ମାଲବାହୀ ଟ୍ରେନ୍‌ର ୯ ବଗି ଲାଇନ୍‌ଚ୍ୟୁତ: ଅଳ୍ପକେ ବର୍ତ୍ତିଲେ ଚାଳକ, ଅନୁଗୁଳ ଦେଇ ଟ୍ରେନ୍‌ ଚଳାଚଳ ଠପ୍‌

ଅନୁଗୁଳ/ବଅଁରପାଳ: ଅନୁଗୁଳ-ତାଳଚେର ରେଳ ଲାଇନ୍‌ରେ ସୋମବାର ରାତିରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଫଳରେ ଏହି ଲାଇନ୍‌ରେ ସମସ୍ତ ରେଳ ଚଳାଚଳ ବନ୍ଦ ହୋଇଯାଇଛି। କିଛି ଦୂରଗାମୀ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିଲାବେଳେ ଅନେକ ଟ୍ରେନକୁ ବାତିଲ କରାଯାଇଛି। ଦୁର୍ଘଟଣାରେ ଟ୍ରେନ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲାବେଳେ ଉଦ୍ଧାର କାର୍ଯ୍ୟ ଜୋରସାର୍‌ରେ ଚାଲିଛି। ଆସନ୍ତାକାଲି ସକାଳ ସୁଦ୍ଧା ସ୍ଥିତି ସ୍ବାଭାବିକ ହେବା ନେଇ ଆଶା କରାଯାଉଛି।

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଭୋଗବେରେଣୀ ପଞ୍ଚାୟତର ମୁଣ୍ଡାମାଳ ସାହି ନିକଟସ୍ଥ ରେଲୱେ କେନାଲ ବ୍ରିଜ ନିକଟରେ ଗହମ ବୋଝେଇ ଏହି ମାଲବାହୀ ଟ୍ରେନଟି ସୋମବାର ରାତି ୨ଟା ୩୫ ମିନିଟ୍‌ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅନୁଗୁଳ ଷ୍ଟେସନରୁ ରାତି ୨ଟା ୧୫ ମିନିଟ୍‌ରେ ଟ୍ରେନ ଛାଡ଼ିଥିଲାବେଳେ ତାଳଚେର ରୋଡ୍‌ ଷ୍ଟେସନର ୨ କିମି ପୂର୍ବରୁ ଏହା ଲାଇନଚ୍ୟୁତ ହୋଇଥିଲା। ଟ୍ରେନ ଇଞ୍ଜିନ ସହିତ ୯ଟି ୱାଗନ କ୍ଷତିଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ପ୍ରବଳ ବର୍ଷା କାରଣରୁ ଭୋଗବେରେଣୀ ନିକଟରେ ଥିବା ଏକ ପୋଲ ଉପରେ ରେଳଧାରଣା ତଳକୁ ଦବି ଯାଇଥିଲା। ତେଣୁ ଧାରଣାର ଗୋଟିଏ ପାର୍ଶ୍ବ ଉପରକୁ ଉଠି ରହିଥିଲା। ମାଲବାହୀ ଟ୍ରେନଟି ଆସୁଥିବା ବେଳେ ଟ୍ରେନ ଇଞ୍ଜିନ ଭିତରକୁ ଗୋଟିଏ ଧାରଣା ପଶି ଯିବାରୁ ଇଞ୍ଜିନ ଓଲଟି ପଡ଼ିଥିଲା। ପରେ ବଗିଗୁଡ଼ିକୁ ଏହା ଉପରେ ଚଢ଼ି ଯାଇଥିଲା। ଟ୍ରେନର ୪୨ ଟି ଗହମ ବୋଝେଇ ବଗି ମଧ୍ୟରୁ ୯ଟି ବଗି ଓଲଟି ପଡ଼ି ଗହମ ବସ୍ତା ବାହାରକୁ ବାହାରି ଆସିଥିଲା। ଫଳରେ ବହୁ ଗହମ ବସ୍ତା ଫାଟି ନଷ୍ଟ ହୋଇଯାଇଥିଲା।

ଦୁର୍ଘଟଣା ଖବର ପାଇ ଖୋର୍ଦ୍ଧା ଓ ସମ୍ବଲପୁରରୁ ଦୁଇଟି ଉଦ୍ଧାରକାରୀ ଟ୍ରେନ‌୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ରେଳବାଇର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଅନୁଗୁଳ-ତାଳଚେର ମୁଖ୍ୟ ଲାଇନ୍‌‌ରେ ଏହି ଦୁର୍ଘଟଣା ହୋଇଥିବାରୁ ଏହି ଲାଇନ୍‌ରେ ସମସ୍ତ ରେଳ ଚଳାଚଳ ବନ୍ଦ ରହିଛି। ଏହା ସିଙ୍ଗଲ୍‌ ଲାଇନ୍‌ ହୋଇଥିବାରୁ ବହୁ ଟ୍ରେନକୁ ବାତିଲ କରାଯାଇଛି। ରାଉରକେଲା-ପୁରୀ ସ୍ବତନ୍ତ୍ର, ରାଉରକେଲା-ଭୁବନେଶ୍ବର ସ୍ବତନ୍ତ୍ର, ପୁରୀ-ରାଉରକେଲା ସ୍ବତନ୍ତ୍ର, ଭୁବନେଶ୍ବର-ରାଉରକେଲା ସ୍ବତନ୍ତ୍ର, ପୁରୀ-ଏଲଟିଟି, ଭୁବନେଶ୍ବର-ବଲାଙ୍ଗୀର ସ୍ବତନ୍ତ୍ର, ବଲାଙ୍ଗୀର-ଭୁବନେଶ୍ବର ସ୍ବତନ୍ତ୍ର, ହାଟିଆ-ପୁରୀ ସ୍ବତନ୍ତ୍ର, ପୁରୀ-ହାଟିଆ ସ୍ବତନ୍ତ୍ର, ପୁରୀ-ଦୁର୍ଗ ସ୍ବତନ୍ତ୍ର, ଦୁର୍ଗ-ପୁରୀ ସ୍ବତନ୍ତ୍ର, ରାଉରକେଲା-ଗୁଣପୁର ସ୍ବତନ୍ତ୍ର, ଗୁଣପୁର-ରାଉରକେଲା ସ୍ବତନ୍ତ୍ର ଟ୍ରେନକୁ ବାତିଲ କରାଯାଇଛି। ଆସନ୍ତାକାଲି ସକାଳ ୯ଟା ବେଳକୁ ଉଦ୍ଧାର କାର୍ଯ୍ୟ ଶେଷ ହେବା ସହ ଟ୍ରେନ ଚଳାଚଳ ସ୍ବାଭାବିକ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର