ରାଉରକେଲା: ଆଫଗାନିସ୍ଥାନରେ ତାଲିବାନ ଶାସନ ଆରମ୍ଭ ହେବା ପରଠାରୁ ସେଠାରେ ଜନସାଧାରଣଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି। ଶିକ୍ଷାବ୍ୟବସ୍ଥା ଏକପ୍ରକାର ଭୁଶୁଡ଼ି ପଡ଼ିଥିବାରୁ ବିଭିନ୍ନ ଅନ୍ତର୍ଜାତୀୟ ଯୋଜନାରେ ଉଚ୍ଚ ଓ ବୈଷୟିକ ଶିକ୍ଷା ପାଇଁ ଭାରତକୁ ଆସିଛନ୍ତି ଆଫ୍‌ଗାନିସ୍ତାନର ଶହଶହ ଛାତ୍ରଛାତ୍ରୀ। ବର୍ତ୍ତମାନ ପାଖାପାଖି ୬ଶହ ଆଫ୍‌ଗାନ୍‌ ବିଦ୍ୟାର୍ଥୀ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍‌) ତରଫରୁ ଛାତ୍ରବୃତ୍ତି ପାଇ ଭାରତରେ ପଢ଼ୁଛନ୍ତି। ଏହି କ୍ରମରେ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୨୮ଜଣ ଅଧ୍ୟୟନରତ। ଏଥିମଧ୍ୟରୁ ୭ଜଣ ବିଟେକ୍‌, ଏମ୍‌ଟେକ୍‌ ଶିକ୍ଷା ଶେଷ କରି ସାରିଛନ୍ତି। ସେମାନେ ଏବେ ଭାରତରେ ରହି ଅଧିକ ଶିକ୍ଷାଲାଭ ପାଇଁ ଇଚ୍ଛା କରିଛନ୍ତି। କିନ୍ତୁ ଆଇସିସିଆର୍‌ ଛାତ୍ରବୃତ୍ତି ବୃଦ୍ଧି କରାଯାଉ ନଥିବାରୁ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି। ଷ୍ଟଡି ଭିସା ବି ଶେଷ ହୋଇ ଯାଇଥିବାରୁ ଏହି ବିଦେଶୀ ଛାତ୍ରଛାତ୍ରୀଙ୍କ ଦୁଃଖ ଦ୍ବିଗୁଣିତ ହୋଇଯାଇଛି।

Advertisment

୭ଜଣ ଛାତ୍ର ହେଲେ, ରାଉରକେଲା ଏନ୍‌ଆଇଟିର ମହମ୍ମଦ ଇବ୍ରାହିମ ଫୋରୋ (ଏମ୍‌ଟେକ୍‌, ଷ୍ଟ୍ରକଚରାଲ ଇଞ୍ଜିନିଅରିଂ), ସର୍ଦ୍ଦାର ୱାଲୀ (ବିଟେକ୍‌, ସିଭିଲ୍‌ ଇଞ୍ଜନିଅରିଂ), ଭୁବନେଶ୍ବରସ୍ଥିତ ସିଭିରମଣ ଗ୍ଲୋବାଲ୍‌ ୟୁନିଭର୍ସିଟିର ଜିଆହୁଲ୍‌ ହକ୍‌ ବେହରୋଜ୍‌ (ଏମ୍‌ଟେକ୍‌, ସିଏସ୍‌ଇ) ଓ ହାରେସ୍‌ ଫିଦାଇ (ବିଟେକ୍‌, ସିଭିଲ୍‌ ଇଞ୍ଜିନିଅରିଂ) ଏବଂ ଭୁବନେଶ୍ବର କିଟ୍‌ ୟୁନିଭର୍ସିଟିର ମହମ୍ମଦ ସଫି ରହିମି (ବିଟେକ୍‌, ସିଭିଲ ଇଞ୍ଜିନିଅରିଂ), ଅହମଦ ଓମିଦ ଆସିଲ୍‌ (ବିଟେକ୍‌, ଇନଫର୍ମେସନ ଟେକ୍ନୋଲଜି) ଏବଂ ଆରସ୍‌ ତେହେରି (ବିଟେକ୍‌, ଇନ୍‌ଫର୍ମେସନ ଟେକ୍ନୋଲଜି)। ଏମାନଙ୍କ ଛାତ୍ରବୃତ୍ତି ତଥା ଷ୍ଟଡି ଭିସା ଶେଷ ହୋଇସାରିଛି। ଏନ୍‌ଆଇଟିର ଦୁଇ ଛାତ୍ର ସର୍ଦ୍ଦାର ଏବଂ ଇବ୍ରାହିମ୍‌ଙ୍କ ଷ୍ଟଡି ଭିସା ଜୁନ ୩୦ ତାରିଖରୁ ଶେଷ ହୋଇସାରିଲାଣି। ଉଭୟେ ଏନ୍‌ଆଇଟି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲା ପରେ ସେମାନଙ୍କୁ ଦୁଇ ମାସ ମହଲତ ଦିଆଯାଇଛି। ଅର୍ଥାତ୍‌ ଅଗଷ୍ଟ ଶେଷ ଯାଏ ଉଭୟେ ଏନ୍‌ଆଇଟି ଛାତ୍ରାବାସରେ ରହିପାରିବେ। ଏହି ସମୟ ଭିତରେ ଛାତ୍ରବୃତ୍ତି, ଷ୍ଟଡି ଭିସାର ମିଆଦ ବୃଦ୍ଧି ନହେଲେ ଅନିଚ୍ଛା ସତ୍ତ୍ବେ ସେମାନଙ୍କୁ ଭାରତରୁ ବିଦା ହେବାକୁ ପଡ଼ିବ।

