ରାତି ଅଧରେ ଛୁଟିଆସିଲେ, ବିପଦର ବନ୍ଧୁ ସାଜିଲେ ରକ୍ତଦାତା

କଟକ : ନିଜ ସ୍ବାସ୍ଥ୍ୟ ପ୍ରତି ଖାତିର ନଥିଲା। ସମୟ ପ୍ରତି ବି ଚିନ୍ତା ନଥିଲା। ଗୋଟିଏ ଲକ୍ଷ୍ୟ ଥିଲା ରକ୍ତ ଅଭାବରୁ ଜଣଙ୍କୁ ବି ମରିବାକୁ ଦେବାନି। ଏଭଳି ଆହ୍ବାନରେ ଅନୁପ୍ରାଣୀତ ହୋଇ ବାଲେଶ୍ବରରୁ କଟକ ଯାଏ ରାତି ଅଧରେ ରକ୍ତ ଦେବାକୁ ଯୁବକମାନଙ୍କ ଭିଡ ସମସ୍ତଙ୍କୁ ଚକିତ ଆଉ ଅଭିଭୂତ କରିଛି। ବାହାନାଗା ଟ୍ରେନ୍ ଦୁର୍ଘଟଣାରେ ଅନେକ ଆହତଙ୍କ ପାଇଁ ଆବଶ୍ୟକ ପଡ଼ୁଥିବା ରକ୍ତ ଯେଭଳି ଅଭାବ ନ ହେବ ସେଥିପାଇଁ ଦୁର୍ଘଟଣା ପରେ ପରେ ବାଲେଶ୍ବର ମେଡିକାଲରେ ଜମି ଯାଇଥିଲା ସ୍ବେଚ୍ଛାକୃତ ରକ୍ତଦାତା ମାନଙ୍କର ଭିଡ। ପ୍ରଥମେ ରକ୍ତଦାନ କରିବାକୁ ସେମାନଙ୍କ ଭିତରେ ଏକ ପ୍ରକାର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଥିଲା। ରକ୍ତ ଭଣ୍ଡାର ବାହାରେ ଠେଲାପେଲା ବି ଲାଗି ରହିଥିଲା। ରାତାରାତି ୫ଶହରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

ଉଦାହରଣ ସୃଷ୍ଟି କଲା କଟକ, ବାଲେଶ୍ବର
ସମ୍ବାଦ-ଆମ ଓଡ଼ିଶା, ଜୟ ଜଗନ୍ନାଥ ସେବା ସମିତି, ଡାକ୍ତରୀ ଛାତ୍ରଙ୍କ ସହଯୋଗରେ ହେଲା ରକ୍ତଦାନ
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

କିନ୍ତୁ ଗୁରୁତର ରୋଗୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବା ପରେ କଟକ ବଡ଼ ମେଡିକାଲରେ ବି ଯେଭଳି ରକ୍ତର ଅଭାବ ନ ରହିବ ସେ ଦିଗରେ ଉଦ୍ୟମ ଆରମ୍ଭ ହୋଇଯାଇଥିଲା। ରାତି ୧୨ଟାରେ କଟକ ବଡ ମେଡିକାଲ୍ ବ୍ଲଡ୍ ବ୍ୟାଙ୍କରେ ଆରମ୍ଭ ହୋଇଥିଲା ରକ୍ତଦାନ। ବ୍ଲଡ୍ ଟ୍ରାନ୍ସଫ୍ୟୁଜନ
ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସ୍ମିତା ମହାପାତ୍ର ଭୁବନେଶ୍ବରରୁ ଆସି କଟକରେ ପହଞ୍ଚି ତାଙ୍କ ସହଯୋଗୀ ମାନଙ୍କ ସହିତ ରକ୍ତ ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ। ଏବଂ ଏଥିରେ ସର୍ବ ପ୍ରଥମେ ଯୋଡ଼ି ହୋଇ ଯାଇଥିଲା ‘ସମ୍ବାଦ-ଆମ ଓଡ଼ିଶା। ସମ୍ବାଦ-ଆମ ଓଡ଼ିଶା ଏବଂ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ମିଳିତ ଭାବେ ରକ୍ତଦାନ ଶିବିର ଆୟୋଜନ ପାଇଁ ଯୋଜନା ରଖିଥିବା ବେଳେ ସମୟର ଆହ୍ବାନକୁ ସ୍ବୀକାର କରି ରାତି ଅଧରେ ରକ୍ତଦାନ କରିବାକୁ କଟକ ବଡ ମେଡିକାଲରେ ପହଞ୍ଚି ଯାଇଥିଲେ। ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ସୁଶାନ୍ତ ସ୍ବାଇଁ, ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ଶଶାଙ୍କ ଶେଖର ଦାଶ ପ୍ରମୁଖ ରକ୍ତଦାନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ପରକୁ ପର ଅନ୍ୟ ସହଯୋଗୀମାନେ ବି ରକ୍ତଦାନ ପ୍ରକ୍ରିୟାକୁ ଆଗକୁ ନେଇଥିଲେ। ଏସସିବି ମେଡିକାଲ କଲେଜର ଛାତ୍ରମାନେ ବି ରକ୍ତ ଦେବାକୁ ସେଠାରେ ପହଞ୍ଚି ଯାଇଥିଲେ। ବିଭିନ୍ନ ସଂଗଠନର ସ୍ବେଚ୍ଛାସେବୀ ପହଞ୍ଚି ଥିଲେ। ରାତି ୩ଟା ଯାଏ ଚାଲିଥିବା ଏହି ଶିବିରରୁ ୯୦ ୟୁନିଟ୍ ରକ୍ତ ସଂଗ୍ରହ​ ହୋଇଥିଲା।

କଟକ ବଡ ମେଡିକାଲ ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ଡାକ୍ତର ଦେବୀ ପ୍ରସାଦ ସାହୁ, ଡାକ୍ତର ବିନୟ ଭୂଷଣ ସାହୁ, ନିରଂଜନ ପଟ୍ଟନାୟକ, ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଜ୍ଞାନରଂଜନ ରାଉତରାୟ, ସୀମନ୍ତିକା ନନ୍ଦ, ଜ୍ୟୋତିପ୍ରକାଶ ମହାପାତ୍ର, ସୌମ୍ୟରଂଜନ ପାତ୍ର, ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ମନୋଜ ପଣ୍ଡା, ସୁପ୍ରଭା ସ୍ବାଇଁ, ଏସସିବି ୟୁଜି ଛାତ୍ର ସଂସଦ ସଭାପତି ଓମ୍ ସ୍ବୟଂ ପ୍ରକାଶ ରାଉତରାୟ, ନିରାମୟ ଉପଦେଷ୍ଟା ରଂଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଜି ଶିଖ୍ ସଂଗଠନ, କଟକର ବିଭିନ୍ନ କ୍ଲବ୍, ସାମାଜିକ ଅନୁଷ୍ଠାନ, ଏମିତିକି ଓଡ଼ିଶା ହାଇକୋର୍ଟ ପକ୍ଷରୁ ମଧ୍ୟ ରକ୍ତଦାନ କାର୍ଯ୍ୟକ୍ରମ କରାଯାଇଥିଲା। ଆଜି ଦିନକ ଭିତରେ କଟକ ବଡ ମେଡିକାଲ ରକ୍ତ ଭଣ୍ଡାର ଓ କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାରରେ ୧୨ଶହ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଛି।

ସମ୍ବନ୍ଧିତ ଖବର