ମିଳୁନି ସରକାରୀ ଧାନ ବିହନ

ବନ୍ତ: ବନ୍ତ ବ୍ଲକରେ ଚାଷୀଙ୍କୁ ମିଳୁନି ସରକାରୀ ବିହନ। ବ୍ଲକରେ ୩୫ ଶହ କୁଇଣ୍ଟାଲ ବିହନ ଆବଶ୍ୟକ ଥିବାବେଳେ ଆସିଛି ମାତ୍ର ୪ଶହ କୁଇଣ୍ଟାଲ। ଏହି ବିହନ ସମୁଦ୍ରକୁ ଶ‌େଙ୍ଖ ସଦୃଶ। ଚାଷୀମାନେ ଘରେ ସାଇତି ରଖିଥିବା ଧାନ ବିହନକୁ ବ୍ୟବହାର କରୁଥିଲା ବେଳେ ଅମଳ ବଢ଼ାଇବା ନିମନ୍ତେ ଓଡ଼ିଶା ବିହନ ନିଗମ ଦ୍ବାରା ବୈଜ୍ଞାନିକ ପଦ୍ଧତିରେ ଅଧିକ ଅମଳକ୍ଷମ ବିହନ କୃଷି ବିଭାଗ ମାଧ୍ୟମରେ ଚାଷୀମାନଙ୍କୁ ଯୋଗାଇ ଦେଉଥିଲେ। ସରକାର ପ୍ରଥମେ ସମବାୟ ସମିତି ଓ ପରବର୍ତ୍ତୀ ଅବସ୍ଥାରେ ପ୍ରତି ବ୍ଲକ୍‌ରେ କେତେକ ସ୍ବୀକୃତିପ୍ରାପ୍ତ ଘରୋଇ ଯୋଗାଣକାରୀମାନଙ୍କୁ ନିଯୁକ୍ତି ଦେଇଛନ୍ତି। ବନ୍ତ ବ୍ଲକରେ ୧୮,୮୬୫ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା ଥିଲା ବେଳେ ୧୭,୧୦୦ହେକ୍ଟର ଜମିରେ ଧାନଚାଷ ଓ ୧୭୬୫ହେକ୍ଟର ଜମିରେ ଅଣଧାନ ଚାଷ କରାଯାଇଥାଏ।

ବ୍ଲକରେ ୪୦ହଜାର ଚାଷୀ ଧାନ ଚାଷ କରିଥାନ୍ତି। ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ୧୨ଶହ କୁଇଣ୍ଟାଲ ବିଭିନ୍ନ କିସମର ବିହନ ଯୋଗାଇ ଦେବା ନିମନ୍ତେ କୃଷି ବିଭାଗକୁ ନିେର୍ଦ୍ଦଶ ଦିଆଯାଇଥିଲା। ସରକାରୀ ନିେର୍ଦ୍ଦଶ ଅନୁଯାୟୀ ବ୍ଲକ୍ କୃଷି ଅଧିକାରୀ ଅନିରୁଦ୍ଧ ବେହେରା ଓ ସହକାରୀ କୃଷି ଅଧିକାରୀ ତୁଷାରକାନ୍ତି ପତି ବିଭିନ୍ନ ସମୟରେ ବ୍ଲକ୍‌ର ୮ଟି ଯାକ ସେବା ସମବାୟ ସମିତିର ସମ୍ପାଦକ ଓ ସରକାରୀ ସ୍ବିକୃତୀପ୍ରାପ୍ତ ଘରୋଇ ବିହନ ବିକ୍ରେତାମାନଙ୍କୁ ସରକାରୀ ନିୟମ ସମ୍ପର୍କରେ ସଚେତନ କରାଇଥିଲେ। ମାତ୍ର ଏଥିପ୍ରତି କୌଣସି ସେବା ସମବାୟ ସମିତିର ସମ୍ପାଦକମାନେ କର୍ଣ୍ଣପାତ କରିନଥିଲା ବେଳେ ମାତ୍ର ୧୦ଜଣ ଘରୋଇ ବିହନ ବିକ୍ରେତା ଏବେ ସୁଦ୍ଧା ମାତ୍ର ୪୦୦କୁଇଣ୍ଟାଲ ବିହନ ବିକ୍ରି କରିଥିବା ବ୍ଲକ୍ କୃଷି ବିଭାଗ ସୂତ୍ରରୁ ଜଣାଯାଇଛି। ଚଳିତ ବର୍ଷ ଓଡିଶା ବିହନ ନିଗମ ପକ୍ଷରୁ ଘରୋଇ ବିହନ ବିକ୍ରେତାମାନଙ୍କୁ ସରକାରୀ ସାର୍ଟିଫାଏଡ୍ ସ୍ବର୍ଣ୍ଣସବ୍–ୱାନ୍‌, ସ୍ବର୍ଣ୍ଣ, ପୂଜା, କଳାଚମ୍ପା, ସିଆର୍୧୦୦୯–ସବ୍‌ୱାନ, ଏମ୍‌ଟିୟୁ–୧୦୭୫, ଏମ୍‌ଟିୟୁ–୧୦୦୧ ବିହନ ଯୋଗାଇ ଦିଆଯାଇଥିଲା।

ମାତ୍ର ଚାଷୀମାନେ ଅଧିକ ମାତ୍ରାରେ ଖୋଜୁଥିବା ସିଆର୍୧୦୦୯–ସବ୍‌ୱାନ କମ୍ ଯୋଗାଇ ଦିଆଯାଇଥିବା ବେଳେ ଏବେ ଆଦୌ ମିଳୁନାହିଁ। ଫଳରେ ସରକାରୀ ବିହନରେ ଚାଷ କରିବା ପାଇଁ ଲକ୍ଷ୍ୟ ରଖିଥିବା ଚାଷୀମାନେ ଏବେ ହତାଶ ହୋଇ ପଡିଛନ୍ତି। ଏନେଇ ବ୍ଲକ୍ ସହକାରୀ କୃଷି ଅଧିକାରୀ ତୁଷାରକାନ୍ତି ପତିଙ୍କ ସହ ଯୋଗାଯୋଗ କରିବାରୁ ସରକାରୀ ନିେର୍ଦ୍ଦଶ ଅନୁଯାୟୀ ବିହନ ବିକ୍ରୟ କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସମିତିର ସମ୍ପାଦକମାନେ ସରକାରୀ ନିେର୍ଦ୍ଦଶକୁ ମାନୁ ନଥିବା ବେଳେ କେତେକ ଘରୋଇ ସଂସ୍ଥା ୪୦୦କୁଇଣ୍ଟାଲ ବିହନ ଯୋଗାଇଥିଲେ। ଏବେ ତଳିପକା କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସେମାନେ ଆଉ କିଛି ବିହନ ପାଇଁ ବ୍ୟବସ୍ଥା କରିଛନ୍ତି। ଯାହାକି ୧/୨ ଦିନ ମଧ୍ୟରେ ସେମାନଙ୍କ ନିକଟରେ ପହଞ୍ଚିଯିବ। ମାତ୍ର ୧୦୦୯ ବିହନ ଆଖପାଖ ୨/୩ଟି ଜିଲ୍ଲାରେ ମହଜୁଦ ନ ଥିବା ଯୋଗୁଁ ଯୋଗାଇବା ସମ୍ଭବ ନୁହେଁ ବୋଲି ସୂଚନା ଦେଇଥିଲେ। ତେବେ ପ୍ରଶାସନ ଚାଷୀମାନଙ୍କୁ ତୁରନ୍ତ ଧାନ ବିହନ ଯୋଗାଇବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର