ଧରାପଡ଼ିଲା ଧାନକିଣା ପୂର୍ବର ଜାଲିଆତି: ଅଣଚାଷ‌ ଜମି ଦେଖାଇ ଚାଷୀ ପଞ୍ଜୀକରଣ

ଯାଜପୁରସଦର : ଯାଜପୁର ଜିଲ୍ଲାରେ ଧାନକିଣା କେଳେଙ୍କାରୀ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିଲା। ଅଣ ଚାଷଜମି ତଥା ଖେଳପଡ଼ିଆ, ଜଙ୍ଗଲ ଜମି, ବିଦ୍ୟାଳୟ ଥିବା ସ୍ଥାନକୁ ଚାଷଜମି ଦେଖାଇ ହୋଇଥିଲା ଚାଷୀ ପଞ୍ଜୀକରଣ। ଏଭଳି ତଞ୍ଚକତାପୂର୍ଣ୍ଣ ତଥ୍ୟକୁ ଜିଲ୍ଲାସ୍ତରରେ ଅନୁମୋଦନ କରି ରାଜ୍ୟସ୍ତରକୁ ପଠାଯାଇଥିଲା। ଏହି ଦୁର୍ନୀତିମୂଳକ କାରବାର ସଂପର୍କରେ ସନ୍ଦେହ ହେବାରୁ ୭୫ହଜାର ୮୨୮ଟି ସନ୍ଦିଗ୍ଧ ପ୍ଲଟ୍‌ ସଂପର୍କରେ ପୁନର୍ବାର ତଦନ୍ତ କରି ରିପୋର୍ଟ ଦେବାକୁ ସମବାୟ ସମିତିର ରେଜିଷ୍ଟ୍ରାର(ଆରସିଏସ୍‌) ଯାଜପୁର ଏଆରସିଏସ୍‌ଙ୍କୁ ନୋଟିସ୍ କରିଥିଲେ। ବର୍ତ୍ତମାନ ୧୫୦୦ଟି ସନ୍ଦିଗ୍ଧ ପ୍ଲଟ୍‌ର ତଦନ୍ତ ଶେଷ ହୋଇଥିବା ବେଳେ ସେଥିରୁ ୮୦୦ ପ୍ଲଟ୍ ଚାଷଜମି ନୁହେଁ ବୋଲି ସ୍ପଷ୍ଟ ହୋଇଛି। ଖୋଦ୍‌ ଏଆରସିଏସ୍‌ ଶରତ ଚନ୍ଦ୍ର ମଲ୍ଲିକ ଏହାକୁ ସ୍ବୀକାର କରିଛନ୍ତି।

୭୫ ହଜାର ୮୨୮ଟି ସନ୍ଦିଗ୍ଧ ପ୍ଲଟ୍‌ର ଛାନ୍‌ଭିନ୍ ଚାଲିଛି
ତଦନ୍ତରେ ୮୦୦ ପ୍ଲଟ୍‌ରେ ଜଙ୍ଗଲ, ଖେଳପଡ଼ିଆ ଓ ସ୍କୁଲ୍‌ଘର ରହିଛି: ଏଆର୍‌ସିଏସ୍

