍କ ଆଦ୍ୟ ରୂପ ନୀଳମାଧବ
ଶବର ରାଜା ବିଶ୍ବାବସୁ, ବିଦ୍ୟାପତି ଓ ଲଲିତାଙ୍କ କଥା
କିଂବଦନ୍ତି କହେ, ମାଳବ ଦେଶର ଅବନ୍ତୀ ନଗରର ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କର ପଞ୍ଚମ ପୁରୁଷ ଥିଲେ। ସେ ଅତି ମାତ୍ରାରେ ବିଷ୍ଣୁଙ୍କ ଭକ୍ତ ଥିଲେ। ଥରେ ମନ୍ତ୍ରୀ ପାରିଷଦ ଗଣଙ୍କ ସହ ଆଲୋଚନା ସମୟରେ ମର୍ତ୍ତ୍ୟ ମଣ୍ଡଳରେ ସାକ୍ଷାତ ଭଗବାନଙ୍କୁ ଅନ୍ୱେଷଣ କରିବା ପାଇଁ ନିଜ ପାରିଷଦ ଗଣଙ୍କୁ ନିର୍ଦ୍ଦେଶ ଦେଲେ। ଏ ନେଇ ସେ ତାଙ୍କର କର୍ମଚାରୀଙ୍କୁ ବିଭିନ୍ନ ଦିଗକୁ ପ୍ରେରଣ କରିଥିଲେ। ସେମାନଙ୍କ ମଧ୍ୟରୁ ବିଦ୍ୟାପତି ଉତ୍କଳ ପ୍ରଦେଶର ଘଞ୍ଚ ଜଙ୍ଗଲ ପାର କରି ବିଶ୍ୱାବସୁ ପୀଠରେ ପହଞ୍ଚିଥିଲେ। ସେଠାରେ ଶବର ରାଜା ବିଶ୍ୱାବସୁ ନୀଳମାଧବଙ୍କୁ ପୂଜା କରୁଥିବା ଏବଂ ତାଙ୍କୁ ସ୍ୱଚକ୍ଷୁରେ ଦେଖିବା ସହ ତାଙ୍କ ସହ ବାର୍ତ୍ତାଳାପ ମଧ୍ୟ କରୁଥିବାର ଜାଣିବାକୁ ପାଇଲେ। ବିଶ୍ୱାବସୁ ନୀଳମାଧବଙ୍କୁ ପୂଜା କରିବା କଥା କାହାକୁ ଜଣାଉନଥିଲେ। ଏଣୁ ବିଦ୍ୟାପତି ତାଙ୍କ କନ୍ୟା ଲଳିତାଙ୍କ ସହ ପ୍ରଥମେ ପ୍ରେମ ସମ୍ପର୍କ ଯୋଡ଼ି ପରେ ତାଙ୍କୁ ବିବାହ କରିଥିଲେ। କୌଶଳକ୍ରମେ ବିଶ୍ୱାବସୁଙ୍କ ସାଥୀରେ ଭଗବାନ ନୀଳମାଧବଙ୍କୁ ଦେଖିବାକୁ ବିଦ୍ୟାପତି ଜିଦ୍ କରିଥିଲେ। ଗୋଟିଏ ସର୍ତ୍ତରେ ବିଶ୍ୱାବସୁ ଏଥିନିମନ୍ତେ ରାଜି ହୋଇଥିଲେ। ବିଦ୍ୟାପତିଙ୍କ ଆଖିରେ ଅନ୍ଧ ପୁଟୁଳି ବନ୍ଧାଯିବ ଓ ଯେଉଁ ରାସ୍ତାରେ ସେ ଯିବେ କାହାରିକୁ ଜଣାଇବେ ନାହିଁ। ଏହି ସର୍ତ୍ତରେ ରାଜି ହୋଇ ବିଦ୍ୟାପତି ଆଖିରେ ଅନ୍ଧପୁଟୁଳି ବାନ୍ଧି ଉକ୍ତ ସ୍ଥାନକୁ ଯିବାକୁ ରାଜି ହୋଇଥିଲେ। କିନ୍ତୁ କୌଶଳକ୍ରମେ ହାତରେ ନେଇଥିବା ସୋରିଷ ବାଟ ସାରା ବୁଣି ବୁଣି ଯାଇଥିଲେ ଏବଂ ନୀଳମାଧବଙ୍କ ଦର୍ଶନ ପାଇଥିଲେ। କିଛି ଦିନ ପରେ ସୋରିଷ ଗଛ ବାଟ ସାରା ଉଠିଯାଇଥିବାରୁ ଏହାକୁ ଅନୁଧ୍ୟାନ କରି ଏକା ଏକା ନୀଳମାଧବ ପୀଠରେ ପହଞ୍ଚି ଯାଇଥିଲେ। ଚତୁରତାର ସହିତ ନୀଳମାଧବଙ୍କୁ ଚୋରାଇ ନେଇ ଇନ୍ଦ୍ରଦ୍ୟୁମ୍ନଙ୍କ ଦରବାରରେ ପହଞ୍ଚାଇଥିଲେ। ବିଶ୍ୱାବସୁ ନୀଳମାଧବଙ୍କୁ ନ ପାଇ ପାଗଳପ୍ରାୟ ହେବା ସହ କ୍ରମେ ସମସ୍ତ ବୃତ୍ତାନ୍ତ ଜାଣି ପାରିଥିଲେ। ତେବେ ଇନ୍ଦ୍ରଦ୍ୟୁମ୍ନଙ୍କ ନିକଟରେ ପହଞ୍ଚିବା ପରେ ସ୍ୱୟଂ ନୀଳମାଧବ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ଏହା ପରେ ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଯେ ପ୍ରଭୁ ନୀଳମାଧବ ଦାରୁ ରୂପରେ ବାଙ୍କି ମୁହାଣ ନିକଟରେ ଆବିର୍ଭାବ ହେବେ। ଏହା ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ଉକ୍ତ ଦାରୁଙ୍କୁ ଠାବ କରିବା ସହ ପୁରୀରେ ମନ୍ଦିର ତୋଳାଇ ବିଗ୍ରହ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହା ନୀଳମାଧବଙ୍କ ପରିବର୍ତ୍ତିତ ରୂପ ଜଗନ୍ନାଥ ବୋଲି ଜଣାଯାଏ।
ନୀଳ ପଥରରେ ପ୍ରତିମୂର୍ତ୍ତି ହୋଇଥିବାରୁ ନାମ ନୀଳମାଧବ
ଅନ୍ୟ ଏକ କିଂବଦନ୍ତି ଅନୁଯାୟୀ, ପୁରୁଷୋତ୍ତମ କ୍ଷେତ୍ର ମଧ୍ୟରେ ଅନେକ ଗୁଡ଼ିଏ ପ୍ରସିଦ୍ଧ କ୍ଷେତ୍ର ରହିଛି। ସେଥିମଧ୍ୟରୁ ପଦ୍ମକ୍ଷେତ୍ର ଶ୍ରୀ ନୀଳମାଧବ ପୀଠ ଅନ୍ୟତମ। ମାଧବ ପୁରାଣ ଅନୁସାରେ ସତ୍ୟଯୁଗରେ ଜେନାବଳି ପୁରରେ ନାମାସୁର ଓ କାମାସୁର ନାମକ ରାକ୍ଷସ ଦ୍ୱୟ ବାସ କରୁଥିଲେ। ଏହି ଅସୁର ଦ୍ୱୟ ଭଗବାନ ଶିବଙ୍କ ବରରେ ବଳିଆନ ହୋଇ ତ୍ରିପୁର ବିଜୟ କରି ଦେବତାମାନଙ୍କ ପ୍ରତି ଅତ୍ୟାଚାର କରୁଥିଲେ। ଦେବତାମାନେ ତ୍ରାହି ତ୍ରାହି ଡ଼ାକ ଦେଇ ଭଗବାନ ବିଷ୍ଣୁଙ୍କ ଶରଣ ପଶିଲେ। ଭଗବାନ ବିଷ୍ଣୁ ଦେବତାଙ୍କୁ ଅଭୟ ଦେବା ସହ ବ୍ରହ୍ମାଙ୍କୁ ମର୍ତ୍ତ୍ୟଲୋକରେ ଏକ ଯଜ୍ଞର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଲେ। ବ୍ରହ୍ମା, ମହାନଦୀ ତଟରେ ଅତ୍ୟନ୍ତ ରମଣୀୟ ଦୁଇଟି ପର୍ବତ ନିର୍ମାଣ କଲେ। ଯାହା ବର୍ତ୍ତମାନର କଣ୍ଟିଲୋ ଅଞ୍ଚଳ ବୋଲି କିଂବଦନ୍ତି ରହିଛି। ଏହି ଦୁଇଟି ପର୍ବତ ବ୍ରହ୍ମାଦ୍ରୀ ଓ ପଦ୍ମାଦ୍ରୀ ନାମରେ ନାମିତ ହେଲା। ଏହା ପରେ ସମଗ୍ର ଦେବଗଣ ଓ ବ୍ରହ୍ମା ମିଶି ଉକ୍ତ ପର୍ବତ ଉପରେ ଏକ ଯଜ୍ଞ ଆରମ୍ଭ କଲେ। ଯଜ୍ଞ ଶେଷରେ ଯଜ୍ଞ କୁଣ୍ଡରୁ ମାଧବ ଚତୁର୍ଭୁଜ ରୂପରେ ବାହାରି ଅସୁର ଦ୍ୱୟଙ୍କୁ ବିନାଶ କଲେ। ଯଜ୍ଞ ଅନଳରୁ ବାହାରି ଥିବାରୁ ମାଧବଙ୍କ ଦେହର ଜ୍ୱାଳା ପ୍ରଶମିତ କରିବା ପାଇଁ ଦେବଗଣ ଚନ୍ଦନ ଲାଗି କରାଇ ହଜାର ଉପଚାରରେ ପୂଜା କରିଥିଲେ। ନୀଳ ପଥରରେ ମାଧବଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିବାରୁ ସେ ନୀଳମାଧବ ରୂପେ ପରିଚିତ। ନୀଳମାଧବଙ୍କ ନିକଟରେ ଏବେ ମଧ୍ୟ ସେହି ଚନ୍ଦନ ଲାଗି ପରମ୍ପରା ଅଦ୍ୟାବଧି ଚଳିଆସୁଛି ଏବଂ ଏହାକୁ ସର୍ବାଙ୍ଗ ବୋଲି କୁହାଯାଇଥାଏ।
ସୁରକ୍ଷା ଓ ସୌନ୍ଦର୍ଯ୍ୟୀକରଣ ପାଇଁ ଖଣ୍ଡପଡ଼ା ବିଧାୟକଙ୍କ ଦାବି
ଶ୍ରୀଜଗନ୍ନାଥଙ୍କ ଆଦିକ୍ଷେତ୍ର ନୀଳମାଧବ ପୀଠର ମର୍ଯ୍ୟାଦା ଅନୁକୂଳ ସୌନ୍ଦର୍ଯ୍ୟୀକରଣ, ଉନ୍ନତି ଓ ରକ୍ଷଣାବେକ୍ଷଣ ଦିଗରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଦାବି କରିବା ସହିତ ବିଧାନସଭାରେ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସରକାର ଖୁବ୍ଶୀଘ୍ର ଏ ଦିଗରେ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।
ନାହିଁ ନାହିଁରେ ଚାଲିଛି ନୀଳମାଧବ ପୀଠ
ଭିତ୍ତିପ୍ରସ୍ତର ସ୍ଥାପନରେ ସୀମିତ ଯାତ୍ରୀ ସୁବିଧା କେନ୍ଦ୍ର
ରାଜ୍ୟ ତଥା ରାଜ୍ୟ ବାହାରୁ ନୀଳମାଧବ ପୀଠକୁ ବର୍ଷ ସାରା ଶ୍ରଦ୍ଧାଳୁଙ୍କ ଯାତାୟାତ ଲାଗି ରହିଥାଏ। ଏହି ପରିପ୍ରେକ୍ଷୀରେ ଯାତ୍ରୀଙ୍କ ରହଣୀ ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କଣ୍ଟିଲୋରେ ଯାତ୍ରୀ ସୁବିଧା କେନ୍ଦ୍ର ସ୍ଥାପନର ବ୍ୟବସ୍ଥା କରାଯାଇଥିଲା। ବହୁ ଆଡ଼ମ୍ବରରେ ୨୦୧୬ ମସିହାରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତତ୍କାଳୀନ ପର୍ଯଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ଇଟା ଖଣ୍ଡେଏହି ସ୍ଥାନରେ ପଡ଼ିପାରିନାହିଁ।
