ସତ୍ୟବ୍ରତ ପ୍ରଧାନ
ଜଳେଶ୍ୱର: ସଂକଟ ଆଣୁଛି ସୁବର୍ଣ୍ଣରେଖା। ଦିନକୁ ଦିନ ଗାଁମୁହାଁ ହେଉଛି। ୧୭ ବର୍ଷ ଭିତରେ ନଦୀ ଏକର ଏକର ପାଳଜମି ଗିଳିସାରିଲାଣି। ଚଳିତ ବର୍ଷ ବନ୍ୟାରେ ମଧ୍ୟ ଅନେକ ଜମି ନଦୀଗର୍ଭକୁ ଚାଲିଯାଇଛି। ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍ ଅଧୀନ ଲକ୍ଷ୍ମଣନାଥ ପଞ୍ଚାୟତ ବୀରେଶପୁର ଗାଁର ମହାମାୟା ଘାଟରୁ ଗୋପଦଲମ ଘାଟ ଯାଏଁ; ୨ କିମି ଅଞ୍ଚଳ ସୁବର୍ଣ୍ଣରେଖା ନଦୀକୂଳରେ ରହିଛି। ଦିନେ ଏହି ଅଞ୍ଚଳରେ ୨୦୦ ଏକରରୁ ଊର୍ଦ୍ଧ୍ବ ପାଳଜମି ଥିଲା। ପନିପରିବା ଚାଷ ହେଉଥିଲା। ୨୦୦୮ ମସିହା ବନ୍ୟା ପରଠାରୁ ସବୁକିଛି ଓଲଟପାଲଟ ହୋଇଯାଇଛି। ସୁବର୍ଣ୍ଣରେଖା ବୀରେଶପୁର ଗାଁ ଆଡ଼କୁ ମାଡ଼ିଆସୁଛି। ଏହାରି ଭିତରେ ନଦୀ ୧୦୦ ଏକର ଜମି ଗିଳିସାରିଲାଣି। ଚଳିତ ବର୍ଷ ନଦୀରେ ଆସିଥିବା ଦୁଇଟି ବନ୍ୟାରେ ଅତଡ଼ା ଧସି ଗାଁର ଗୁରୁପ୍ରସାଦ ଗିରି, ଶିବପ୍ରସାଦ ଦାସ, ରଣଜିତ ଦାସ, ପ୍ରଶାନ୍ତ ଘୋଷ, ସଚ୍ଚୀନ୍ଦ୍ର ଦାସ, ହରେନ୍ଦ୍ର ଘୋଷ, ଯତୀନ୍ଦ୍ର ଦାସ, ରବୀନ୍ଦ୍ର ଦାସ, ବୃନ୍ଦାବନ ରାଉତ, ରଣଜିତ ଗିରି, ବିମଳ ଜେନା, ହରପ୍ରସାଦ ଗିରିଙ୍କ ସମେତ ୫୦ରୁ ଊର୍ଦ୍ଧ୍ବ ଚାଷୀଙ୍କ ଜମିର କିଛି କିଛି ଅଂଶ ନଦୀଗର୍ଭକୁ ଚାଲିଯାଇଛି।
ଯୁବନେତା ବ୍ରଜଗୋପାଳ ରାଉତ ଓ ଚାଷୀ ଗୁରୁପ୍ରସାଦ ଗିରି କହିଛନ୍ତି, ବୀରେଶପୁର ଗାଁ ଓ ଚାଷଜମିକୁ ସୁରକ୍ଷା ଦେବା ପାଇଁ ବହୁବର୍ଷ ହେବ ଦାବି ହୋଇଆସୁଛି। ୨୦୨୩ ମସିହାରେ ବାଲେଶ୍ୱର ସାଂସଦ ତଟ ସୁରକ୍ଷା କାମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସର୍ଭେରେ ଅଟକିଗଲା। ଏନେଇ ଜଳସମ୍ପଦ ବିଭାଗର ଉପଖଣ୍ଡ ଯନ୍ତ୍ରୀ ପ୍ରିୟବ୍ରତ ସିଂହ କହିଛନ୍ତି, ବୀରେଶପୁର ଗାଁ ଓ ପାଳଜମି ପାଇଁ ତଟ ସୁରକ୍ଷା ଯୋଜନା କରାଯାଇଛି। ହେଲେ ଆବଶ୍ୟକ ପଥର ମିଳୁ ନଥିବାରୁ କାମ ଆରମ୍ଭ ହୋଇପାରିନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/11/gdjgjdcncbnbcn-2025-07-11-00-57-15.jpg)