ସମ୍ବଲପୁର: ସରକାର ବଦଳିଛି। ଓଡ଼ିଶାରେ ଡବଲ୍‌ ଇଂଜିନ ସରକାର ଆସିବା ସହିତ ରାଜନୈତିକ କ୍ଷେତ୍ରରେ ସମ୍ବଲପୁର ଜିଲ୍ଲାର କ୍ଷମତା ବି ବଢ଼ିଛି। ଏଥି ସହିତ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ରୂପେ ପରିଚିତ ଏହି ଜିଲ୍ଲା ରାଜ୍ୟର ଅନ୍ୟତମ କ୍ଷମତା କେନ୍ଦ୍ରରେ ପରିଣତ ହେବାକୁ ଯାଉଛି। ଗତ ୨୪ ବର୍ଷର ବିଜେଡି ଶାସନ ସମୟରେ ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି ଓ ବିଜେପିର ମେଣ୍ଟ ସରକାର ରହିଥିଲା। ମେଣ୍ଟ ସରକାର ଅମଳରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାନସଭା କ୍ଷେତ୍ରର ତତ୍କାଳୀନ ବିଧାୟକ ସନାତନ ବିଶିଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ପଦ ମିଳିଥିଲା। ସେହିପରି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରଥମ ପାଳିରେ ଉପମୁଖ୍ୟ ସଚେତକ ଥିବା ବେଳେ ଦ୍ବିତୀୟ ଥର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ହୋଇଥିଲେ। ମେଣ୍ଟ ଭାଙ୍ଗିବା ପରେ ଅନୁଷ୍ଠିତ ୨୦୦୯ ମସିହା ନିର୍ବାଚନ ଜିତି ପ୍ରସନ୍ନ ଆଚାର୍ଯ୍ୟ ପ୍ରଥମ ସ୍ବାସ୍ଥ୍ୟ ଏବଂ ପରେ ଅର୍ଥ ବିଭାଗର ମନ୍ତ୍ରୀ ହେଲେ। ୨୦୧୪ ଓ ୨୦୧୯ ମସିହା ନିର୍ବାଚନରେ ରେଢ଼ାଖୋଲରୁ ନିର୍ବାଚନ ଜିତିଥିବା ରୋହିତ ପୂଜାରୀଙ୍କ ପ୍ରଥମେ ଉପମୁଖ୍ୟ ସଚେତକ ଏବଂ ପରେ ‌ପ୍ରାୟ ଏକ ବର୍ଷ ପାଇଁ ଶିକ୍ଷା ବିଭାଗର ମନ୍ତ୍ରୀ ପଦ ମିଳିଥିଲା। ୨୦୧୪ ମସିହା ନିର୍ବାଚନରେ ଜୟ ନାରାୟଣ ମିଶ୍ରଙ୍କ ଭଳି ବରିଷ୍ଠ ବିଜେପି ନେତାଙ୍କୁ ପରାଜିତ କରି ସମ୍ବଲପୁର ଆସନ ଅକ୍ତିଆର କରିବା‌ରେ ସହାୟକ ହୋଇଥିବା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କୁ କିନ୍ତୁ ମନ୍ତ୍ରୀପଦ ଦେଇନଥିଲେ ବିଜେଡି ସରକାର।

Advertisment

୨୦୨୪ ମସିହା ନିର୍ବାଚନ‌ରେ ବିଜେପି ସରକାର ଗଠନ କରିଛି। ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାରତ ସରକାରଙ୍କ ଶିକ୍ଷାମନ୍ତ୍ରୀ ଦାୟିତ୍ବ ମିଳିଛି। ଅପରପକ୍ଷରେ କୁଚିଣ୍ଡା ବିଧାୟକ ରବି ନାରାୟଣ ନାଏକଙ୍କୁ ଓଡ଼ିଶାର ମୋହନ ଚରଣ ମାଝୀଙ୍କ ମନ୍ତ୍ରିମଣ୍ଡଳରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ଦାୟିତ୍ବ ମିଳିଛି। ବ୍ରଜରାଜନଗର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିବା ସମ୍ବଲପୁର ସହରର ବାସିନ୍ଦା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀପଦ ମିଳିଛି। ସମ୍ବଲପୁର ବିଧାନସଭା କ୍ଷେତ୍ରର ପାଞ୍ଚଥରିଆ ବିଧାୟକ ଜୟ ନାରାୟଣ ମିଶ୍ର ଏପର୍ଯ୍ୟନ୍ତ ମନ୍ତ୍ରୀ ପଦ ଦିଆଯାଇନଥିଲେ ହେଁ ଦଳ ବେଶୀ ଦିନ ତାଙ୍କୁ ଅଣଦେଖା କରିପାରିବ ନାହିଁ ବୋଲି ଜୟ ନାରାୟଣଙ୍କ ସମର୍ଥକ ତଥା ସମ୍ବଲପୁରର ଜନତା ଆଶାବାଦୀ ରହିଛନ୍ତି। ରାଜ୍ୟରେ ବିଜେଡି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ କିନ୍ତୁ ରେଢ଼ାଖୋଲର ବିଜେଡି ଗଡ଼କୁ ସୁରକ୍ଷିତ ରଖିପାରିଛନ୍ତି। ଏଥି ସହିତ ବିଧାନସଭାରେ ବିରୋଧୀ ଦଳର ଉପନେତା ଭାବେ ବିଜେଡି ତାଙ୍କୁ ମନୋନୀତ କରିଛି। ସାମଗ୍ରିକ ଭାବେ ଦେଖାଗଲେ ପୂର୍ବାପେକ୍ଷା ସମ୍ବଲପୁର ଏବେ ରାଜ୍ୟର ଅନ୍ୟତମ କ୍ଷମତା କେନ୍ଦ୍ରରେ ପରିଣତ ହୋଇଛି। ଏହି ସମୟରେ ବିକାଶ କାର୍ଯ୍ୟ କେତେଦୂର ତ୍ବରାନ୍ବିତ ହୋଇପାରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।