ପୁରୀ: ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପରେ ଭକ୍ତଙ୍କ ମହଲ ଖୁସିହୋଇଛନ୍ତି। ସମସ୍ତେ ନୂଆ ବିଜେପି ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। କିନ୍ତୁ ଚାରିଦ୍ବାର ଖୋଲିବା ପରେ ଶ୍ରୀମନ୍ଦିର ଭିତରେ ଭକ୍ତମାନେ ଯେଉଁଭଳି ଯନ୍ତ୍ରଣା ପାଉଛନ୍ତି, ତାହା ଅସନ୍ତୋଷର କାରଣ ପାଲଟିଲାଣି। ସାତପାହାଚ, ନାଟମଣ୍ଡପ, ବାହାରକାଠ ଓ ଭିତରକାଠ ଦର୍ଶନ ବ୍ୟବସ୍ଥାରେ ସୁଧାର ଆସିନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି। ତଥାପି ଏଥିପ୍ରତି କାହାରି ନଜର ନାହିଁ। ଫଳରେ ପୁଣି ଶନିବାର, ରବିବାର ଭଳି ଛୁଟିଦିନରେ ଭକ୍ତମାନେ ଦର୍ଶନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏଭଳି ସ୍ଥିତିରେ ବନ୍ଦ ରହିଥିବା ଶ୍ରୀମନ୍ଦିର ଭିତରର ଅନ୍ୟଦ୍ବାର କେବେ ଖୋଲିବ ବୋଲି ଭକ୍ତ, ସେବାୟତ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ପ୍ରଶ୍ନ କରିଛନ୍ତି।
ଶ୍ରୀମନ୍ଦିର ବାହାରେ ସିଂହଦ୍ବାର, ପଶ୍ଚିମଦ୍ବାର, ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାର ଭଳି ଶ୍ରୀମନ୍ଦିର ଭିତରେ ବି ଅନେକ ଦ୍ବାର ରହିଛି, ଯେଉଁ ବାଟ ଦେଇ ଭକ୍ତମାନେ ସହଜରେ ଭିଡ଼ ଭିତରୁ ବାହାରି ପାରିବେ। ଭିତର କାଠ ଦର୍ଶନ ବେଳେ ବାହାରିବା ପାଇଁ ବେହେରଣ ଦ୍ବାର ରହିଛି। ନାଟମଣ୍ଡପ ଭିଡ଼ ପ୍ରଶମିତ ଓ ଭକ୍ତଙ୍କ ସହଜ ପ୍ରବେଶ, ପ୍ରସ୍ଥାନ ପାଇଁ ନାଟମଣ୍ଡପରେ ସାତପାହଚଦ୍ବାର ସହ ଘଣ୍ଟିଦ୍ବାର, ପଣ୍ଡାଦ୍ବାର, ମୁଦୁଲି ଦ୍ବାର ରହିଛି। କିନ୍ତୁ କୋଭିଡ୍ ପରଠାରୁ ଶ୍ରୀମନ୍ଦିର ବାହାର ଚାରିଦ୍ବାର ସହ ପଣ୍ଡାଦ୍ବାର, ମୁଦୁଲିଦ୍ବାର ଓ ଘଣ୍ଟିଦ୍ବାରରେ ପ୍ରବେଶରେ କଟକଣା ଲଗାଇ ଦିଆଯାଇଛି। କେବଳ ପ୍ରଶାସନ ଓ ପୁଲିସ ଅଧିକାରୀଙ୍କ ପରିଚିତ ବ୍ୟକ୍ତିଙ୍କୁ ଘଣ୍ଟିଦ୍ବାର ଦେଇ ପ୍ରବେଶ କରାଯାଉଛି। କିନ୍ତୁ ପଣ୍ଡାଦ୍ବାର ଓ ମୁଦୁଲିଦ୍ବାରରେ ତାଲା ଝୁଲୁଛି। ଏହି ଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନରେ ଏବେ ବି କଟକଣା ରହିଛି। ଭକ୍ତମାନେ ସାତପାହାଚ ଦେଇ ପ୍ରବେଶ ପରେ ଭିତରକାଠ ଦର୍ଶନ ବେଳେ ବେହେରଣଦ୍ବାର ଓ ବାହାରକାଠ ଦର୍ଶନ ବେଳେ ଘଣ୍ଟିଦ୍ବାର ଦେଇ ବାହାରୁଛନ୍ତି। ଏଣୁ ଏହି ତିନିଦ୍ବାର ଖୋଲି ଭକ୍ତଙ୍କ ଦର୍ଶନକୁ ଅବାଧ ଓ ମୁକ୍ତ କରିବାକୁ ଦାବି ହୋଇଛି।
ବଡ଼ କଥା ହେଉଛି, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବିଭିନ୍ନ ନିଯୋଗ ଓ ବରିଷ୍ଠ ସେବାୟତ ବି ଜାଣିନାହାନ୍ତି, ଶ୍ରୀମନ୍ଦିର ଭିତରର ଏହିସବୁ ଦ୍ବାର କାହା ଆଦେଶ ବଳରେ ବନ୍ଦ କରାଗଲା। ଜଣେ ପରିଚାଳନା କମିଟି ସଦସ୍ୟ କହିଛନ୍ତି, ଏହି ତିନିଦ୍ବାର କାହିଁକି ଓ କାହା ଅନୁମତିରେ ବନ୍ଦ କରାଗଲା, ଏହାର ଅନୁସନ୍ଧାନ ହେବା ଜରୁରି। ଯଦି ଶ୍ରୀମନ୍ଦିର ପ୍ରଶାସନ ନାଟମଣ୍ଡପର ପଣ୍ଡାଦ୍ବାର, ମୁଦୁଲିଦ୍ବାର, ଘଣ୍ଟିଦ୍ବାରରେ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନର ବ୍ୟବସ୍ଥା କରନ୍ତା, ଭକ୍ତମାନେ ସୁବିଧାରେ ଦର୍ଶନ କରିପାରନ୍ତେ। ନାଟମଣ୍ଡପ ଭିଡ଼ ବି ରୁହନ୍ତାନି।