କଟକ : ଆତ୍ମାର ଶାନ୍ତି ପାଇଁ କର୍ମଯଜ୍ଞ, ଜ୍ଞାନଯଜ୍ଞ ଓ ଭକ୍ତିଯଜ୍ଞ ଆବଶ୍ୟକ। ତ୍ୟାଗ, ତପସ୍ୟା, ସେବା ବିନା ମାନସିକ, ଶାରୀରିକ ଓ ଆତ୍ମିକ ଶାନ୍ତି ପ୍ରାପ୍ତ ଅସମ୍ଭବ। ଓଡ଼ିଶାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସେବାର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହା କହିଛନ୍ତି।
ରାଜ୍ୟପାଳ କହିଛନ୍ତି, ଜ୍ଞାନ ଦ୍ବାରା ବ୍ରହ୍ମର ଅନୁଭୂତି ଜଣାପଡ଼େ , ଆଉ ବିଜ୍ଞାନ ବ୍ରହ୍ମର ବ୍ୟାପ୍ତି ବାଖ୍ୟା କରିଥାଏ। କିନ୍ତୁ ରାଜଯୋଗ ବ୍ରହ୍ମ ପ୍ରାପ୍ତିର ମାର୍ଗ ଦେଖାଏ । ଜନସାଧାରଣଙ୍କୁ ରାଜଯୋଗ ପ୍ରତି ଆକୃଷ୍ଟ କରାଇବା ଦିଗରେ ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ସେବା ଉଲ୍ଲେଖନୀୟ ବୋଲି ରାଜ୍ୟପାଳ ସେ ମତବ୍ୟକ୍ତ କରିଛନ୍ତି।
ଝାଞ୍ଜିରୀମଙ୍ଗଳାସ୍ଥିତ ପ୍ରଭୁ ସମର୍ପଣ ଭବନରେ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଥିଲା। ଉତ୍ସବରେ ଅଧ୍ୟକ୍ଷତା କରି କଟକ ସବ୍ଜୋନ୍ ମୁଖ୍ୟ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ କମଲେଶ ଜୀ ଦୀର୍ଘ ୫୦ ବର୍ଷର ସେବା ପ୍ରଦାନର ଅନୁଭୂତି ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଓ ଅନ୍ୟତମ ଅତିଥି ଭାବେ ମେୟର ସୁବାସ ଚନ୍ଦ୍ର ସିଂହ ବ୍ରହ୍ମାକୁମାରୀ ଈଶ୍ବରୀୟ ସେବା ଓଡ଼ିଶାର ଯୁବ ସମାଜରେ ଆଧ୍ୟାତ୍ମିକ ଚେତନା ଓ ଆତ୍ମବିଶ୍ବାସ ବୃଦ୍ଧିରେ ପ୍ରମୁଖ ଭୂମିକା ନିର୍ବାହ କରିଆସୁଛି ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଜୟଦେବ ବିଧାୟକ ଅରବିନ୍ଦ ଢାଲୀ ଯୋଗ ଦେଇଥିଲେ।
ଝାଞ୍ଜିରୀମଙ୍ଗଳା କଟକ ସବ୍ଜୋନ୍ ସହନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସୁଲୋଚନା ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ। ଭୁବନେଶ୍ୱର ସବ୍ଜୋନ୍ ସଞ୍ଚାଳିକା ବ୍ରହ୍ମାକୁମାରୀ ଲୀନା, ଭଦ୍ରକ ସେବା ସମୂହର ସଞ୍ଚାଳିକା ବ୍ରହ୍ମାକୁମାରୀ ମଞ୍ଜୁ, ରାଉରକେଲା ଓ ସୁନ୍ଦରଗଡ ସେବା ସମୂହର ସଞ୍ଚାଳିକା ବ୍ରହ୍ମୁାକୁମାରୀ ବିମଳା, ବ୍ରହ୍ମାକୁମାର ବଂଶୀଧର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ଈଶ୍ୱରୀୟ ସେବା ପାଇଁ ବରିଷ୍ଠ ରାଜଯୋଗିନୀ ଜ୍ୟୋତି, ବ୍ରହ୍ମାକୁମାରୀ ବିନ୍ଦୁ, ବ୍ରହ୍ମାକୁମାର ସୁମନ, ପ୍ରମିଳା, ଉଷା, ମଞ୍ଜୁ, ବିମଳାଙ୍କୁ ରାଜ୍ୟପାଳ ପ୍ରଫେସର ଲାଲ ସମ୍ମାନିତ କରିଥିଲେ।
ବ୍ରହ୍ମାକୁମାର ମୋହନ, ସୁଧାଂଶୁ, ଜ୍ଞାନ, ପ୍ରତାପ, ଆନନ୍ଦ, ଗୋପାଳ, ଡାକ୍ତର ଜୟନ୍ତ ପଣ୍ଡା କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ବରିଷ୍ଠ ରାଜଯୋଗୀ ବ୍ରହ୍ମାକୁମାର ନଥମଲ ଭାଇ ଓ ବ୍ରହ୍ମାକୁମାରୀ ପ୍ରତିଭା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।