ଭୁବନେଶ୍ବର: ବିଦ୍ୟୁତ୍‌ ଦରବୃଦ୍ଧି ନେଇ ଓଇଆର୍‌ସିରେ ଚାଲିଥିବା ଜନଶୁଣାଣି ଆଜି ଶେଷ ହୋଇଛି। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା ଶନିବାର ଓଇଆର୍‌ସି ଦ୍ୱାରା ଗଠିତ ରାଜ୍ୟ ଉପଦେଷ୍ଟା କମିଟି ବୈଠକ ଡାକି ମତାମତ ଗ୍ରହଣ କରିବେ। ତେବେ ଯଦି ବିତରଣ କମ୍ପାନିଙ୍କ ପ୍ରସ୍ତାବକୁ ମଞ୍ଜୁରି ମିଳେ ତେବେ ଟାରିଫ୍‌ ବୃଦ୍ଧି ନିଶ୍ଚୟ ହେବ ବୋଲି ଶକ୍ତି ସମୀକ୍ଷକମାନେ ଆଶଙ୍କା କରିଛନ୍ତି। 

Advertisment

ଟିପିଡବ୍ଲୁଓଡିଏଲ୍‌ ଦେଇଥିବା ପ୍ରସ୍ତାବ ମୁତାବକ, ଆସନ୍ତାବର୍ଷ ପାଇଁ କମ୍ପାନି ଗ୍ରିଡ୍‌କୋଠାରୁ ୪୬୬୪ କୋଟି ବ୍ୟୟରେ ୧୧୫୫୦ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ କିଣିବ। ସେଥିରୁ ୧୫.୦୫% ହିସାବରେ ୧୭୩୮ ନିୟୁତ ୟୁନିଟ୍‌ ବିତରଣ କ୍ଷତି ହେବ। ଅବଶିଷ୍ଟ ୯୮୧୨ ନିୟୁତ ୟୁନିଟ୍‌ ବାବଦକୁ ୫୮୯୧.୩୫ କୋଟି ଟଙ୍କା ଆଦାୟ କରିବ। ସଂସ୍ଥା କୌଣସି ରାଜସ୍ୱ ନିଅଣ୍ଟ କିମ୍ବା ଟାରିଫ ବୃଦ୍ଧି ପ୍ରସ୍ତାବ ଦେଇନାହିଁ। ଅଭିଯୋଗକାରୀ ତଥା ଗ୍ରିଡ୍‌କୋର ପୂର୍ବତନ ବାଣିଜ୍ୟ ନିର୍ଦ୍ଦେଶକ ଇଂ ପ୍ରଶାନ୍ତ ପ୍ରଧାନ ଶିଳ୍ପସଂସ୍ଥାମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ୍‌ସେବା ଯୋଗାଇଦେବା ସହ ବିଶେଷ ରିହାତି ଦେବା ପାଇଁ ଦାବି କରିଥିଲେ। ଅନ୍ୟ ଅଭିଯୋଗକାରୀ ଇଂ ଅକ୍ଷୟ ସାହାଣି, ବିଭୁ ସ୍ୱାଇଁ, ସତ୍ୟ ରଥ, ପୂର୍ବତଟ ରେଳପଥ, ଓପିଟିସିଏଲ୍‌ ପ୍ରଭୃତି ଉପଭୋକ୍ତାମାନଙ୍କର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ କହିଥିଲେ। 

