ଦରଦାମ ବୃଦ୍ଧି ନେଇ ଉଦ୍‌ବେଗ; ଧନୀ-ଗରିବ ତାରତମ୍ୟ ବଢ଼ୁଛି: ନରସିଂହ

ସାରା ପୃଥିବୀରେ ବଢ଼ୁଛି, ଭାରତରେ କିପରି ନ ବଢ଼ିବ: ମୋହନ, ଦରବୃଦ୍ଧି ଜାତୀୟ ସମସ୍ୟା: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ନେଇ ଆଜି ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବିରୋଧୀ ଦଳ ପକ୍ଷରୁ ‘ସବ୍‌କା ସାଥ୍‌ ସବ୍‌କା ବିକାଶ, ଦରଦାମ ବୃଦ୍ଧି ଯୋଗୁଁ ରାଜ୍ୟର କୃଷକ, ଶ୍ରମିକ, ଛାତ୍ର ଓ ଯୁବକଙ୍କର ବିନାଶ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା। ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଅହେତୁକ ବୃଦ୍ଧି ପାଉଛି। ଗରିବ, ନିମ୍ନ ମଧ୍ୟବିତ୍ତ ଲୋକମାନଙ୍କ ପାଇଁ କିଣିବା ଅସମ୍ଭବ ହୋଇପଡ଼ିଛି। ଫଳରେ ପୁଷ୍ଟିକର ଖାଦ୍ୟ ଖାଇବାରୁ ସେମାନେ ବଞ୍ଚିତ ହେଉଛନ୍ତି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇଛି। ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ଯେପରି ବୃଦ୍ଧି ପାଉଛି, ତାହାର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ପଡ଼ୁଛି। ୨୦୧୪ ମସିହା ଆଗରୁ ନରେନ୍ଦ୍ର ମୋଦୀ କହୁଥିଲେ, ଯେଉଁ ସରକାର ପେଟ୍ରୋଲ, ଡିଜେଲ ଦାମ କମାଇପାରିବନି, ସେହି ସରକାର ଦେଶଦ୍ରୋହୀ। ଏବେ ପ୍ରଶ୍ନ ଉଠୁଛି, ଦେଶଦ୍ରୋହୀ କିଏ? ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର କମିବା ସତ୍ତ୍ବେ ଏଠାରେ ତୈଳ ଦର ବୃଦ୍ଧି ପାଇଚାଲିଛି। ୨୦ ଟଙ୍କା ବଢ଼ାଇ ୧୦ ଟଙ୍କା କମାଇ ସରକାର ବାହାବା ନେଉଛନ୍ତି। ଧନୀ ଓ କର୍ପୋରେଟର୍‌ ସଂସ୍ଥା ଉପରେ ଯେତିକି ଟିକସ ପଡ଼ିବା କଥା ପଡ଼ୁନି। କିନ୍ତୁ ଗରିବଙ୍କ ଉପରେ ଅତ୍ୟାଚାର ଚାଲିଛି। ଧନୀ-ଗରିବ ତାରତମ୍ୟ ବଢ଼ୁଛି। ଏବେ କେନ୍ଦ୍ର ସରକାର କ୍ଷୀର ଉପରେ ୧୨% ଜିଏସ୍‌ଟି ଲାଗୁ କରିଛନ୍ତି। ସାଧାରଣ ଲୋକଙ୍କ ପୁଷ୍ଟିକର ଖାଦ୍ୟ ପାଇଁ କ୍ଷୀର ଦିଆଯାଏ। ସେମାନଙ୍କ ଅବସ୍ଥା ଏବେ କିଏ ବୁଝିବ? ଏଥିରେ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ବ ନାହିଁ ସତ। କିନ୍ତୁ ଦରଦାମ କମାଇବା ପାଇଁ ବିଭିନ୍ନ ପ‌ଦକ୍ଷେପ ନେବାର ଆବଶ୍ୟକତା ରହିଛି। ରାଜ୍ୟରେ ଖାଉଟି ଫୋରମ ଅଚଳ ହୋଇଯାଇଥିବାରୁ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ। ତାରା ବାହିନୀପତି କହିଥିଲେ, କେନ୍ଦ୍ରର ଏନ୍‌ଡିଏ ସରକାର ଲୋକଙ୍କ ଭରସାକୁ ଏମାନେ ଭାଙ୍ଗି ଦେଇଛନ୍ତି। କେବଳ ଘରୋଇକରଣରେ ମାତିଛନ୍ତି। ଦରଦାମ ଉପରେ ନିୟନ୍ତ୍ରଣ ନାହିଁ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ସାରା ପୃଥିବୀରେ ଦରଦାମ ବୃଦ୍ଧି ପାଉଛି। ତେଣୁ ଭାରତରେ ଏହା ନ ବଢ଼ିବ କେମିତି? କିନ୍ତୁ ଅନ୍ୟ ଦେଶ ପରି ସ୍ଥିତି ଏଠାରେ ହୋଇନି। କରୋନା, ଋଷ-ୟୁକ୍ରେନ୍ ଯୁଦ୍ଧ, ଶ୍ରୀଲଙ୍କା ସ୍ଥିତି ଆଦି ଅନେକ କାରଣ ଏହା ପଛରେ ରହିଛି। କଂଗ୍ରେସ କେବଳ ନିଜ ସ୍ଥିତି ଜାହିର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଦୋଷ ଠେଲୁଛି। ଏଠାରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପଛରେ ଓଡ଼ିଶା ସରକାରଙ୍କ ବିଫଳତା ମଧ୍ୟ ଦାୟୀ। ଆମେ ସବୁ ଜିନିଷ ପାଇଁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରୁଛୁ। ଆତ୍ମନିର୍ଭରଶୀଳ ହୋଇପାରୁନୁ। ତେଣୁ ଏଠାରେ ଦର ବଢ଼ିବନି କେମିତି? ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ ସଭ୍ୟ ମୁକେଶ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଶାସକ ଦଳ ସଭ୍ୟ ଅମର ଶତପଥୀ, ଉମାକାନ୍ତ ସାମନ୍ତରାୟ ଓ ସ୍ବରୂପ ଦାସ ଆଲୋଚନାରେ ଭାଗ ନେଇ ଦରଦାମ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଠିକ୍ ଭାବେ ତାଙ୍କ ଦାୟିତ୍ବ ପାଳନ କରିବା ଉଚିତ ବୋଲି ମତ ଦେଇଥିଲେ।