ଯାଜପୁର ଜିଲ୍ଲାରେ ଚଳିତ ଖରିଫରେ ମଣ୍ଡିରେ ଧାନ ବିକିବା ପାଇଁ ୫୩ହଜାର ୮୦୬ ଜଣ ଧାନଚାଷୀଙ୍କ ନାମ ପଞ୍ଜୀକରଣ ହୋଇଛି। ୧୨୦ ପ୍ୟାକ୍ସ ଓ ୩୮ ଏସ୍‌ଏଚ୍‌ଜି ଜରିଆରେ ଧାନ କିଣାଯିବ। ଧାନଚାଷୀଙ୍କ ନାମରେ ପ୍ରାୟ ୭ରୁ ୮ ଲକ୍ଷ ଜମି ପ୍ଲଟ୍ ଅପଲୋଡ୍ ହୋଇଛି।  କେତେକ ଅଣଚାଷୀ ଧାନଚାଷ କରିଥିବା ଦର୍ଶାଇ ଜମିର ପ୍ଲଟ୍‌କୁ ଅନ୍‌ଲାଇନ ଜରିଆରେ ପ୍ରତି ସମବାୟ ସମିତି ୱାରି ଅପଲୋଡ୍‌ କରିଥିଲେ। ଏହି ପ୍ଲଟ୍‌କୁ ଆଧାର କରି ଧାନ ବିକ୍ରିର ଟାର୍ଗେଟ୍‌ ଓ ଟୋକନ୍ ପ୍ରଦାନ କରାଯିବାର ବ୍ୟବସ୍ଥା ହେବ। ଏଥର ମଧ୍ୟ କେତେକ ମିଲରଙ୍କ ଦଲାଲ ଓ ସହଯୋଗୀମାନେ ତଞ୍ଚକତା କରି ଅଣଚାଷ ଜମିକୁ ପଞ୍ଜୀକରଣ କରିଥିଲେ। ଜିଲ୍ଲାର ୭୫ ହଜାର ୮୨୮ଟି ପ୍ଲଟ୍ ସନ୍ଦେହଘେରକୁ ଆସିଥିଲା। ଫଳରେ ରାଜ୍ୟ ସରକାରଙ୍କ  ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ପ୍ୟାକ୍ସ ୱାରି ସନ୍ଦିଗ୍ଧ ପ୍ଲଟର ତାଲିକା ପ୍ରସ୍ତୁତ କରାଯାଇଥିଲା। ସେଥିମଧ୍ୟରୁ ବଡ଼ଚଣାରେ ୧୪,୫୩୬ ପ୍ଲଟ, ବରୀରେ ୩,୧୯୯ ପ୍ଲଟ୍, ବିଂଝାରପୁରରେ ୬,୯୦୮ ପ୍ଲଟ୍, ଦାନଗଦୀରେ ୫,୫୧୮ପ୍ଲଟ୍, ଦଶରଥପୁରରେ ୮,୫୩୦ପ୍ଲଟ୍ , ଧର୍ମଶାଳାରେ ୮,୧୯୬ପ୍ଲଟ୍, ସୁକିନ୍ଦାରେ ୨,୧୬୨ପ୍ଲଟ୍‌, ରସୁଲପୁରରେ ୩,୫୦୮ପ୍ଲଟ୍, କୋରେଇରେ ୧୨,୧୪୫ପ୍ଲଟ୍ ଓ ଯାଜପୁରର ୧୦,୯୪୫ ପ୍ଲଟ୍‌ ଧାନଜମି ଉପରେ ସନ୍ଦେହ ପ୍ରକାଶ ପାଇଥିଲା।

ଏ ସଂପର୍କରେ ଆରସିଏସ୍‌ଙ୍କ ତାଗିଦ ପରେ ଯାଞ୍ଚ ଆରମ୍ଭ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ୧୪୮ ଜଣ ସେର୍ଭେୟରଙ୍କ ଜରିଆରେ ୧୫୦୦ ପ୍ଲଟ୍ ଯାଞ୍ଚ୍‌ କରାଯାଇଛି। ସେମଧ୍ୟରୁ ୮୦୦ ପ୍ଲଟ୍ ଅଣଚାଷ ଜମି ବୋଲି ଚିହ୍ନଟ ହୋଇଛି। ପଡ଼ିଆ, ଜଙ୍ଗଲ, ସ୍କୁଲଘର ଇତ୍ୟାଦିରେ ଧାନଚାଷ ହୋଇଥିବା ଦର୍ଶାଯାଇଥିବା ଧରାପଡ଼ିଛି। ପ୍ଲଟ୍‌ର ବାସ୍ତବ ସ୍ଥିତିକୁ ଆର୍‌ଆଇ ଓ ଭିଏଲ୍‌ଡବ୍ଲୁଙ୍କ ଜରିଆରେ ଯାଞ୍ଚ୍‌ କରି ଅପଲୋଡ୍‌ କରିବାର ନିୟମ ଥିବାବେଳେ ତାହା କରାଯାଉନାହିଁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର