ପୁରୀ: ପ୍ରତିଦିନ ସ୍ବର୍ଗଦ୍ବାରରେ ଦାହ ପାଇଁ ଶବସଂଖ୍ୟା ବଢ଼ିଚାଲିଛି। ଏଣେ ଏଥିଲାଗି ଆବଶ୍ୟକ ପଡ଼ୁଥିବା କାଠ ନିଅଣ୍ଟ ହେବାରେ ଲାଗିଛି। ଶ୍ରୀମନ୍ଦିରରେ କୋଠଭୋଗ ପ୍ରସ୍ତୁତି ଏବଂ ସ୍ବର୍ଗଦ୍ବାରରେ ଶବଦାହ ପାଇଁ କେବଳ ଝାଉଁକାଠ ବ୍ୟବହାର ହେଉଥିବାରୁ ଅସ୍ତରଙ୍ଗ, ଚିଲିକା ଅଞ୍ଚଳରେ ଝାଉଁଗଛ ପଦା ହୋଇଗଲାଣି। ଏମିତିକି ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି) ମଧ୍ୟ କାଠ ଯୋଗାଇବାକୁ ଅସହାୟ ପ୍ରକାଶ କଲାଣି। ଶ୍ରୀମନ୍ଦିରରେ କୋଠଭୋଗ ପ୍ରସ୍ତୁତି ପାଇଁ ଦୁଇ-ତିନି ଦିନରେ ୧୦ ଟନ୍ ଝାଉଁ କାଠ ଆବଶ୍ୟକ ପଡ଼ୁଛି। ଅର୍ଥାତ ମାସକୁ ୧୦୦ ଟନ୍ କାଠ ଆବଶ୍ୟକ ପଡ଼ୁଛି। ତେବେ ସ୍ବର୍ଗଦ୍ବାରରେ ଏଇ ଦୁଇ-ତିନି ବର୍ଷ ମଧ୍ୟରେ ଶବ ଆଗମନରେ ସଂଖ୍ୟାବୃଦ୍ଧି ଯୋଗୁ କାଠ ଅଭାବ ଦେଖାଦେଇଛି। ୩ ବର୍ଷ ପୂର୍ବରୁ ପ୍ରତିଦିନ ସ୍ବର୍ଗଦ୍ବାରରେ ଶବଦାହ ସଂଖ୍ୟା ଅତିବେଶୀରେ ୫୦ ମଧ୍ୟରେ ସୀମିତ ରହୁଥିଲା। ଏବେ ପ୍ରତିଦିନ ୭୦ରୁ ୯୦ ପର୍ଯ୍ୟନ୍ତ ଶବଦାହ ହେଉଛି। ଶୀତ ଦିନେ ୧୦୦ରୁ ୧୨୦ଟି ଶବ ଦାହ ପାଇଁ ଆସୁଛି।
ପୂର୍ବରୁ ଗୋଟିଏ ଶବ ପାଇଁ ଦେଢ଼ କୁଇଣ୍ଟାଲ କାଠ ଯୋଗାଇ ଦେବାର ବ୍ୟବସ୍ଥା ଥିଲା। ଏବେ ଶବ ପିଚ୍ଛା ୧ କୁଇଣ୍ଟାଲ ୮୦ କେଜି କାଠ ଯୋଗାଇ ଦିଆଯାଉଛି। ଏହାବ୍ୟତୀତ ଯଦି ଶବ ମୁତାବକ ଆଉ ଅତିରିକ୍ତ କାଠ ଆବଶ୍ୟକ ପଡ଼ୁଛି ତେବେ ଡିପୋରୁ ଲୋକେ ୯୦୦ ଟଙ୍କା କ୍ବିଣ୍ଟାଲ ପିଚ୍ଛା ପଇଠ କରି କିଣି ନେଉଛନ୍ତି। ଫଳରେ ପ୍ରତିଦିନ କେବଳ ଶବଦାହ ପାଇଁ ୧୨ରୁ ୧୪ ଟନ୍ କାଠ ଆବଶ୍ୟକ ପଡ଼ୁଛି। ମାସକୁ ପାଖାପାଖି ୪ ଶହ ଟନ୍ କାଠ କେବଳ ଶବଦାହ ପାଇଁ ଆବଶ୍ୟକ ପଡ଼ୁଛି। କିଛି ବର୍ଷ ମଧ୍ୟରେ ଅତ୍ୟଧିକ କାଠର ଆବଶ୍ୟକତା ବଢ଼ିବା ଯୋଗୁ କାଠ ସଙ୍କଟ ଦେଖାଦେଇଛି। ଯଦିଓ କେବଳ ଝାଉଁକାଠରେ ଶବଦାହର ବିଧି ଚଳି ଆସିଛି, କିନ୍ତୁ କାଠ ଅଭାବ ଯୋଗୁ ବେଳେବେଳେ କିଛି ଦେଶୀ କାଠ ମଧ୍ୟ ଦାହ ପାଇଁ ଆସୁଛି।
ଓଏଫଡିସି ଅଧିକାରୀଙ୍କ ସୂଚନା ମୁତାବକ, ଅସ୍ତରଙ୍ଗର କାଜୁରିନା କୂପରେ ୫ ହଜାର ଗଛ ଥିଲା। ସେଥିମଧ୍ୟରୁ ଏବେ ଆଉ ୨ ହଜାର ଗଛ ଅଛି। କାଠ ଆବଶ୍ୟକତା ମେଣ୍ଟାଇବା ପାଇଁ ଅଧିକ ଗଛ କାଟିବାକୁ ପଡ଼ୁଛି। ଏ ବାବଦରେ ଓଏଫ୍ଡିସିର ଡିଏମ୍ ରୁଦ୍ରମଣି ସାହୁ କହିଛନ୍ତି, ଅସ୍ତରଙ୍ଗରେ ଥିବା କାଜୁରିନା କୂପରୁ ଝାଉଁ ଗଛ ପରିମାଣ ହ୍ରାସ ପାଇଛି। ଶ୍ରୀମନ୍ଦିର କୋଠଭୋଗ ଓ ସ୍ବର୍ଗଦ୍ବାର ପାଇଁ ପ୍ରତିମାସରେ ୫ ଶହ ଟନ୍ରୁ ଅଧିକ କାଠ ଆବଶ୍ୟକ ପଡ଼ୁଛି। ତେବେ ଚିଲିକା ଡିଭିଜନ୍ରେ ଆମକୁ ଦୁଇଟି କାଜୁରିନା କୂପ ପ୍ରଦାନ କରାଯାଇଛି। ଏମ୍ଡି ଓ ପିସିସିଏଫ୍ଙ୍କ ସହ ଆଲୋଚନା ପରେ ଏହି ଦୁଇଟି ଜାଗାରୁ ପ୍ରାୟ ୬ ଶହ ମେଟ୍ରିକ ଟନ୍ ଝାଉଁକାଠ ଉପଲବ୍ଧ ହେବ ବୋଲି ଆଶା ରଖିଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/18/uquJmWqUM6w2JxNp144a.jpg)