ରାୟଗଡ଼ା/ଗୁଣପୁର/ ଭୁବନେଶ୍ବର: କଂଗ୍ରେସକୁ ବାହୁଡ଼ିବେ ଗମାଙ୍ଗ ପରିବାର। ଆସନ୍ତା ୧୭ ତାରିଖରେ ବିଧିବଦ୍ଧ ଭାବେ ସାମିଲ ହେବେ। ଏହି କ୍ରମରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ନିଜ ପରିବାର ସହ ନୂଆଦିଲ୍ଲୀରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିଛନ୍ତି। ଦଳର ମୁଖ୍ୟାଳୟରେ କୋଷାଧ୍ୟକ୍ଷ ଅଜୟ ମାକେନଙ୍କ ଉପସ୍ଥିତିରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଗମାଙ୍ଗ ପରିବାର ଦିଲ୍ଲୀରେ ହାଇକମାଣ୍ଡଙ୍କ ସମେତ ଆଗଧାଡିର ଅନେକ ନେତାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଏହି ବରିଷ୍ଠ ନେତା ମାନେ ଦଳରେ ଯୋଗଦେବା ପରେ କଂଗ୍ରେସ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଅଧିକ ସଂଗଠିତ ହୋବ ବୋଲି ପ୍ରଭାରୀ ଅଜୟ କୁମାର କହିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ ପ୍ରଭାରୀ ଅଜୟ କୁମାରଙ୍କ ସହ ଦୀର୍ଘ ସମୟ ଧରି ସଂଗଠନ ସଂପର୍କରେ ଆଲୋଚନା କରିଥିଲେ। କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଗିରିଧର ଦଳରେ କିଛି ଠିକ୍ ନଥିବା ଦର୍ଶାଇ ବିଜେପିରେ ସାମିଲ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଜେପି ଛାଡ଼ି ବିଆରଏସ୍ରେ ଯୋଗ ଦେଇଥିଲେ। ତେବେ ଦଳରେ କୌଣସି ଭବିଷ୍ୟତ ନଥିବା ଜାଣିବା ପରେ ପୁଣି ପୁରୁଣା ଘରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ପତ୍ନୀ ହେମା ଗମାଙ୍ଗ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲା ବେଳେ ସ୍ବାମୀ ଏବଂ ପୁଅ ଶିଶିରଙ୍କ ସହ ସେ ମଧ୍ୟ କଂଗ୍ରେସକୁ ଫେରିବା ପାଇଁ ସ୍ଥିର କରିଛନ୍ତି। ଓଡ଼ିଶା ଗସ୍ତ ସମୟରେ ପ୍ରଭାରୀ ଅଜୟ କୁମାର ମୁହଁ ଫେରାଇ ଚାଲି ଯାଇଥିବା ପୁରୁଣା ନେତାଙ୍କୁ ଘରକୁ ଫେରାଇ ଆଣିବାକୁ ପିସିସି ସହ ଆଲୋଚନା କରିଥିଲେ। ଏହାର ଅଂଶ ବିଶେଷ ଭାବେ ଗମାଙ୍ଗ ପରିବାର କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି।
ଉଲ୍ଲେଖଥାଉକି, ଗତ ୭ ତାରିଖ ଦିନ ଗମାଙ୍ଗ ପରିବାର ଭୁବନେଶ୍ବରରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହେବେ ବୋଲି ସ୍ଥିର ହୋଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଏହା ଅଟକିଯାଇଥିଲା।