ପୁରୀ: ଶ୍ରୀମନ୍ଦିରର ଚାରି ଦିଗରେ ୪ ମୁଖ୍ୟ ଦ୍ବାର ଚାରିଟି ବିଶ୍ବାସ ଉପରେ ପ୍ରତିଷ୍ଠିତ। ଚାରିଦ୍ବାର ଧର୍ମ-ଅର୍ଥ-କାମ-ମୋକ୍ଷର ସମାହାର। ପଣ୍ଡିତମାନଙ୍କ ମତରେ ପୂର୍ବ ପାର୍ଶ୍ବସ୍ଥ ଦ୍ବାର ସିଂହଦ୍ବାର। ଏହା ‘ଧର୍ମ’ ଦ୍ବାର ଭାବେ ବିବେଚିତ। ଦକ୍ଷିଣ ଦ୍ବାରକୁ ଅଶ୍ବ ଦ୍ବାର କୁହାଯାଏ। ଏହା ‘ଅର୍ଥ’ ଦ୍ବାର ଭ‌ାବେ ପରିଚିତ। ପଶ୍ଚିମ ଦ୍ବାରଟି ବ୍ୟାଘ୍ର ଦ୍ବାର କୁହାଯାଏ। ଏହା ‘କାମ’ ଦ୍ବାର। ଉତ୍ତର ପାର୍ଶ୍ବରେ ଥିବା ଦ୍ବାରକୁ ହସ୍ତୀ ଦ୍ବାର ବା ‘ମୋକ୍ଷ’ ଦ୍ବାର ଭାବେ ବିବେଚନା କରାଯାଏ।

Advertisment

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଭାସ୍କର ମିଶ୍ରଙ୍କ ସୂଚନା ମୁତାବକ, ବିଭିନ୍ନ ଦ୍ବାର ଦେଇ ଶ୍ରୀମନ୍ଦିରର ନିର୍ଦ୍ଦିଷ୍ଟ ପରମ୍ପରା ପାଳନ ହୁଏ। ସିଂହଦ୍ବାର ଦେଇ ଦାରୁ ବିଗ୍ରହ ରଥଯାତ୍ରାରେ ଯାଆନ୍ତି। ଚଳନ୍ତି ପ୍ରତିମା ଓ ଶ୍ରୀସୁଦର୍ଶନ ଏହି ଦ୍ବାର ଦେଇ ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନକୁ ବିଜେ କରିଥାଆନ୍ତି। ପୁରୀ ଗଜପତି ମହାରାଜ ତାଙ୍କର ରାଜନୀତି ସେବା ଓ ଗହଣ ବିଜେ ସମୟରେ ସିଂହଦ୍ବାର ମାର୍ଗ ଦେଇ ଶ୍ରୀମନ୍ଦିରକୁ ବିଜେ କରନ୍ତି। ମଠାଧୀଶମାନେ ଶାଢ଼ି ବନ୍ଧ ଓ ଅନ୍ୟ ସେବା କରିବା ପାଇଁ ଏହି ମାର୍ଗରେ ଯାଆନ୍ତି। ଶ୍ରୀମନ୍ଦିର ସେବକ ଭିତରଚ୍ଛ ମହାପାତ୍ର ସିଂହଦ୍ବାରଠାରେ ଉପସ୍ଥିତ ରହି ଆଦେଶ ଦେବା ପରେ ସିଂହଦ୍ବାର କବାଟ ଖୋଲେ। ପରେ ଅନ୍ୟତିନି ମୁଖ୍ୟ ଦ୍ବାର ଫିଟିଥାଏ।

ଶ୍ରୀମନ୍ଦିରର ଅନ୍ୟ ପ୍ରମୁଖ ଦ୍ୱାର ହେଉଛି ଦକ୍ଷିଣ ଦ୍ୱାର। ପୁରୀ ଗଜପତି ମହାରାଜାଙ୍କ ସମେତ ଭାରତ ଓ ନେପାଳର ନରେଶ, ମହାରାଜା ଓ ତାଙ୍କର ପରିବାର ବର୍ଗ ଦର୍ଶନ ପାଇଁ ଏହି ଦ୍ୱାର ଦେଇ ଯାଇଥାନ୍ତି। ଜନଶ୍ରୁତି ଅନୁଯାୟୀ ପଶ୍ଚିମ ଦ୍ବାର ଦେଇ ତାନ୍ତ୍ରିକ, ବାମାଚାରୀମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଥାନ୍ତି। ପ୍ରାଚୀନ ଋଷି ଆଶ୍ରମକୁ ବିଜେ ସମୟରେ ଶ୍ରୀସୁଦର୍ଶନ ଦେବ ସିଂହଦ୍ୱାର ଦେଇ ଯାଉଥିବା ବେଳେ କେତେକ ନିର୍ଦ୍ଦିଷ୍ଟ ଦିବସରେ ପଶ୍ଚିମ ଦ୍ୱାର ଦେଇ ବାହୁଡ଼ା ବିଜେ କରିଥାନ୍ତି। ଚତୁର୍ଥ ଦ୍ୱାର ଅର୍ଥାତ୍ ଉତ୍ତର ଦ୍ୱାର ହେଉଛି ଦେବଯାନ ମାର୍ଗ। ନବକଳେବର ସମୟରେ ଦାରୁମାନଙ୍କୁ ଏହି ଦ୍ୱାର ଦେଇ କୋଇଲି ବୈକୁଣ୍ଠକୁ ଅଣାଯାଇଥାଏ। ଅତୀତରେ ଶ୍ରୀମନ୍ଦିର ପରମ୍ପରା ପ୍ରକାରେ ଗଜପତିଙ୍କ ରାଜଗୁରୁମାନେ ତାଙ୍କର ଗହଣ ବିଜେ ସମୟରେ ଏହି ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବାର ବିଧି ରହିଥିଲା। ତେବେ ଏହି ପରମ୍ପରା ଅନେକ ବର୍ଷ ଧରି ବନ୍ଦ ରହିଛି।