ଜନଶୁଣାଣିରେ ଉପସ୍ଥିତ ହୋଇ ବରିଷ୍ଠ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଥିଲେ, ଯଦି ଆୟୋଗ ସମସ୍ତଙ୍କ ଡିସ୍‌କମ୍‌ ଓ ବିଦ୍ୟୁତ୍‌ ବିତରକ ସଂସ୍ଥାମାନଙ୍କର ପ୍ରସ୍ତାବ ଗ୍ରହଣ କରନ୍ତି ତେବେ ହାରାହାରି ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ୟୁନିଟ୍‌ ପିଛା ୯୧ ପଇସା ବୃଦ୍ଧି ଘଟିବ। ଗ୍ରିଡ୍‌କୋ ପ୍ରସ୍ତାବ ଗୃହୀତ ହେଲେ ପାଇକାରୀ ମୂଲ୍ୟ ୟୁନିଟ୍‌ ପିଛା ୫୪ ପଇସା ବଢ଼ିବ। ଓଏଚ୍‌ପିସି ପ୍ରସ୍ତାବିତ ଅତିରିକ୍ତ ୧୪୬.୩୧ କୋଟିଟଙ୍କା ଓ ଓପିଜିସି ପ୍ରସ୍ତାବିତ ଅତିରିକ୍ତ ୧୧୨.୧୭ କୋଟି ଟଙ୍କା ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପ୍ରସ୍ତାବକୁ ଗ୍ରହଣ କରାଗଲେ ଗ୍ରିଡ୍‌କୋର ପାଇକାରୀ ମୂଲ୍ୟ ୟୁନିଟ୍‌ ପିଛା ପୁଣି ୭ ପଇସା ବଢ଼ିବ। ଓପିଟିସିଏଲ୍‌ ପରିବହନ ଶୁଳ୍କକୁ ୟୁନିଟ୍‌ ପିଛା ୧୨ ପଇସା ବୃଦ୍ଧି ପାଇଁ ପ୍ରସ୍ତାବ ରଖିଛି। ଟିପିଡବ୍ଲୁଓଡିଏଲ୍‌କୁ ବାଦଦେଇ ଟାଟାର ଅନ୍ୟ ତିନିଟି ବିତରଣ କମ୍ପାନି ୟୁନିଟ୍‌ ପିଛା ୧୮ ପଇସା ବୃଦ୍ଧି ପ୍ରସ୍ତାବ ରଖିଛନ୍ତି। ସମସ୍ତ ପ୍ରସ୍ତାବକୁ ଆୟୋଗ ଗ୍ରହଣ କରିନେଲେ, ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ୟୁନିଟ ପିଛା ୯୧ ପଇସା ବୃଦ୍ଧି ପାଇବ। ବର୍ତ୍ତମାନ ହାରାହାରି ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ୟୁନିଟ୍‌ ପିଛା ୫ ଟଙ୍କା ୭୩ ପଇସା ଅଛି ଓ ୯୧ ପଇସା ବୃଦ୍ଧିପାଇଲେ ୟୁନିଟ୍‌ ପିଛା ୬.୬୪ ଟଙ୍କା ହୋଇଯିବ।

୨୦୨୩-୨୪ରେ ଟିପିଡବ୍ଲୁଓଡିଲ୍‌ ୟୁନିଟ୍‌ ପିଛା ୨୩.୪୨ ପଇସା ହାରରେ ଅଧିକ ୨୪୯.୩୦  କୋଟି ଟଙ୍କା ବେଆଇନ୍‌ ଭାବରେ ଆଦାୟ କରିଛି। ତେଣୁ ଆଇନ୍‌ ଅନୁଯାୟୀ ବେଆଇନ୍‌ ଭାବେ ଆଦାୟ ହୋଇଥିବା ଟାରିଫ୍‌କୁ ସୁଧସହ ପଶ୍ଚିମ ଓଡିଶା ଉପଭୋକ୍ତାଙ୍କୁ ଫେରସ୍ତ କରାଯାଉ। ସେହିପରି ଠିକା କର୍ମଚାରୀ ଖର୍ଚ୍ଚ ୬୨.୩୭ କୋଟି ଟଙ୍କା ଦୁଇ ଥର ଦର୍ଶାଇବା, ମରାମତି ଓ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ୧୮ ଗୁଣ ବୃଦ୍ଧି କରିବା, ପ୍ରାଶାସନିକ ଓ ସାଧାରଣ ଖର୍ଚ୍ଚ ୬ ଗୁଣ ବୃଦ୍ଧି ଓ ଅନାଦେୟ ବିଲ୍‌ ଖର୍ଚ୍ଚ ବାବଦକୁ ୧୨୧.୨୯ କୋଟି ଟଙ୍କା ମାଗିବା ଗ୍ରହଣଯୋଗ୍ୟ ନୁହେଁ। ଶକ୍ତି ବିଭାଗ ଅଧିକାରୀ ସୋନାଲୀ ପଟ୍ଟନାୟକ ଜନଶୁଣାଣି ସରିବା ପରେ ବିଭାଗ ପକ୍ଷରୁ ଏକ କନ୍‌ସୋଲିଡେଟେଡ୍‌ ରିପୋର୍ଟ ପଇଠ କରିବେ। ଶୁଣାଣିରେ ୪୨ ଜଣ ଅଭିଯୋଗକାରୀ ଅଂଶଗ୍ରହଣ କରିଥିଲେ।