ଭୁବନେଶ୍ବର: ସାରା ରାଜ୍ୟରେ ଖସୁଛି ପାରଦ। ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ରାତିର ତାପମାତ୍ରା ତଳ ମୁହାଁ ହୋଇଥିବାରୁ ଶୀତ ଅନୁଭୂତ ହେବାରେ ଲାଗିଛି। ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ପୁଣି ହ୍ରାସ ପାଇବା ସହ ଗତକାଲି ରାତିରେ ୬.୬ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ୯.୩, ଫୁଲବାଣୀରେ ୧୦, ଦାରିଙ୍ଗବାଡ଼ିରେ ୧୦.୫, ରାଉରକେଲାରେ ୧୧.୯, ଭବାନୀପାଟଣା, ଝାରସୁଗୁଡ଼ାରେ ୧୨.୨, ଚିପିଲିମା ଓ ଅନୁଗୁଳରେ ୧୨.୮, ନବରଙ୍ଗପୁରରେ ୧୩, କିରୋଇ ଓ ସୁନ୍ଦରଗଡ଼ରେ ୧୩.୫, ରାୟଗଡ଼ାରେ ୧୪, ବଲାଙ୍ଗୀର ଓ ଭଦ୍ରକରେ ୧୪, କେନ୍ଦୁଝର ଓ କୋରାପୁଟରେ ୧୪.୪, ସୋନପୁର ଓ ନୟାଗଡ଼ରେ ୧୪.୭ ଡିଗ୍ରି ରେକର୍ଡ ହୋଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଗତକାଲି ରାତିରେ ସର୍ବାଧିକ ୨୦ ଡିଗ୍ରି ରହିଥିଲା। ନ ହେଲେ ଅନ୍ୟ ସମସ୍ତ ସ୍ଥାନରେ ରାତିର ତାପମାତ୍ରା ୨୦ ଡିଗ୍ରି ତଳେ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କନ୍ଧମାଳକଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ିର ସମ୍ଭାବନା ରହିଛି। ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ କରାଯାଇଛି।

Advertisment

ସେପଟେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଆସନ୍ତା ୨୧ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୩ ତାରିଖ ବେଳକୁ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦୁଇ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ। ତେବେ ଲଘୁଚାପର ପ୍ରଭାବ କେତେ ରହିବ, ସେନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।