ଆରମ୍ଭ ହେଲା ଗୋଟିପୁଅ ନୃତ୍ୟ ଉତ୍ସବ

ଆରମ୍ଭ ହେଲା ଗୋଟିପୁଅ ନୃତ୍ୟ ଉତ୍ସବ

Narthaki

ପୁରୀ : ଦଶଭୂଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ପକ୍ଷରୁ ଆୟୋଜିତ ୩ ଦିନିଆ ୯ମ ପଦ୍ମଶ୍ରୀ ଗୁରୁ ମାଗୁଣି ଦାସ ସ୍ମାରକୀ ଗୋଟିପୁଅ ନୃତ୍ୟ ଉତ୍ସବକୁ ବଲିଉଡ୍ ଅଭିନେତା ଉଦ୍‌ଘାଟନୀ କରିଛନ୍ତି। ରଘୁରାଜପୁରରେ ଅନୁଷ୍ଠିତ ଏହି ନୃତ୍ୟ ଉତ୍ସବରେ ଯୋଗଦେଇ ସେ କହିଲେ, ଓଡ଼ିଶା ସହ ମୋର ଗଭୀର ସମ୍ପର୍କ ରହିଛି। ‘ସହର ଜଳୁଛି’ ଓ ‘ଏ ଯୁଗର କୃଷ୍ଣ ସୁଦାମା’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛି। ରଘୁରାଜପୁର ମାଟି ମହାନ ଗୁରୁଙ୍କ ଜନ୍ମମାଟି ହୋଇଥିବାରୁ ଏ ମାଟି ପ୍ରତି ମୋର ସମ୍ମାନବୋଧ ରହିଛି ବୋଲି ସେ କହିଥିଲେ।

ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି ଉତ୍ସବର ଉଦ୍‌ଘାଟନୀ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡା.ସମ୍ବିତ ପାତ୍ର ମିଥୁନଙ୍କ ଅଭିନୀତ ‘ଗୁଲାମି’ ଚଳଚ୍ଚିତ୍ରର ଏକ ଗୀତ ଗାଇଥିବା ବେଳେ ଏହିଗୀତରେ ମିଥୁନଙ୍କ କିଛି ସମୟର ନୃତ୍ୟ ଝଲକ ଦର୍ଶକ ଉପଭୋଗ କରିଥିଲେ। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ଗୀତିକାର ବଦ୍ରି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଉତ୍ସବ ଦାସ, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ମାଳତୀପାଟପୁର ସରପଞ୍ଚ ମହେନ୍ଦ୍ର କୁମାର ମହାପାତ୍ର ଓ ପଞ୍ଚାୟତ ସମିତି ସଭ୍ୟ ପ୍ରମୋଦ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ସଂଚାଳନାରେ ଦଶଭୂଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ପକ୍ଷରୁ ଗୋଟିପୁଅ ନୃତ୍ୟ, ନବପ୍ରତିଭା ପକ୍ଷରୁ ମାହାରୀ ନୃତ୍ୟ, ମଣିପୁର ରାସ ଓ ଥାଙ୍ଗଟା, ପୁରଲିଆର ଛଉ ନୃତ୍ୟ ଓ ପୁରୀର କଳାକାରଙ୍କ ଦ୍ବାରା ଅଗ୍ନି ନୃତ୍ୟ ପରିବେଷଣ ହୋଇଥିଲା।

ଏହି ଅବସରରେ ଗୋଟିପୁଅ ଗୁରୁ ମାଗି ସ୍ବାଇଁ, ସରୋଜ ସ୍ବାଇଁ, ଭାସ୍କର ସ୍ବାଇଁ, ଭରତ ବେହେରା ଓ ନୃତ୍ୟଶିଳ୍ପୀ ଶ୍ରୀନିବାସ ଘଟୁଆରୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଉପସଭାପତି ପ୍ରଦ୍ୟୁମ୍ନ କୁମାର ସାଥୁଆ, ସଂପାଦକ ସେବେନ୍ଦ୍ର ଦାସ, ଓମପ୍ରକାଶ ମିଶ୍ର, କବି ଶଙ୍କର ପରିଡ଼ା, ଇଂ ସୂର୍ଯ୍ୟ ରଥ, ମୁଖ୍ୟ ସଂଯୋଜକ ବସନ୍ତ ପ୍ରଧାନ, ସହସଂଯୋଜକ ବଟକୃଷ୍ଣ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe