କୋଇଡ଼ା,(ଅବିନାଶ ଶର୍ମା): ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)କୁ ସର୍ବାଧିକ ଅବଦାନ ଦେଉଥିବା ‌ରତ୍ନଗର୍ଭା କୋଇଡ଼ା ବ୍ଲକ୍‌ରେ ଦେଶର ଭବିଷ୍ୟତ ଗଢ଼ା ହେଉଛନ୍ତି ପରପିଣ୍ଡାରେ- କେଉଁ ଗଛତଳେ ବା କାହା ବାରଣ୍ଡାରେ ତ ଅସୁରକ୍ଷିତ ଛପରତଳେ। ଦୀପତଳ ଅନ୍ଧାର ପରି କୋଇଡ଼ା ବ୍ଲକ୍‌ ମୁଖ୍ୟାଳୟରୁ ମାତ୍ର ୧ କିମି ଦୂର ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଅସୁରକ୍ଷିତ। ରାଉରକେଲାରୁ ମାତ୍ର ୧୦୦ କିମି ଦୂରରେ ବିକାଶର ଏ ବିକଳଚିତ୍ର ହୃଦୟଥରା।

Advertisment

ସରକାରୀ ତଥ୍ୟ କହୁଛି, କୋଇଡ଼ା ବ୍ଲକ୍‌ର ୧୬ ପ୍ରତିଶତ ଅଙ୍ଗନବାଡ଼ି କେନ୍ଦ୍ର ବିପଦସଂକୁଳ। କିନ୍ତୁ ପ୍ରକୃତରେ ବ୍ଲକ୍‌ର ଅଧା ଅଙ୍ଗନବାଡ଼ି କେନ୍ଦ୍ର ବିପଦସଂକୁଳ। କେଉଁଠି କାନ୍ଥ ଫାଟି ଆଁ କରିଛି ତ ଆଉ କେଉଁଠି ଟିଣ ଛପର ମଧ୍ୟରେ ଚନ୍ଦ୍ରସୂର୍ଯ୍ୟ ଦୃଶ୍ୟମାନ ହେଉଛନ୍ତି। କେଉଁଠି ଘରର ଇଟା ଦେଖାଯାଉଛି ତ ଚଟାଣରୁ ସିମେଣ୍ଟ ଉଠିଯାଇଛି। ଅନେକ ସ୍ଥାନରେ ଛାତରୁ ସିମେଣ୍ଟ ଖସି ରଡ୍‌ ମଧ୍ୟ ଦେଖାଯାଉଛି। ଏପରିକି ପାଠ ପଢ଼ାଇବାବେଳେ ମଧ୍ୟ ଛାତରୁ ପଲସ୍ତରା ଖସୁଛି।
ସୂଚନା ଅନୁସାରେ, ବ୍ଲକ୍‌ର ୧୫ଟି ପଞ୍ଚାୟତରେ ରହିଛି ୧୭୭ଟି ଅଙ୍ଗନବାଡ଼ି କେନ୍ଦ୍ର। ସେଥିମଧ୍ୟରୁ ୨୭ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ବିପଦପୂର୍ଣ୍ଣ ଘୋଷଣା କରିଛି। ଭାତହାଣ୍ଡିରୁ ଗୋଟିଏ ଚିପିବା ପରି ବ୍ଲକ୍‌ କାର୍ଯ୍ୟାଳୟରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଭଞ୍ଜପାଲି ଅଙ୍ଗନବାଡ଼ି କେନ୍ଦ୍ରର ଦୁରବସ୍ଥା ଉଦାହରଣୀୟ। ଏଠାରେ କାନ୍ଥ ଫାଟିଯିବା ସହିତ ଟିଣ ମଧ୍ୟ ଫାଟି ଆଁ କରିଛି। ବର୍ଷାଦିନେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ବାଧ୍ୟ ହେଉଛନ୍ତି। ନିକଟରେ ଥିବା ମାଇନ୍ସରେ ବାରମ୍ବାର ବ୍ଲାଷ୍ଟିଂ ଯୋଗୁ କେନ୍ଦ୍ରର ଏଭଳି ସ୍ଥିତି ହୋଇଛି ବୋଲି ଦିଦି ଓ ସହାୟିକା ଅଭିଯୋଗ କରିଛନ୍ତି।

ସେହିପରି ବ୍ଲକ୍‌ ନିକଟବର୍ତ୍ତୀ କାଶୀରା ଗ୍ରାମର କେନ୍ଦ୍ର ବର୍ଷ ବର୍ଷ ନିର୍ମାଣ ସରୁନି। କେନ୍ଦ୍ର କିଛିଦିନ ଅନ୍ୟଜଣଙ୍କ ଘରେ ଚାଲିଲା ତ ଏବେ ନିର୍ମାଣାଧୀନ କେନ୍ଦ୍ରର ବାରଣ୍ଡାରେ ଚାଲିଛି। କାଲଟା ପଞ୍ଚାୟତ କୁସୁମୁଣ୍ଡି ଅଙ୍ଗନବାଡ଼ି କେନ୍ଦ୍ର ବିପଦସଂକୁଳ। ଛାତରୁ ସିମେଣ୍ଟ ଖସି ରଡ୍‌ ଦେଖା ଯାଉଥିବାବେଳେ କାନ୍ଥ ମଧ୍ୟ ଫାଟି ଆଁ କରିଛି। ବର୍ଷାଋତୁରେ ଅଙ୍ଗନବାଡ଼ି ଘରେ ପାଣି ଜମି ରହୁଛି। ଗ୍ରାମବାସୀ ଓ ଅଙ୍ଗନବାଡ଼ି କର୍ମୀ ବାରମ୍ବାର ଏନେଇ ଅଭିଯୋଗ କରିଥିଲେ ସୁଦ୍ଧା ବ୍ଲକ୍‌ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଚିରାଚରିତ ଢଙ୍ଗରେ ସିଡିପିଓ ମିନତି ମହାପାତ୍ର କହିଛନ୍ତି ଯେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିପଦସଂକୁଳ ଘୋଷଣା ସରିଛି, ଅନ୍ୟତ୍ର ପଢ଼ାଇବାକୁ କେନ୍ଦ୍ରଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ତେବେ ଜିଲ୍ଲା ଖଣିଜ ପାଣ୍ଠିରେ ଥିବା କୋଟି କୋଟି ଟଙ୍କାରେ ବିଶ୍ବର ସର୍ବ ବୃହତ ହକି ଷ୍ଟାଡ଼ିୟମ ଭଳି ଏତେ ବଡ଼ ବଡ଼ ଯୋଜନାକୁ ସାକାର କରା ଯାଉଥିବାବେଳେ ପାଣ୍ଠିର ପ୍ରକୃତ ମାଲିକ ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କର ଏମିତି ଏକ ମାମୁଲି ଆବଶ୍ୟତା ମଧ୍ୟ ପୂରଣ ନହେବା ଅଚିନ୍ତନୀୟ ଭାବେ ଦୁର୍ଭାଗ୍ୟଜନକ ବୋଲି ଚର୍ଚ୍ଚା ହେଉଛି।