୫ ବର୍ଷ ହେବ ଅଧପନ୍ତରିଆ ହୋଇପଡ଼ିଛି ଅଫିସ୍ ଗୃହ
ବର୍ଷ ବର୍ଷ ଧରି ନୀଳମାଧବଙ୍କ ଅଫିସ୍ ଗୃହ ଚାଳ ଘରେ ଚାଲି ଆସୁଥିବା ବେଳେ, ୨୦୧୫ ମସିହାରେ ପ୍ରଶାସନ ପକ୍ଷରୁ ଏହାକୁ ଭାଙ୍ଗି ଦିଆଯାଇଥିଲା। ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଇନଟାକ୍କୁ ଅଫିସ୍ ଗୃହ ନିର୍ମାଣ ଦାୟିତ୍ବ ଦିଆଯାଇଥିଲା। ଇନଟାକ୍ ୨୦୧୭ ସୁଦ୍ଧା ଏହା ନିର୍ମାଣ କରିବ ବୋଲି ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଇତି ମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଅଫିସ୍ ନିର୍ମାଣ ହୋଇ ପାରିନାହିଁ। ଠାକୁରଙ୍କ ବିଭିନ୍ନ କାର୍ଯ୍ୟ ପରିଚାଳନା ପାଇଁ ନାନା ସମସ୍ୟା ସୃଷ୍ଟି ହେଉଥିବା ପୂଜକ ସମାଜ କହିଛି। ଏଥି ନିମନ୍ତେ ୪୮ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ, ଫଳ ଶୂନ୍। ଅଧପନ୍ତରିଆ ଭାବେ ଅଫିସ୍ ଗୃହ ପଡ଼ିରହିଛି। ଅଫିସ୍ ଗୃହ ନିର୍ମାଣ ଶେଷ ହୋଇନଥିବା ବେଳେ ଇନଟାକ୍କୁ ପ୍ରାୟ ୩୫ ଲକ୍ଷ ଟଙ୍କା ଦିଆସାରିଥିବା ପୂଜକ ସମାଜ ସୂତ୍ରରୁ ଜଣାପଡ଼ିଛି। ଏହି କାର୍ଯ୍ୟଦେଶ ବାତିଲ ପାଇଁ କିଛି ଦିନ ତଳେ ପୂଜକ ସମାଜ ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହୋଇଛି।
ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନାହିଁ
ନୀଳମାଧବଙ୍କ ନିକଟକୁ ଦୈନିକ ଶହ ଶହ ଭକ୍ତ ଆସୁଥିବା ବେଳେ ମନ୍ଦିରରେ ସେମାନଙ୍କ ପାଇଁ ସାମାନ୍ୟ ପାନୀୟ ଜଳର ବ୍ୟବସ୍ଥା ନାହିଁ। ଯେଉଁଥିପାଇଁ ଅନେକ ଭକ୍ତ ଶୋଷ ହେଲେ ସମସ୍ୟାରେ ପଡ଼ୁଛନ୍ତି। ଦୋକାନରେ ମିଳୁଥିବା ବୋତଲ ପାଣି କିଣିବାକୁ ପଡ଼ୁଛି। ଏଭଳି ସାମାନ୍ୟତମ ସୁବିଧା ପ୍ରତି ପ୍ରଶାସନ ଧ୍ୟାନ ଦେଉନଥିବାରୁ ସଭିଁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।