ପୁରୀ: ସରିଛି ଗୋସାଣୀଙ୍କ ଲୀଳା। ମେଲାଣି ନେଇଛନ୍ତି ମା’ ମହିଷାମର୍ଦ୍ଦିନୀ। ଗତକାଲି ଯାଏ ପୂଜ୍ୟ, ରାତି ପାହିବା ବେଳକୁ ବର୍ଜ୍ୟ ପାଲଟି ଯାଇଛନ୍ତି। ଧୂପ, ଦୀପ ନୈବେଦ୍ୟରେ ପୂଜା ପାଉଥିବା ଦେବୀଙ୍କ ମୃଣ୍ମୟ ମୂର୍ତ୍ତି ଆଜି ଶ୍ରୀସେତୁ ନିକଟସ୍ଥ ଅସ୍ଥାୟୀ ବିସର୍ଜନ ପୁଷ୍କରିଣୀରେ ବିଛେଇ ପଡ଼ି ରହିଥିଲେ। କିଛି ପୂଜା କମିଟିର ସଦସ୍ୟମାନେ କୀଳା ଅପସାରଣ କରିବାରେ ଲାଗିଥିଲେ। ଆଉ କିଛି କୋମଳମତି ପିଲାଏ ମା’ଙ୍କ ସାଜସଜାରେ ବ୍ୟବହୃତ ନକଲି ଅଳଙ୍କାର କାଢ଼ିନେବାକୁ ପ୍ରତିଯୋଗିତା କରୁଥିଲେ। ସବୁ ଆରମ୍ଭର ଯେ ଅନ୍ତ ଅଛି, ନକହି ବି ଏ ଦୃଶ୍ୟ ବୟାନ କରିଦେଉଥିଲା। ପିଲାଏ ଉତ୍ସୁକ ନେତ୍ରରେ ପୁଷ୍କରିଣୀକୁ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି କହୁଥିଲେ, ଏଇ ମେଢ଼ ହେଉଛି ବାରବାଟୀଙ୍କର। ଏ ମେଢ଼ ଜହ୍ନିମୁଣ୍ଡିଆଙ୍କର। ଯେମିତି ପିଲାଏ ଗତକାଲିଠୁ ଏହି ବିସର୍ଜନ ପୁଷ୍କରିଣୀ କୂଳକୁ ଆସିବାକୁ ଯୋଜନା କରି ସାରିଥିଲେ। ରାତି ପାହିବା ମାତ୍ରେ ଛୁଟି ଆସିଥିଲେ ବିସର୍ଜନ ପୋଖରୀକୁ।
ନଈ ପଠାରେ ଅସ୍ଥାୟୀ ବିସର୍ଜନ ପୋଖରୀରେ କଡ଼ ଲେଉଟାଇ ପଡ଼ିଥିବା ଦେବୀଙ୍କ ଅଧା ଲିଭା ଚେହେରା ହେଉ, ଅବା ଭାଙ୍ଗିଯାଇଥିବା ରାକ୍ଷସର ବିକଳ ଚିତ୍ର। ମୃଣ୍ମୟ ଦେବାଦେବୀଙ୍କ ଦେହାବଶେଷ ହିଁ ବ୍ୟକ୍ତ କରି ଦେଉଥିଲା, ସବୁର ଦିନେ ନା ଦିନେ ଅନ୍ତ ଥାଏ। ପରିବେଶ ମନସ୍କ ବ୍ୟକ୍ତିବିଶେଷ ନଈ ପଠାରେ ଏଭଳି ଦୃଶ୍ୟ ଦେଖି ଅସ୍ବସ୍ତିକର ଅନୁଭବ କରୁଥିଲେ। ମାତ୍ର ଏହି ଦୃଶ୍ୟ ବ୍ୟକ୍ତ ଦେଉଥିଲା ଯେ, ସଂସାର ନିୟମରେ ସଭିଏଁ ବନ୍ଧା। କୁନିକୁନି ପିଲାମାନେ ଅସ୍ଥାୟୀ ପୋଖରୀ ମଧ୍ୟକୁ ପଶି ଦେବୀଙ୍କ ଦେହାବଶେଷର ଗଦା ମଧ୍ୟରୁ ଏଣୁତେଣୁ କିଛି ଖୋଜିବାରେ ମଜ୍ଜିଯାଇଥିଲେ। ସକାଳେ ପୁଷ୍କରିଣୀ ନିକଟରେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଦେବୀଙ୍କୁ ଚିହ୍ନଟ କରିବାର ପ୍ରତିଯୋଗିତା। ପିଲାମାନେ ବିଶାଳକାୟ ନାଗା ମୂର୍ତି ମଧ୍ୟରେ ଫରକକୁ ବି ନିଜ ନିଜ ମଧ୍ୟରେ ଆଲୋଚନାରେ ମଜ୍ଜି ଯାଇଥିଲେ। ପିଲାମାନଙ୍କ ବ୍ୟତୀତ କିଛି ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ବିସର୍ଜନ ପରେ ଦେବୀଙ୍କୁ ଦେଖିବାକୁ ଭିଡ଼ ଜମାଇଥିଲେ। ଗୋସାଣୀ ଯାତ୍ରାରେ ୪୫ରୁ ଅଧିକ ମେଢ଼ଙ୍କୁ ଦେବସଭାରେ ଦେଖିବାର ସୁଯୋଗ ମିଳିଥିବା ବେଳେ କିଛି ମେଢ଼ ପରମ୍ପରା ମୁତାବକ ଅନ୍ୟ ପୁଷ୍କରିଣୀରେ ବିସର୍ଜନ ହୋଇଥିବା ଦେଖିବାକୁ ମିଳିଛି।
ଅସ୍ଥାୟୀ ପୁଷ୍କରିଣୀ ଚତୁଃପାର୍ଶ୍ବରେ ଦେବାଦେବୀ ବିଛେଇ ହୋଇ ପଡ଼ିଥିଲେ ହେଁ ସେମାନେ ଆଉ ଦେବତା ନଥିଲେ। ଯଦିଓ ଦେବୀଙ୍କୁ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା, କିନ୍ତୁ ପୂଜା ସାମଗ୍ରୀ ପଲିଥିନ୍ ସହ ନଦୀ ଗର୍ଭକୁ ନିକ୍ଷେପ କରାଯାଇଥିଲା। ମଶାଣିରେ ମରଶରୀର ପାଉଁଶ ହେଉଥିବା ଦେଖିବା ପରେ ଲୋକଟି ମନରେ ଯେମିତି ଶ୍ମଶାନ ବୈରାଗ୍ୟ ଆସେ, ବିସର୍ଜନ ପରେ ଗଦା ହୋଇଥିବା ମୃଣ୍ମୟୀ ଦେବୀଙ୍କ କୁଢ଼କୁଢ଼ ଦେହାବଶେଷ ଦେଖି ଲୋକେ ଅନ୍ତତଃ ଠିକ୍ ସେମିତି କିଛି ଅନୁଭବ କରୁଥିବା ବାରି ହୋଇ ପଡ଼ୁଥିଲା।