୧୯୩୬ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ଓଡ଼ିଆ ଚଳଚ୍ଚିତ୍ର ଜଗତର ମୂଳଦୁଆ ପକାଇଥିଲା। ୧୯୭୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଓଡ଼ିଶାରେ ଚଳଚ୍ଚିତ୍ର ଶିଳ୍ପର ମାନ୍ୟତା ମିଳିଲା। ବିଗତ କିଛି ବର୍ଷରେ ବହୁ ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ସ୍ତରରେ ମଧ୍ୟ ଖ୍ୟାତି ଓ ପ୍ରସିଦ୍ଧି ଲାଭ କରିଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଇତିହାସ କାଳଜୟୀ ଏବଂ ଆଗାମୀ ଭବିଷ୍ୟତ ହେଉଛି ସ୍ୱର୍ଣ୍ଣିମ ଓ ଉଜ୍ଜଳ ବୋଲି କହିଛନ୍ତି ଓଡ଼ିଶା ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିବେଶର ବିଭିନ୍ନ ଦିଗ ଏବଂ ସୁଯୋଗ ସୃଷ୍ଟି ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଆୟୋଜିତ ଅଧିବେଶନକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ ଓଡ଼ିଆ ଚଳଚ୍ଚିତ୍ର ହେଉଛି ଆମ ଓଡ଼ିଆ ସମାଜ ଓ ସଂସ୍କୃତିର ଏକ ନିଚ୍ଛକ ପ୍ରତିଫଳନ। ଏହାର ଉନ୍ନତି ଓ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ଆମ ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିବ ବୋଲି ସେ ଆଶା ପ୍ରକଟ କରିଥିଲେ। 

Advertisment

ଏହି ଅଧିବେଶନରେ କୋରେଇ ବିଧାୟକ ଆକାଶ ଦାସ ନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର, ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ସମର୍ଥ ବର୍ମା ଉପସ୍ଥିତ ଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ଏକ ଆଲୋଚନାଚକ୍ରର ଆୟୋଜନ ମଧ୍ୟ କରାଯାଇଥିଲା ଯେଉଁଥିରେ ବିଧାୟକ ଆକାଶ ଦାସ ନାୟକଙ୍କ ସମେତ ଚଳଚ୍ଚିତ୍ର ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ ଅମିତାଭ ଗୁହା ଠାକୁର, ପ୍ରମୋଦ ଅରୋରା, ଶିବାଶିଷ ସରକାର, ରାଜେଶ ଶର୍ମା ପ୍ରମୁଖ ଯୋଗଦେଇଥିଲେ।