ଛାତ୍ରବୃତ୍ତି ମିଆଦ ବୃଦ୍ଧି କରିବାରେ କେନ୍ଦ୍ର ସରକାର ବିଳମ୍ବ କରି ଚାଲିଥିବାରୁ ଛାତ୍ରଛାତ୍ରୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଗଷ୍ଟ ଶେଷ ସୁଦ୍ଧା ଏନେଇ ସକାରାତ୍ମକ ପଦକ୍ଷେପ ନିଆ ନଗଲେ ଚଳିତ ଶିକ୍ଷାବର୍ଷରେ ଏହି ୭ ଛାତ୍ର ପରବର୍ତ୍ତୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବା ପ୍ରାୟ ନିଶ୍ଚିତ।

ଉଲ୍ଲେଖଯୋଗ୍ୟ, ୨୦୨୧ରେ ଆଫଗାନିସ୍ଥାନରେ ତାଲିବାନ ଶାସନ ଆରମ୍ଭ ହେବାପରେ କେନ୍ଦ୍ର ସରକାର ଲଗାତାର ଦୁଇବର୍ଷ ଏହି ଛାତ୍ରବୃତ୍ତି ମିଆଦ ବୃଦ୍ଧି କରିଥିଲେ। ଏଥର କିନ୍ତୁ ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ନଥିବାରୁ ଏମାନଙ୍କ ଭବିଷ୍ୟତ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଏନେଇ ଆଫଗାନୀ ଛାତ୍ର ସର୍ଦ୍ଦାର ୱାଲୀ କହନ୍ତି, ଭାରତ ସରକାର ପୂର୍ବରୁ ଦୁଇଥର ଆଇସିସିଆର୍‌ ଛାତ୍ରବୃତ୍ତି ବୃଦ୍ଧି କରିଥିବାରୁ ଛାତ୍ରଛାତ୍ରୀ ଆହୁରି ଅଧିକ ଶିକ୍ଷା ଲାଭ କରିବାର ସୁଯୋଗ ପାଇଲେ। ଏବେ କିନ୍ତୁ ଏନେଇ କାଳକ୍ଷେପଣ ନୀତି ଗ୍ରହଣ କରିଥିବା ଦେଖିବାକୁ ମିଳୁଛି। ଯାହାଦ୍ବାରା ଆମର ଭବିଷ୍ୟତ ଅନ୍ଧକାର ଭିତରେ। ଷ୍ଟଡି ଭିସାରେ ଆସିଥିବାରୁ ବାହାରେ କାମ କରି ରୋଜଗାର କରିବା ସମ୍ଭବ ହେଉନି। ଫଳରେ ଆମର ମାନସିକ ଓ ଆର୍ଥିକ ସ୍ଥିତି ଦୟନୀୟ ହୋଇପଡ଼ିଲାଣି। ଯଥାଶୀଘ୍ର ଭାରତ ସରକାର ନିଷ୍ପତ୍ତି ନେଇ ଛାତ୍ରବୃତ୍ତି ବୃଦ୍ଧି କରିବା ନିତାନ୍ତ ଜରୁରି ହୋଇପଡ଼ିଛି। ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ ପକ୍ଷରୁ ପାଖାପାଖି ଶହେରୁ ଅଧିକ ଦେଶର ଛାତ୍ରଛାତ୍ରୀଙ୍କୁ ଆଇସିସିଆର୍‌ ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ। ବିଟେକ୍‌ ଛାତ୍ରଛାତ୍ରୀଙ୍କୁ ଚାରି ବର୍ଷ ପର୍ଯ୍ୟନ୍ତ ମାସିକ ୧୮ ହଜାର ଟଙ୍କା ଛାତ୍ରବୃତ୍ତି ଦିଆଯାଉଥିବା ବେଳେ ଏମଟେକ୍‌ ଛାତ୍ରଛାତ୍ରୀଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ମାସିକ ୨୦ ହଜାର ଓ ପିଏଚ୍‌ଡି ପାଇଁ ୪ ବର୍ଷ ପର୍ଯ୍ୟନ୍ତ ମାସିକ ୨୨ହଜାର ଟଙ୍କା ଲେଖାଏଁ ଦିଆଯାଏ। ଏତଦ୍‌ବ୍ୟତୀତ ପ୍ରତିବର୍ଷ ପାଠ୍ୟ ଉପକରଣ କିଣିବାକୁ ୧୦ ହଜାର ଟଙ୍କା, ଟ୍ୟୁସନ ଫି ଦିଆଯାଇଥାଏ।