ରାଉରକେଲା : ବାପାଙ୍କ ଅବସରକାଳୀନ କିଛି ଟଙ୍କା ପାଇବା ଲୋଭରେ ନିଜ ଝିଅ ଓ ସାବତ ପୁଅ ମିଳିମିଶି ଜୀବିତ ମା’ର ଜାଲ ମୃତ୍ୟୁ ପ୍ରମାଣପତ୍ର ବାହାର କରିଛନ୍ତି। ଖାଲି ଏତିକି ନୁହେଁ ସେକ୍ଟର-୧୯ ଏସ୍‌ବିଆଇ ଶାଖାରେ ମିଛ ଦସ୍ତଖସ୍ତ କରି ମା’ଙ୍କ ନାଁରେ ଏକ ବ୍ୟାଙ୍କ ଖାତା ମଧ୍ୟ ଖୋଲିଛନ୍ତି। ମା’ର ଜାଲ ମୃତ୍ୟୁ ପ୍ରମାଣପତ୍ର ଦେଇ ଏଲ୍‌ଆଇସି ଟଙ୍କାକୁ ଝିଅ ଓ ସାବତ ପୁଅ ମିଳି ମିଶି ଚଳୁ କରିଦେଇଛନ୍ତି। ଶେଷରେ ଅସହାୟ ମା’ ଘଟଣା ସଂପର୍କରେ ଜାଣିବା ପରେ ସେକ୍ଟର-୩ ଥାନାର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ଥାନାର ଜଣେ ଏଏସ୍‌ଆଇ ଅଭିଯୋଗ ଗ୍ରହଣ କରିବା ବଦଳରେ ମହିଳାଙ୍କୁ ଗାଳିଗୁଲଜ କରିଥିଲେ। ଶେଷରେ ନ୍ୟାୟ ପାଇଁ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ସେକ୍ଟର-୩, ଏ-୭୫ କ୍ବାର୍ଟର୍ସର ୬୦ ବର୍ଷୀୟା ଅସହାୟା ମା’।

Advertisment

ଅଭିଯୋଗ ଅନୁଯାୟୀ, ରାଉରକେଲା ଇସ୍ପାତ କାରଖାନାରେ ଚାକିରି କରିଥିବା ପୁରୀ ନିମାପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପ୍ରଥମ ପତ୍ନୀଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ ଥିବା ବେଳେ ରାଉରକେଲାରେ ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ସ୍ବାମୀ ପୂର୍ବରୁ ବିବାହିତ ଜାଣିବା ପରେ ଦ୍ବିତୀୟ ପତ୍ନୀ ଆତ୍ମହତ୍ୟା କରିଥିଲେ। ପରେ ପ୍ରଥମ ପତ୍ନୀ ୩ ସନ୍ତାନଙ୍କୁ ଧରି ରାଉରକେଲାରେ ଆସି ରହିଥିଲେ। ଦ୍ବିତୀୟ ପତ୍ନୀଙ୍କ ଅଢ଼େଇ ବର୍ଷର ଝିଅ, ୬ ମାସର ପୁଅକୁ ମଧ୍ୟ ପାଖରେ ଆଣି ରଖିଥିଲେ।

ରାଉରକେଲା ଇସ୍ପାତ କାରଖାନାରୁ ଉକ୍ତ ବ୍ୟକ୍ତି ୨୦୨୨ରେ ଅବସର ନେବାକୁ ଥିବାବେଳେ ୨୦୨୧ରେ ମୃତ୍ୟୁ ବରଣ କରିଥିଲେ। ଅବସରକାଳୀନ ଟଙ୍କାର ଅଧା ପ୍ରଥମ ପତ୍ନୀ ଏବଂ ବାକି ଅଧା ବଡ଼ ଝିଅ (ପ୍ରଥମ ପତ୍ନୀଙ୍କ ଝିଅ) ପାଇବେ ବୋଲି ମୃତ୍ୟୁ ପୂର୍ବରୁ ସେ ଆର୍‌ଏସ୍‌ପିରେ ଏକ ଇଚ୍ଛାପତ୍ର ଲେଖି ଦେଇଥିଲେ। ଅବସରକାଳୀନ ଟଙ୍କା ସବୁ ୨୦୨୨ରେ ମିଳିବାକୁ ଥିବାବେଳେ ଉଭୟ ମା’ ଝିଅ ସେକ୍ଟର-୧୯ ଏସ୍‌ବିଆଇ ଶାଖାରେ ୨ଟି ଖାତା ଖୋଲିଥିଲେ। ପରବର୍ତ୍ତୀ ସମୟରେ ମା’ଙ୍କ ଖାତାକୁ ୧୭ ଲକ୍ଷ ଏବଂ ଝିଅଙ୍କ ଖାତାକୁ ୧୭ ଲକ୍ଷ ଟଙ୍କା ଆସିଥିଲା। ବଡ଼ ଝିଅ ନିଜ ଟଙ୍କା ଉଠାଇ ନେଲା ପରେ ମା’ଙ୍କ ଟଙ୍କା ସବୁ ହାତେଇବା ପାଇଁ ସାବତ ଭାଇ ସହ ମିଶି ମିଛ ମୃତ୍ୟୁ ପ୍ରମାଣପତ୍ର ବାହାର କରିଥିଲେ। ମା’ଙ୍କ ଜାଲ ମୃତ୍ୟୁ ପ୍ରମାଣପତ୍ର ଦେଖାଇ ପ୍ରଥମେ ଏଲ୍‌ଆଇସିରୁ ୪ ଲକ୍ଷ ଟଙ୍କା ଉଠାଇ ଉଭୟ ଭାଇଭଉଣୀ (ଝିଅ ଓ ସାବତ ପୁଅ) ବାଣ୍ଟି ନେଇଥିଲେ। କିନ୍ତୁ ଅବସରକାଳୀନ ୧୭ ଲକ୍ଷ ଟଙ୍କା ଉଠାଇପାରି ନଥିଲେ।