ସମ୍ବଲପୁର : ସବୁ ମେଧାବୀ ଛାତ୍ରଛାତ୍ରୀଙ୍କ ଜୀବନରେ ସ୍ବର୍ଣ୍ଣପଦକ ପାଇବା ପାଇଁ ସ୍ବପ୍ନ ରହିଥାଏ। ସ୍ବର୍ଣ୍ଣ ପଦକ ହାସଲ କରିବା ନିମନ୍ତେ ସେମାନେ ପାଠପଢ଼ାରେ ଦିନରାତି ଏକ୍ କରିଦେଇଥା’ନ୍ତି। ହେଲେ, ବାସ୍ତବତା ହେଉଛି ଯେ ସେହି ସ୍ବର୍ଣ୍ଣପଦକ ପୂରା ସୁନା ତିଆରି ହୋଇନଥାଏ। ଏଥିରେ ମାତ୍ର କିଛି ଗ୍ରାମ ଶୁଦ୍ଧ ସୁନା ଏବଂ ଅନ୍ୟ ଧାତୁ ରହିଥାଏ। ତେବେ, ସମ୍ବଲପୁର ବିଶ୍ବବିଦ୍ୟାଳୟ ଗତ ୩୧ତମ ସମାବର୍ତ୍ତନ ଉତ୍ସବରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଯେଉଁ ପଦକ ଦିଆଯାଇଛି, ସେଥିରେ ଶୁଦ୍ଧତାର ପ୍ରତିଶତ ବହୁତ କମ୍ ରହିଥିବା ଅଭିଯୋଗ ସାମ୍ନାକୁ ଆସିଛି।
ଗତ ୨୨ ଏପ୍ରିଲ ଦିନ ସମ୍ବଲପୁର ବିଶ୍ବବିଦ୍ୟାଳୟର ୩୧ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମାବର୍ତ୍ତନ ଉତ୍ସବ ପାଇଁ ତାରିଖ ଧାର୍ଯ୍ୟ ହେବାପରେ ବିବାଦ ଆରମ୍ଭ ହୋଇଯାଇଥିଲା। ଏତେ ତରବରିଆ ସମାବର୍ତ୍ତନ ଉତ୍ସବ ଆୟୋଜନ ନେଇ ଆପତ୍ତି ଉଠିଥିଲା। ସେହି ସମୟରେ ଜଣେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଶିଳ୍ପୋଦ୍ୟୋଗୀଙ୍କୁ ସମ୍ମାନସୂଚକ ଡି.ଲିଟ୍ ଉପାଧି ପ୍ରଦାନକୁ ବି ବିରୋଧ କରାଯାଇଥିଲା। ଏହି ବିବାଦ ଥମି ନଥିବାବେଳେ ଏବେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ସ୍ବର୍ଣ୍ଣପଦକରେ ସୁନାର ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠିଛି। ଏ ନେଇ ସନ୍ଦେହ ହେବାରୁ ଜଣେ ଛାତ୍ରୀଙ୍କ ଅଭିଭାବକ ଦେଶର ଏକ ପ୍ରତିଷ୍ଠିତ କଂପାନିର ସମ୍ବଲପୁରରେ ଥିବା ଅଳଙ୍କାର ଦୋକାନରୁ ଗତକାଲି ଉକ୍ତ ସ୍ବର୍ଣ୍ଣପଦକର ଶୁଦ୍ଧତା ପରୀକ୍ଷା କରାଇଥିଲେ। ଯାହା ରିପୋର୍ଟ ଆସିଲା, ତାହା ଦେଖି ସେ ବିସ୍ମିତ ହୋଇଯାଇଥିଲେ। ଉକ୍ତ ସ୍ବର୍ଣ୍ଣପଦକ ଓଜନ ୭.୫୨୮ ଗ୍ରାମ ରହିଥିବା ବେଳେ ଏଥିରେ ଥିବା ସୁନାର ଶୁଦ୍ଧତା(ପ୍ୟୁରିଟି) ମାତ୍ର ୧.୪୨ ପ୍ରତିଶତ ରହିଥିବା ଉକ୍ତ ରିପୋର୍ଟରୁ ଜଣାପଡ଼ିଛି।
ସ୍ବର୍ଣ୍ଣ ପଦକ ଯାଞ୍ଚ ପରେ ସ୍ପଷ୍ଟ ଜଣାପଡ଼ିବ: କୁଳସଚିବ
/sambad/media/post_attachments/wp-content/uploads/2022/06/SBPHOTO24-300x271.jpg)
ସ୍ବର୍ଣ୍ଣ ପଦକରେ କେତେ ପରିମାଣର ସୁନା ଓ ଅନ୍ୟ ଧାତୁ ରହିବ, ତାହା ବିଭିନ୍ନ ବିଶ୍ବବିଦ୍ୟାଳୟର ନିୟମ ଉପରେ ନିର୍ଭର କରିଥାଏ। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଦିଆଯାଉଥିବା ସ୍ବର୍ଣ୍ଣପଦକରେ ୨ଗ୍ରାମ ଶୁଦ୍ଧ ସୁନା ଏବଂ ବାକି ଅନ୍ୟ ଧାତୁ ରହିଥାଏ। ତେବେ, ସେହି ସୁନାର ଶୁଦ୍ଧତା ୨୩ କ୍ୟାରେଟ୍ରୁ ଅଧିକ ରହିବା କଥା। ଅର୍ଥାତ୍ ଏହାର ଶୁଦ୍ଧତା ୯୫.୮ ପ୍ରତିଶତରୁ ବେଶୀ ରହିବା ଉଚିତ। ଉକ୍ତ ରିପୋର୍ଟ ମିଳିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଦତ୍ତ ସ୍ବର୍ଣ୍ଣପଦକ କେଉଁ ସ୍ତରର ତାହା ଅନୁମାନ କରାଯାଇପାରେ ବୋଲି ସଂପୃକ୍ତ ଛାତ୍ରୀଙ୍କ ଅଭିଭାବକ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ କରୋନା କଟକଣା ଯୋଗୁ ମଝିରେ ସମାବର୍ତ୍ତନ ଉତ୍ସବ ହୋଇପାରିନଥିଲା। ତେଣୁ, ଉକ୍ତ ସମାବର୍ତ୍ତନ ଉତ୍ସବରେ ଏକ ସଂଗରେ ୨୦୨୦ ଓ ୨୦୨୧ ଶିକ୍ଷାବର୍ଷ ନିମନ୍ତେ ପ୍ରତ୍ୟେକ ବର୍ଷ ପାଇଁ ୩୩ଟି ଲେଖାଏଁ ସ୍ବର୍ଣ୍ଣପଦକ ଏବଂ ଉଭୟ ବର୍ଷର ୧୫ଟି ଲେଖାଏଁ ସ୍ମାରକୀ ପଦକ ଦିଆଯାଇଥିଲା। ଅର୍ଥାତ୍ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ହୋଇଥିବା ସର୍ବମୋଟ ୯୬ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ଦିଆଯାଇଥିଲା। ଏ ସଂକ୍ରାନ୍ତରେ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା। ତେବେ, କୁଳସଚିବ ଡ. ନୃପରାଜ ସାହୁଙ୍କୁ ପଚାରିବାରୁ ସେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ଉତ୍ତର ରଖିନଥିଲେ। ଯେହେତୁ, ସ୍ବର୍ଣ୍ଣପଦକ ତିଆରି ନିମନ୍ତେ ନିୟୋଜିତ ଅଧିକାରୀ/କର୍ମଚାରୀମାନଙ୍କ ମଧ୍ୟରେ ସେ ନଥିଲେ, ତେଣୁ ଏନେଇ ସେ କିଛି କହିପାରିବେ ନାହିଁ ବୋଲି ଡ. ସାହୁ କହିଥିଲେ। ତଥାପି, ସ୍ବର୍ଣ୍ଣପଦକ ଯାଞ୍ଚ କରାଯିବା ପରେ ତାହା ସ୍ପଷ୍ଟ ଜଣାପଡ଼ିବ ବୋଲି ସେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/sbph-gold.jpg)