ସମ୍ବଲପୁର: ପଶ୍ଚିମ ଓଡ଼ିଶାବାସୀଙ୍କ ଦୃଢ଼ ଦାବି ଆଗରେ ସଂପୂର୍ଣ୍ଣ ନହେଲେ ମଧ୍ୟ ଆଂଶିକ ଭାବରେ ମୁଣ୍ଡ ନୁଆଁଇଛନ୍ତି ରାଜ୍ୟ ସରକାର। ନୂଆଁଖାଇ ପାଇଁ ରାଜ୍ୟ ସରକାର ୩ ଦିନ ଛୁଟି ଦେବା ତଥା ସାରା ରାଜ୍ୟରେ ନୂଆଁଖାଇ ଦିନ କେନ୍ଦ୍ରୀୟ ଅନୁଷ୍ଠାନ ଓ କୋର୍ଟ କଚେରି ବନ୍ଦ ରଖିବା ଦାବିରେ ଚଳିତ ବର୍ଷ ଏକ ଅଭୂତପୂର୍ବ ଅଭିଯାନ ଆରମ୍ଭ ହୋଇଥିଲା। ‘ସମ୍ବାଦ’ରେ ସର୍ବପ୍ରଥମେ ଏ ସଂପର୍କରେ ଖବର ପ୍ରକାଶିତ ହୋଇଥିଲା। ଏହି ଦାବି ଲୋକଙ୍କଠାରୁ ଆରମ୍ଭ ହୋଇ ସଂଗଠନ, ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଓ ଜନପ୍ରତିନିଧିଙ୍କ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ପଶ୍ଚିମ ଓଡ଼ିଶାରେ ସମସ୍ତେ ଏକ ସ୍ବରରେ ରଜ ଭଳି ନୂଆଁଖାଇରେ ବି ୩ ଦିନ ସରକାରୀ ଛୁଟି ଦାବି କରିଥିଲେ। ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପଶ୍ଚିମ ଓଡ଼ିଶାର ପ୍ରତିଟି ବ୍ୟକ୍ତି ଏହି ଦାବିରେ ସ୍ବର ମିଳାଇଥିଲେ। ଲୋକଙ୍କ ଦୃଢ଼ ସ୍ବର ଦେଖି ଦଳମତ ନିର୍ବିଶେଷରେ ଜନପ୍ରତିନିଧିମାନେ ବି ସରକାରଙ୍କ ନିକଟରେ ଏହି ଦାବି ଉଠାଇବାକୁ ବାଧ୍ୟ ହୋଇଥିଲେ। ସରକାରୀ ଅଧିକାରୀଙ୍କ ଉପରେ ବି ଏହି ଦାବିର ପ୍ରବଳ ଚାପ ପଡ଼ିଥିଲା। ଏହା ଉପରେ ବିଚାର କରିବାକୁ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ରାଜସ୍ବ କମିସନର୍ଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ସରକାରଙ୍କ ନିକଟକୁ ଚିଠି ଲେଖିଥିଲେ। ଜନତାଙ୍କ ଦୃଢ଼ ଦାବି ଆଗରେ ରାଜ୍ୟ ସରକାର ଶେଷରେ ମୁଣ୍ଡ ନୁଆଁଇଛନ୍ତି।
ପୂର୍ବରୁ ନୂଆଁଖାଇ ଦିନଟି ରାଜ୍ୟ ସରକାରଙ୍କ ତରଫରୁ ସଂପୂର୍ଣ୍ଣ ଛୁଟି ହୋଇ ଆସୁଥିଲା। କିନ୍ତୁ ବ୍ୟାଙ୍କ ଓ କେନ୍ଦ୍ରୀୟ ଆର୍ଥିକ ସଂସ୍ଥା ଗୁଡ଼ିକ ଖୋଲା ରହୁଥିଲା। ହେଲେ ରାଜ୍ୟ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ମାଧ୍ୟମରେ ନୂଆଁଖାଇ ଦିନ ସାରା ରାଜ୍ୟର ବ୍ୟାଙ୍କ ଓ ବୀତ୍ତିୟ ଅନୁଷ୍ଠାନଗୁଡ଼ିକ ଛୁଟି ରହିବ ବୋଲି ଏଥର ସ୍ପଷ୍ଟ କରାଯାଇଛି। ହେଲେ ପଶ୍ଚିମ ଓଡ଼ିଶା ବାହାରେ କେନ୍ଦ୍ରୀୟ ସଂସ୍ଥା ଓ ବିଚାର ବିଭାଗୀୟ କାର୍ଯ୍ୟାଳୟ, କୋର୍ଟ, କଚେରି ଖୋଲା ରହୁଥିବା ବେଳେ ଏହା ଉପରେ କୌଣସି ନିଷ୍ପତ୍ତି ହୋଇ ନାହିଁ।
