ପୁରୀ: ଭକ୍ତଙ୍କ ୪ ବର୍ଷର ଯନ୍ତ୍ରଣା, ଅସନ୍ତୋଷ, ଅପେକ୍ଷାର ଅନ୍ତ ଘଟିଛି। ମହାପ୍ରଭୁଙ୍କ କାମରୁ ରାଜ୍ୟ କ୍ୟାବିନେଟ୍‌ର ପ୍ରଥମ ନିଷ୍ପତ୍ତି ପାଳନ କରିଛନ୍ତି ଓଡ଼ିଶାର ନୂଆ ବିଜେପି ସରକାର। ଆଜି ମଙ୍ଗଳଆଳତି ପରଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ମନ୍ତ୍ରୀପରିଷଦଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ପ୍ରମୁଖ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଭକ୍ତ ବି ଚାରିଦ୍ବାରରୁ ଦର୍ଶନ ସୁଯୋଗ ପାଇ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ପୂର୍ବରୁ ଦର୍ଶନ ପାଇଁ ଯେଉଁଠି ୪ ଘଣ୍ଟା ଲାଗୁଥିଲା, ଏବେ ଅଧଘଣ୍ଟାରେ ଭକ୍ତ ଦର୍ଶନ ସାରି ଫେରିଛନ୍ତି।

Advertisment

ଗତକାଲିଠାରୁ ପୁରୀରେ ଆସି ରହିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଆଜି ମଙ୍ଗଳାଆଳତି ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ବାରରେ ପହଞ୍ଚିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ମନ୍ତ୍ରୀଗଣ, ସାଂସଦ ଓ ବିଧାୟକମାନେ ଭକ୍ତଙ୍କ ଗହଣରେ ଶ୍ରୀମନ୍ଦିର ପ୍ରଦକ୍ଷିଣ କରିଥିଲେ। ସିଂହଦ୍ବାରରେ ଅରୁଣସ୍ତମ୍ଭଠାରୁ ମହାପ୍ରଭୁଙ୍କୁ ସାଷ୍ଟାଙ୍ଗ ପ୍ରଣାମ ଜଣାଇଥିଲେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ଉପମୁଖ୍ୟମନ୍ତ୍ରୀପ୍ରଭାତୀ ପରିଡ଼ା ବି ଅରୁଣ ସ୍ତମ୍ଭଠାରେ ସାଷ୍ଟାଙ୍ଗ ପ୍ରଣାମ ଜଣାଇଥିଲେ। ମଙ୍ଗଳଆଳତି ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହ ଭକ୍ତମାନେ ସିଂହଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇଥିଲେ ଏବଂ ଶ୍ରୀମନ୍ଦିର ଗର୍ଭଗୃହରୁ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଦର୍ଶନ ସାରି ଫେରିବାପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ କୃପା ଓ ସାଢ଼େ ୪ କୋଟି ଲୋକଙ୍କ ଆଶୀର୍ବାଦରୁ ଓଡ଼ିଶାରେ ନୂଆ ସରକାର ଶପଥ ନେଇଛି। ଶପଥପାଠ ଉତ୍ସବ ପରେ ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ ବୈଠକରେ ୪ଟି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେଥିରେ ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସ୍ତାବ ରହିଥିଲା। ଆଗରୁ ଗୋଟିଏ ଦ୍ବାର ଖୋଲା ଥିଲା। ତିନି ଦ୍ବାର ବନ୍ଦରହିବା ଦ୍ବାରା ଭକ୍ତଙ୍କ ମନରେ ଅକ୍ରୋଶ ଥିଲା। ଗତକାଲି ସରକାର ମଙ୍ଗଳ ଆଳତିଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବାକୁ ପ୍ରଥମ ନିଷ୍ପତ୍ତି ନେଇଥିଲେ। ମହାପ୍ରଭୁଙ୍କ କୃପାରୁ ଆଜି ଯଥା ସମୟରେ ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ପାଇଁ ଖୋଲିଛି। ଭକ୍ତଙ୍କ ଇଚ୍ଛା ଓ ଆଧ୍ୟାତ୍ମିକ କାର୍ଯ୍ୟରେ ଯେଭଳି ବାଧା ନ ଆସେ ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଏହା ସଫଳତା ସହ ସଂପନ୍ନ ହୋଇଥିବାରୁ କୋଟି ପ୍ରଣାମ ଜଣାଉଛି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଶ୍ରୀମନ୍ଦିର ବାହାର ଓ ଭିତର ଦର୍ଶନ ବ୍ୟବସ୍ଥା ପ୍ରତ୍ୟକ୍ଷ ଅନୁଧ୍ୟାନ କରାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତି
ସହ ଦର୍ଶନ ବ୍ୟବସ୍ଥା କିଭଳି ଶୃଙ୍ଖଳିତ ହୋଇପାରିବ, ସେ ଉପରେ ଖୁବ୍‌ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଆଗାମୀଦିନରେ ମହାପ୍ରଭୁଙ୍କ କାର୍ଯ୍ୟ ସୁରୁଖୁରରେ ସମ୍ପାଦନ ହେବାଉପରେ ଆମେ ଦୃଷ୍ଟି ଦେବୁ। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ, ସୁରକ୍ଷା ଓ ଉନ୍ନତୀକରଣ, ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳା ଆଦି ପାଇଁ ୫ଶହ କୋଟି ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଆମ ସରକାର ନୂ୍ଆ କରି ଦାୟିତ୍ବ ନେଇଛନ୍ତି। ଆଗାମୀ ଦିନରେ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବି ସରକାର କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।