ଅନ୍ଧାରରେ ଏଲ୍ଆର୍ ଆଇନ୍ ମହାବିଦ୍ୟାଳୟ ଭବିଷ୍ୟତ, ଅତିଥି ଅଧ୍ୟାପକ ଏବେ ଅଧ୍ୟକ୍ଷ
୭୦୦ ବିଦ୍ୟାର୍ଥୀଙ୍କୁ ୩ ଅଧ୍ୟାପକ, ଭିତ୍ତିଭୂମି ଥାଇ ବି ବିଶ୍ବବିଦ୍ୟାଳୟ ଦୌଡ଼ରୁ ବାଦ
ସମ୍ବଲପୁର: ୧୯୬୫ ମସିହାରେ ସ୍ଥାପିତ ଲଜ୍ପତ ରାୟ ଆଇନ୍ ମହାବିଦ୍ୟାଳୟ ହେଉଛି ରାଜ୍ୟର ଦ୍ବିତୀୟ ସର୍ବପୁରାତନ ଆଇନ୍ କଲେଜ୍। କଟକର ମଧୁସୂଦନ ଆଇନ୍ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟଭାବେ ଉନ୍ନୀତ ହେବାପରେ ବର୍ତ୍ତମାନ ଏଲ୍ଆର୍ ହିଁ ଓଡ଼ିଶାର ସର୍ବବୃହତ୍ ଆଇନ୍ ମହାବିଦ୍ୟାଳୟ। ଏହାକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦେଇ ପଶ୍ଚିମ ଓଡ଼ିଶାର ଆଇନ୍ ମହାବିଦ୍ୟାଳୟ ଗୁଡ଼ିକୁ ଏହା ଅଧୀନରେ ରଖିବାକୁ ବହୁଦିନରୁ ଦାବି ହୋଇ ଆସୁଥିଲା। ଗତବର୍ଷ ଏପ୍ରିଲ୍ ମାସରେ ଏମ୍ଏସ୍ ଆଇନ୍ ମହାବିଦ୍ୟାଳୟକୁ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଭାବେ ଉନ୍ନୀତ କରିବା ପରଠାରୁ ଏଲ୍ଆର୍ ଆଇନ୍ ମହାବିଦ୍ୟାଳୟକୁ ବି ଏହି ମାନ୍ୟତା ଦେବାପାଇଁ ଦାବି ତୀବ୍ର ହୋଇଥିଲା। ଏହି ଅନୁଷ୍ଠାନକୁ ନେଇ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଆଇନ୍ଜୀବୀ ଓ ସ୍ଥାନୀୟ େଲାକେ ଅନେକ ସ୍ବପ୍ନ ଦେଖୁଥିଲେ। କିନ୍ତୁ ଉନ୍ନତି ବଦଳରେ କ୍ରମେ ଏହି ମହାବିଦ୍ୟାଳୟର ଅଧୋପତନ ଆରମ୍ଭ ହୋଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର କନ୍ଷ୍ଟିଚୁଏଣ୍ଟ କଲେଜ୍ ଥିବା ଏହି ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ କ’ଣ ହେବ, ନାନାବିବାଦରେ ଛନ୍ଦି ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବୁଦ୍ଧିଜୀବୀ ମହଲଙ୍କ ଅଭିଯୋଗ ଅନୁଯାୟୀ, ପ୍ର. ସଂଜୀବ ମିତ୍ତଲ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ଦାୟିତ୍ବ ନେବା ପରଠାରୁ ନାନା ପ୍ରକାର ବିବାଦ ଉପୁଜିବା ସହ ଏଲ୍ଆର୍ ଆଇନ୍ ମହାବିଦ୍ୟାଳୟରେ ବି ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଜ୍ୟୋତିବିହାରଠାରୁ ଦୂରରେ ସମ୍ବଲପୁର ସହର ଭିତରେ ଥିବା ସତ୍ତ୍ବେ ଏହି ମହାବିଦ୍ୟାଳୟରେ କୁଳପତିଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ଏଠାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କିଛିଦିନ ତଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ କୁଳପତି ପ୍ର. ମିତ୍ତଲ ଆଇନ୍ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର୍ ଗିରିଜା ଶଂକର ଶର୍ମାଙ୍କୁ ୪୦ ହଜାର ଟଙ୍କା ଦରମାରେ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ଦେଇଥିଲେ। କଲେଜ୍ରେ ଅଧ୍ୟାପକଙ୍କ ସଂଖ୍ୟା କମ୍ ଥିବାରୁ ଶ୍ରୀ ଶର୍ମାଙ୍କୁ ଖାଲି ଥିବା ଆସୋସିଏଟ୍ ପ୍ରଫେସର୍ ପଦ ବିପକ୍ଷରେ ନିଯୁକ୍ତି ଦିଆଯାଇଥିବା ନିଯୁକ୍ତି ପତ୍ରରେ ଉଲ୍ଲେଖ କରାଯାଇଥିଲା। ତେବେ, ସେତିକିରେ କଥା ସରି ନଥିଲା। ସେ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ବୋଲି ବି ଉକ୍ତ ଚିଠିରେ ଉଲ୍ଲେଖ ରହିଥିଲା। ଅର୍ଥାତ୍ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ମହାବିଦ୍ୟାଳୟର ସ୍ଥାୟୀ ଅଧ୍ୟକ୍ଷ ଡ. ବିଜୟାନନ୍ଦ ବେହେରାଙ୍କୁ ପଦରୁ ହଟାଇ ଅତିଥି ଅଧ୍ୟାପକ ପ୍ର. ଶର୍ମାଙ୍କୁ ଅଧ୍ୟକ୍ଷ ଦାୟିତ୍ବ ଦେଇଥିଲେ। ଜଣେ ସ୍ଥାୟୀ ଅଧ୍ୟକ୍ଷ କିପରି ପଦରୁ ଅନ୍ତର ହୋଇ କେବଳ ଅଧ୍ୟାପକ ଭାବେ କାର୍ଯ୍ୟ କରିବେ, ଜଣେ ଅତିଥି ଅଧ୍ୟାପକ କେମିତି ଏକ ପ୍ରତିଷ୍ଠିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବ ନେବେ ସେନେଇ ପ୍ରଶ୍ନବାଚୀ ଉଠିଥିଲା। ହେଲେ, ଏଭଳି ଅଧ୍ୟକ୍ଷ ପରିବର୍ତ୍ତନର ଉଦ୍ଦେଶ୍ୟ କିଛିଦିନ ପରେ ସ୍ପଷ୍ଟ ହୋଇଯାଇଥିଲା ଯେତେବେଳେ ପ୍ର. ଶର୍ମା ଆଇନ୍ ମହାବିଦ୍ୟାଳୟର ପାଣ୍ଠିରୁ ୬୨ ଲକ୍ଷ ଟଙ୍କା ସମ୍ବଲପୁର ବିଶ୍ବବିଦ୍ୟାଳୟ ଖାତାକୁ ପଠାଇ ଦେଇଥିଲେ। କୌଣସି ଗୋଟିଏ ଅନୁଷ୍ଠାନର ଅର୍ଥ ଏଭଳି ଭାବେ ପଠାଯିବାର ଏହା ଏକ ବିରଳ ଘଟଣା ଥିଲା ଯାହାକୁ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂଘ ଓ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଜୋରଦାର ବିରୋଧ କରିଥିଲେ। କେବଳ ଏତିକି ନୁହେଁ, ଅଧ୍ୟାପକ/ଅଧ୍ୟାପିକା ଅଭାବରୁ ପାଠପଢ଼ାରେ ବି ବ୍ୟାହତ ସୃଷ୍ଟିହେଉଛି। ଏହି ଆଇନ୍ ମହାବିଦ୍ୟାଳୟରେ ବର୍ତ୍ତମାନ ଏଲ୍ଏଲ୍ବି, ବିବିଏଲ୍ଏଲ୍ବି, ଏଲ୍ଏଲ୍ଏମ୍, ପିଜିଡିଆଇଆର୍ପିଏମ୍ ଆଦି ୪ଟି ପାଠ୍ୟକ୍ରମରେ ମୋଟ ୬୯୦ ଛାତ୍ରଛାତ୍ରୀ ଅଛନ୍ତି। ପୂର୍ବରୁ ଏହାର ଅଧ୍ୟକ୍ଷଙ୍କୁ ମିଶାଇ ମାତ୍ର ୩ ଜଣ ସ୍ଥାୟୀ ଅଧ୍ୟାପକ ଥିଲେ। ଏବେ ଉକ୍ତ ୩ ଅଧ୍ୟାପକଙ୍କ ସହ ଅତିଥି ଅଧ୍ୟକ୍ଷ ପ୍ର. ଶର୍ମାଙ୍କୁ ମିଶାଇ ୪ ଜଣ ହୋଇଛନ୍ତି। ବିଭିନ୍ନ ସମୟରେ କ୍ଲାସ୍ ନେବା ପାଇଁ ଆଉ ୩୦ ଜଣ ଅତିଥି ଅଧ୍ୟାପକ ରହିଛନ୍ତି। ଏହି କଲେଜ୍ର କର୍ମଚାରୀ ସଂଖ୍ୟା ବି ଯଥେଷ୍ଟ କମ୍ ଅଛି ଓ ଅନେକ ପଦ ଖାଲି ପଡ଼ିଛି। ଉତ୍ତମ ଭିତ୍ତିଭୂମି ଥିଲେ ବି ଏହାର ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ କୌଣସି ଉଦ୍ୟମ କରି ନଥିବାରୁ ଏହା ବିଶ୍ବବିଦ୍ୟାଳୟ ଦୌଡ଼ରେ ପଛରେ ପଡ଼ିଯାଇଛି।