ସେହିପରି ନୂଆଁଖାଇ ପୂର୍ବ ଦିନ ଗଣେଶ ପୂଜା ଛୁଟି ଓ ନୂଆଁଖାଇ ଦିନ ରାଜ୍ୟ ଛୁଟି ଥିବାରୁ ତା’ ପରଦିନଟି ଛୁଟି ଘୋଷଣା ହେଲେ ସଂପୂର୍ଣ୍ଣ ୩ ଦିନ ଛୁଟି ମିଳିବ ବୋଲି ଦାବି ହେଉଥିଲା। ଯଦିଓ ରାଜ୍ୟ ସରକାର ଏହି ତୃତୀୟ ଦିନଟିକୁ ରାଜ୍ୟସ୍ତରରେ ଛୁଟି ଘୋଷଣା କରି ନାହାନ୍ତି, କିନ୍ତୁ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଏହାକୁ ଚଳିତ ବର୍ଷ ପାଇଁ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ଏହି ଦିନଟିକୁ ସ୍ଥାନୀୟ ଛୁଟିଭାବେ ମଞ୍ଜୁରି ଦେବାକୁ ଉଭୟ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଆର୍ଡିସିଙ୍କ ପକ୍ଷରୁ ସରକାରଙ୍କୁ ଅନୁରୋଧ କରା ଯାଇଥିଲା। ଏହି କ୍ରମରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧୀନସ୍ଥ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ନୂଆଁଖାଇ ପରଦିନ ଅର୍ଥାତ୍ ୨ ତାରିଖ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। କଳାହାଣ୍ଡିରେ ଅଧା ଲୋକ ଦଶମୀ ତିଥିରେ ନୂଆଁ ଖାଉଥିବାରୁ ଓ ୫ ତାରିଖ ଦଶମୀ ଦିନ ଛୁଟି ଥିବାରୁ ତା’ ପରଦିନ ଅର୍ଥାତ୍ ୬ ତାରିଖ ମଧ୍ୟ ସ୍ଥାନୀୟ ଛୁଟି ଘୋଷଣା ହୋଇଛି। ସେହିପରି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧୀନସ୍ଥ ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ବି ନୂଆଁଖାଇ ବାସି ଦିନ ଛୁଟି ଘୋଷଣା ହୋଇଛି।
ଏହାଛଡ଼ା ସୁନ୍ଦରଗଡ଼ ଜିଲ୍ଲାର ୩ଟି ଉପଖଣ୍ଡ ମଧ୍ୟରୁ କେବଳ ସୁନ୍ଦରଗଡ଼ ସଦର ଉପଖଣ୍ଡରେ ନୂଆଁଖାଇ ପରଦିନ ଛୁଟି ଘୋଷଣା କରାଯାଇଛି। ହେଲେ ଉତ୍ତରାଞ୍ଚଳ ଆର୍ଡିସିଙ୍କ ଅଧୀନରେ ଥିବା ଦେବଗଡ଼ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଓ ବଣେଇ ଉପଖଣ୍ଡ ତଥା ପଶ୍ଚିମ ଓଡ଼ିଶାର ଅଂଶ ବିବେଚିତ ହେଉଥିବା ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡରେ ନୂଆଁଖାଇ ପରଦିନ ଛୁଟି ଘୋଷଣା କରାଯାଇ ନାହିଁ। ସେହିପରି ଦକ୍ଷିଣାଞ୍ଚଳ ଆର୍ଡିସିଙ୍କ ଅଧୀନସ୍ଥ ବୌଦ୍ଧ ଜିଲ୍ଲାବାସୀଙ୍କୁ ନୂଆଁଖାଇ ବାସି ଦିନ ଛୁଟି ମିଳି ନାହିଁ। ତେବେ ସରକାର ସ୍ଥାନୀୟ ସ୍ତରରେ ଏହି ଦିନଟିକୁ ଛୁଟି ଘୋଷଣା କରିଥିବାରୁ ଏହା ଏକ ଅତିରିକ୍ତ ଛୁଟି ହେବ ନା’ ପୂର୍ବରୁ ନିର୍ଦ୍ଧାରିତ ସ୍ଥାନୀୟ ଛୁଟି ସହ ଏହାକୁ ବଦଳ କରାଯିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ବୋଲି ସ୍ଥାନୀୟ ମହଲରେ ଆଲୋଚନା ହେଉଛି। ଆଗାମୀ ବର୍ଷ ଗୁଡ଼ିକରେ ନୂଆଁଖାଇ ଓ ତା’ ପରଦିନ ରାଜ୍ୟସ୍ତରରେ ସଂପୂର୍ଣ୍ଣ ଛୁଟି ଘୋଷଣା କରି ତାକୁ ସରକାରୀ କ୍ୟାଲେଣ୍ଡର୍ରେ ସ୍ଥାନ ଦେବାକୁ ଜୋରଦାର ଦାବି କରାଯିବ ବୋଲି ପଶ୍ଚିମ ଓଡ଼ିଶାର ବିଭିନ୍ନ ସଂଗଠନ ପକ୍ଷରୁ କୁହାଯାଇଛି।