୬୦ ହଜାର ଟଙ୍କାରେ ଯୁବତୀଙ୍କୁ ବିକ୍ରି ଅଭିଯୋଗ

ସମ୍ବଲପୁର: ବୁର୍ଲା ଥାନା ଅଟ୍ଟାଚକିପଡ଼ାର ଜଣେ ମହିଳା ତାଙ୍କ ବଡ଼ ଭଉଣୀଙ୍କ ଝିଅକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ମହିଳାଙ୍କ କହିବା ଅନୁଯାୟୀ, ତାଙ୍କ ବଡ଼ ଭଉଣୀଙ୍କ ଝିଅ(୨୪) ତାଙ୍କ ଘରେ ରହୁଥିଲେ। ଗତ ବୁଧବାର ଦିନ ଏସ୍‌ଡିଏ ଗ୍ରୁପ୍‌ର ଏକ ସଭା ହୋଇଥିଲା। ସେହି ସଭାରେ ଭୋଜି ଖାଇବା ପାଇଁ ଯୁବତୀ ଜଣକ ଯାଇଥିଲେ। ସଭା ଦିନ ୧୧ରୁ ଅପରାହ୍ଣ ୫ଟା ଯାଏ ହୋଇଥିଲା। କିନ୍ତୁ ଯୁବତୀ ଜଣକ ରାତି ଆଉ ଫେରି ନଥିଲେ। ଗୁରୁବାର ମଧ୍ୟ ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ।

ଗୁରୁବାର ରାତି ୧୦ ଟା ସମୟରେ ଯୁବତୀ ଜଣକ ଜଣଙ୍କୁ କଲ୍‌ କରିଥିଲେ। ତାଙ୍କୁ ୬୦ ହଜାର ଟଙ୍କାରେ ଉକ୍ତ ଅଞ୍ଚଳର ଏକ ଦମ୍ପତ୍ତି ବିକ୍ରି କରି ଦେଇଥିବା କହିଥିଲେ। ତାଙ୍କୁ ମଧ୍ୟପ୍ରଦେଶ ଅଞ୍ଚଳରେ ବିକ୍ରି କରାଯାଇଥିବା ନେଇ ମଧ୍ୟ ସେ କହିଥିଲେ। ତାପରେ ସେ କରିଥିବା ନମ୍ବରଟି ସ୍ବିଚ୍‌ ଅଫ୍‌ ହୋଇଯାଇଥିଲା। ଏହା ଜାଣିବା ପରେ ଶୁକ୍ରବାର ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରି ଯୁବତୀଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। ଅବିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର