ଯାଜପୁର: ଶିଳ୍ପାଞ୍ଚଳରେ ଅଧିକ ସୁବିଧାସୁଯୋଗ ମିଳିବ ବୋଲି ଘରବାଡ଼ି, ଜମି ବିନା ପ୍ରତିବାଦରେ ସରକାରୀ କଳ ପ୍ରରୋଚନାରେ ଗ୍ରାମବାସୀ ନିଜ ଭିଟାମାଟି କଂପାନି ହାତକୁ ଟେକିଦେଲେ। ସୁବିଧାସୁଯୋଗ ଦୂର କଥା, ପିଇବା ପାଣି ମୁନ୍ଦାଏ ମିଳୁନି। ଧର୍ମଶାଳା ତହସିଲ ହରିଦାସପୁରଠାରେ ୩ ବର୍ଷ ହେଲା ସିମେଣ୍ଟ ଉତ୍ପାଦନ କରୁଥିବା ରାମକୋ କାରଖାନା ଚତୁଃପାର୍ଶ୍ବ ଗାଁଗୁଡ଼ିକରେ ଏପରି ଚିତ୍ର ଦେଖିବାକୁ ମିଳିଛି। ଲୋକମାନେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି।
ସରକାରଙ୍କର ଆର୍ଡବ୍ଲୁଏସ୍ଏସ୍ ବିଭାଗ ଦ୍ବାରା ଶହଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ବୃହତ୍ ପାନୀୟଜଳ ପ୍ରକଳ୍ପ ଅଧାରେ ଅଣ୍ଠେଇଛି। ଅପରପକ୍ଷରେ ରାମ୍କୋ କମ୍ପାନି ସିଏସ୍ଆର ଅର୍ଥରେ ଅଞ୍ଚଳବାସୀଙ୍କୁ ପିଇବା ପାଣି ବ୍ୟବସ୍ଥା କରିବା ପରିବର୍ତ୍ତେ ନିଜର ଚୁକ୍ତି ଖିଲାପ କରି ନଦୀ ପାଣି ବଦଳରେ ଭୂତଳ ଜଳ ବ୍ୟବହାର କରି କାରଖାନା ଚଳାଉଛନ୍ତି। ଫଳରେ ଲୋକମାନଙ୍କର ପାନୀୟଜଳ ସମସ୍ୟା ଦୁଇଗୁଣ ବଢ଼ିଯାଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଲାଗି ରହିଥିବା ଅସନ୍ତୋଷ ଏବେ ଆନ୍ଦୋଳନ ରୂପ ନେବାକୁ ବସିଛି।
ଧର୍ମଶାଳା ବ୍ଲକରେ ଫଟା ପାଇପ୍, ଭଙ୍ଗା ଷ୍ଟାଣ୍ଡ ପୋଷ୍ଟ
୨ ସପ୍ତାହ ପରେ ପାଣି ଯୋଗାଣ ହେବ କିପରି?
ସିମେଣ୍ଟ କାରଖାନା ଭିତରେ ବଡ଼ବଡ଼ ବୋରିଂ, ଚୁକ୍ତି ଖିଲାପ
ପ୍ରକାଶ ଥାଉକି ରାମ୍କୋ ସିମେଣ୍ଟ କାରଖାନାର ପାଚେରି ନିକଟରେ ଥିବା ଥାନୁଆଳ ପଞ୍ଚାୟତ ରଘୁନାଥପୁର ଗ୍ରାମର ଗୀତା ମଲିକ, ନିରୁପମା ମଲିକ, ପୂଜା ଦାସଙ୍କ ସମେତ ଅନେକ ମହିଳା ପାଣି ସମସ୍ୟା ବାବଦରେ କହିଛନ୍ତି। ବର୍ଷ ବର୍ଷ ହେଲା ପାଣି ଯୋଗାଣ ପାଇଁ ସରକାର ପାଇପ୍ ବିଛାଇଛନ୍ତି। ଏପରିକି ଷ୍ଟାଣ୍ଡ ପୋଷ୍ଟ କରିଥିଲେ। ତାହା ସବୁ ଭାଙ୍ଗିରୁଜି ଗଲାଣି। ଲୋକମାନେ ପୂର୍ବରୁ ନିଜର କୂଅ, ପୋଖରୀ ଓ ନଳକୂଅ ବ୍ୟବହାର କରି ଚଳିଯାଉଥିଲେ। ରାମକୋ ଆସିବା ପରଠାରୁ ବର୍ଷାଦିନରେ ମଧ୍ୟ ନଳକୂଅରୁ ଆବଶ୍ୟକ ପାଣି ମିଳୁନାହିଁ। ଏନେଇ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଯାଜପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଡିଭିଜନ୍ (ଚଣ୍ଡିଖୋଲ) ତଥ୍ୟ ଅନୁଯାୟୀ ବଡ଼ଚଣା ଓ ଧର୍ମଶାଳା ବ୍ଲକ ପାଇଁ ୩୦୫ କୋଟି ୯୮ ଲକ୍ଷ ଟଙ୍କା ଟେଣ୍ଡର ମୂଲ୍ୟ ଥିବାବେଳେ ୩୩୫ କୋଟି ୭୨ ଲକ୍ଷ ଟଙ୍କାରେ ବୃହତ୍ ପାନୀୟ ଜଳ ପ୍ରକଳ୍ପ ପାଇଁ ଚୁକ୍ତି ହୋଇଥିଲା। ୨୦୨୧ ଡିସେମ୍ବର ୩୦ ରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପାଇଁ ସମୟ ସୀମାକୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କାମ ଅଧୁରା ଓ ନିର୍ମାଣ କାମ ଭାଙ୍ଗିରୁଜି ଗଲାଣି। ଆରଆଇଡିଏଫ୍ ଅନୁଦାନରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ୨୮୭ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ସରିଲାଣି। ପ୍ରକଳ୍ପ ଅଧୀନରେ ଅନେକ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିଛି। ଯେଉଁ କାର୍ଯ୍ୟ ହୋଇଛି, ତାହା ଏତେ ନିମ୍ନମାନର ଯେ ଚାରିଆଡ଼େ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ଏହାର ନମୁନା ଥାନୁଆଳ ପଞ୍ଚାୟତରେ ବିଭିନ୍ନ ଗାଁରେ ଦେଖିବାକୁ ମିଳିଛି।
ଏହି ପ୍ରକଳ୍ପରେ ଧର୍ମଶାଳା ବ୍ଲକର ସମସ୍ତ ପଞ୍ଚାୟତ ଓ ରସୁଲପୁର ବ୍ଲକର ଗୋଟିଏ ପଞ୍ଚାୟତର ମୋଟ ୨ ଲକ୍ଷ ୪୫ ହଜାର ୭୮୯ ଜଣ ଲୋକ ଉପକୃତ ହେବେ। ୬୨ ହଜାର ୯୪୮ ଘରକୁ ଟ୍ୟାପ୍ ସଂଯୋଗ ହେବାକୁ ଥିବାବେଳେ ୩୭ ହଜାର ୨୩୩ ଘରକୁ ସଂଯୋଗ ହୋଇଛି ବୋଲି କୁହାଯାଇଛି। ୪୦ ଟି ଓଭରହେଡ୍ ପାଣି ଟାଙ୍କି ମଧ୍ୟରୁ ୨୮ ଟି ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ସରିଛି। ଅବଶିଷ୍ଟ ପାଣି ଟାଙ୍କି କାର୍ଯ୍ୟ ନିର୍ମାଣାଧୀନ ଅବସ୍ଥାରେ ପଡ଼ିରହିଛି। ୬୭୫.୯୯ କିଲୋମିଟର ରୁ ୫୭୪ କିଲୋମିଟର ପାଇପ ବିଛାଇବା କାର୍ଯ୍ୟ ସରିଛି। ଅନେକ କାମ ଅଧାରେ ପଡ଼ିଛି। ମୋଟାମୋଟି ଭାବେ ସରକାରୀ ପ୍ରକଳ୍ପ ଅଧା ପଡ଼ିଥିବାବେଳେ ଘରୋଇ ରାମ୍କୋ କଂପାନି ନିର୍ମାଣ ପୂର୍ବରୁ କରିଥିବା ଚୁକ୍ତିର ଖିଲାପ କରି ଭୂତଳ ଜଳକୁ ବ୍ୟବସାୟରେ ଲଗାଇବା ଦ୍ବାରା ଲୋକମାନଙ୍କୁ ପିଇବା ପାଣି ମିଳୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/water-supplay-project.jpg)