ଆଲୋଚନାର ଉତ୍ତର ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ ବୃଦ୍ଧିକୁ ଏକ ଜାତୀୟ ସମସ୍ୟା କହି ହାତ ଟେକି ଦେଇଥିଲେ। ସେ କହିଥିଲେ ଯେ ଏହି ସମସ୍ୟା କେବଳ ଓଡ଼ିଶାରେ ସୀମିତ ନୁହେଁ। ରାଜ୍ୟ ସରକାର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ବିଭାଗର କ୍ଷେତ୍ର କର୍ମଚାରୀଙ୍କ ଦ୍ବାରା ସମସ୍ତ ପ୍ରକାର ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଆମଦାନୀ , କ୍ରୟ , ବିକ୍ରୟ ମୂଲ୍ୟ ତଥା ଲବ୍ଧତା ପ୍ରତ୍ୟହ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ବଜାର ଉପରେ ନଜର ରଖିଥା’ନ୍ତି। ଏହା ବ୍ୟତୀତ ଅତ୍ୟଧିକ ଦରବୃଦ୍ଧି ସମୟରେ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ସ୍ଥାନୀୟ ବ୍ୟବସାୟୀମାନଙ୍କ ସହିତ ବୈଠକ କରି ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା ସଙ୍ଗେ ସଙ୍ଗେ ଏହାର ସୁଲଭ ଉପଲବ୍ଧତା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥାଆନ୍ତି।

ସମ୍ବନ୍ଧିତ ଖବର