ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ୍ର ବାସିନ୍ଦା। କିନ୍ତୁ ଶିକ୍ଷା, ସ୍ବାସ୍ଥ୍ୟ ସହିତ ନ୍ୟାୟିକ ସୁବିଧା ସୁଯୋଗ ପାଇଁ ଭରସା କାଲିମେଳା ବ୍ଲକ୍। ପ୍ରଶାସନିକ ଅବହେଳାରୁ ଗତ ୮ବର୍ଷ ଧରି ଏପରି ଦହଗଞ୍ଜ ହେଉଛନ୍ତି ମାଲକାନଗିରି ଜିଲ୍ଲାର କୋଣ୍ଡାରେଡ୍ଡୀ ସମ୍ପ୍ରଦାୟ। ମୌଳିକ ସୁବିଧା ସୁଯୋଗ ପାଇଁ ନିଜ ପଞ୍ଚାୟତରୁ ୧୦୦ କିମି ଦୂର ଯାତ୍ରା କରିବାକୁ ପଡ଼ୁଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଦୁଇ ପଞ୍ଚାୟତବାସୀ।
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଓ କାଲିମେଳା ବ୍ଲକରେ ବସବାସ କରୁଛନ୍ତି ୨୦ ହଜାରରୁ ଊର୍ଦ୍ଧ୍ବ କୋଣ୍ଡାରେଡ୍ଡୀ ସମ୍ପ୍ରଦାୟ। ବହୁ ଦାବି ପରେ ୨୦୨୪ରେ ଏହି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିଥିଲା।
୮ବର୍ଷ ତଳେ କାଲିମେଳା ବ୍ଲକର ପାପଲୁର ଓ କୁରମାନୁର ଦୁଇ ପଞ୍ଚାୟତ ଚିତ୍ରକୋଣ୍ଡା ବ୍ଲକ୍ରେ ସାମିଲ ହୋଇଥିଲା। ପୂର୍ବରୁ ଏହି ଜନଜାତି ସରକାରୀ ସୁବିଧା ସୁଯୋଗ ପାଇଁ କାଲିମେଳା ବ୍ଲକ ଯିବାକୁ ପ୍ରାୟ ୧୦୦ କିମି ଯାତ୍ରା କରିବାକୁ ପଡୁଥିଲା। ଚିତ୍ରକୋଣ୍ଡା ବ୍ଲକରେ ସାମିଲ ହେଲା ପରେ ମଧ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇନଥିବାରୁ ଥାନା, କୋର୍ଟ କଚେରି ମାମଲାରେ ଏମାନଙ୍କୁ କାଲିମେଳା ହିଁ ଦୌଡ଼ିବାକୁ ପଡ଼ୁଛି। କୋପାତୁଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଉନ୍ନତମାନର ସୁବିଧା ଉପଲବ୍ଧ ନଥିବାରୁ ଗୁରୁତର ସ୍ବାସ୍ଥ୍ୟ ରୋଗୀଙ୍କୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ପଡ଼ୁଛି। ପାପଲୁର ଏବଂ କୁରମାନୁର ପଞ୍ଚାୟତରୁ ଚିତ୍ରକୋଣ୍ଡା ବ୍ଲକର ଦୂରତା ୫୦ କିମି। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣାଧୀନ ଆରଙ୍ଗି ବ୍ରିଜ ଅଧପନ୍ତରିଆ ଅବସ୍ଥାରେ ପଡ଼ିଥିବାରୁ ଲୋକେ ଆନ୍ଧ୍ରର ସିଲେରୁ ଦେଇ ଯାତାୟାତ କରୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଓ ଥାନା ବ୍ୟବସ୍ଥାକୁ ଚିତ୍ରକୋଣ୍ଡା ବ୍ଲକକୁ ସ୍ଥାନାନ୍ତର ପାଇଁ ପଞ୍ଚାୟତବାସୀ ଦାବି କରି ଆସୁଛନ୍ତି। ହେଲେ ପ୍ରଶାସନ କିମ୍ବା ସରକାର ଏ ନେଇ କୌଣସି ପଦକ୍ଷେପ ନେଉନାହାନ୍ତି।
୨୦୧୧ରେ ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ଭିନିଲ୍କ୍ରିଷ୍ଣାକୁ ନକ୍ସଲ ଅପହରଣ କରିଥିଲେ। ଜିଲ୍ଲାପାଳଙ୍କୁ ମୁକ୍ତ ପାଇଁ ନକ୍ସଲ ରଖିଥିବା ୩ଟି ସର୍ତ୍ତ ମଧ୍ୟରେ କୋଣ୍ଡାରେଡ୍ଡୀଙ୍କ ବିକାଶ ସହିତ ଆଦିବାସୀ ମାନ୍ୟତା ଦାବି କରିଥିଲେ। ତତ୍କାଳୀନ ସରକାର ସର୍ତ୍ତକୁ ମାନିଥିଲେ। କିନ୍ତୁ ପ୍ରତିଶ୍ରୁତିକୁ ଇତି ମଧ୍ୟରେ ୧୪ବର୍ଷ ବିତିଥିଲେ ମଧ୍ୟ କାର୍ଯ୍ୟକାରୀ କରିବାରେ ହେଳା କରିଛନ୍ତି ସରକାର। ଆଦିବାସୀ ମାନ୍ୟତା ସତ୍ତ୍ବେ ଜଙ୍ଗଲ ଜମି ପଟ୍ଟା ମିଳିପାରୁନି। ଶିକ୍ଷା ପାଇଁ ଆନ୍ଧ୍ରର ସିଲେରୁ ଓ ମାଙ୍ଗାମପାଡ଼ୁ ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି ପଞ୍ଚାୟତବାସୀ। ଆନ୍ଧ୍ର ଉପରେ ନିର୍ଭର କରୁଥିବାରୁ ଏମାନେ ଓଡ଼ିଆ ବଦଳରେ ତେଲୁଗୁ କହୁଛନ୍ତି। ସମସ୍ୟା ସମ୍ପର୍କରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି, ଦାବି ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ଖୁବ୍ ଶୀଘ୍ର ପ୍ରକ୍ରିୟା ଶେଷ ହେବ। ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା କହିଛନ୍ତି, ଡିଏଲ୍ପିସି ବୈଠକରେ ନିଷ୍ପତ୍ତି ହୋଇପାରୁନଥିବାରୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇପାରୁନି।