ପୁରୀ ହାଜତ ମୃତ୍ୟୁକୁ ସରକାରଙ୍କ ଅସ୍ବୀକାର, ହାଇକୋର୍ଟରେ ଆବେଦନକାରୀଙ୍କ ପ୍ରତିଜବାବ ଦାଖଲ

ମୃତକଙ୍କ ପରିବାରକୁ ଦିଆଯାଇଛି ୫ ଲକ୍ଷ

କଟକ: ପୁରୀ ବାସେଳିସାହି ଥାନା ହାଜତରେ କେ. ରମେଶଙ୍କ ମୃତ୍ୟୁ ‘ହାଜତ ମୃତ୍ୟୁ’ ନୁହେଁ ବୋଲି କହିଛନ୍ତି ରାଜ୍ୟ ସରକାର। ହାଇକୋର୍ଟରେ ଏ ସମ୍ପର୍କିତ ଜନଶୁଣାଣି ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଆଜି ଏପରି ତଥ୍ୟ ଦାଖଲ କରାଯାଇଛି। ସରକାରଙ୍କ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଘଟଣାର ଅଧିକ ତଦନ୍ତ ଚାଲିଛି। ମୃତ ରମେଶଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି। ଏହା ଅନ୍ତରୀଣ ସହାୟତା ରାଶି ହୋଇଥିବା ବେଳେ ଜାତୀୟ ମାନବାଧିକାର କମିସନ (ଏନଏଚଆରସି)ଙ୍କ ନିକଟରେ ଚୂଡ଼ାନ୍ତ କ୍ଷତିପୂରଣ ପ୍ରସଂଗ ବିଚାରାଧୀନ ରହିଛି। ଏହି ମାମଲାରେ ଏନଏଚଆରସିଙ୍କ ନିୟମାବଳୀ ପାଳନ କରାଯାଇଛି। ଅନ୍ୟପକ୍ଷରେ, ପ୍ରତିଜବାବରେ ଆବେଦନକାରୀ ଏହାକୁ ହାଜତ ମୃତ୍ୟୁ ବୋଲି ଦର୍ଶାଇଛନ୍ତି।

ମାମଲା ରୁଜୁ କରିଥିବା ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ହାଇକୋର୍ଟରେ ପ୍ରତିଜବାବ ଦାଖଲ କରାଯାଇଛି। ସେ ଦର୍ଶାଇଛନ୍ତି ଯେ କେ.ରମେଶଙ୍କ ବାସେଳିସାହି ଥାନା ହାଜତରେ ମୃତ୍ୟୁ ହୋଇଥିବା ବେଳେ ପୁରୀ ପୁଲିସ ଏହି ଘଟଣାକୁ ଲୁଚାଇବାକୁ ଉଦ୍ୟମ କରୁଛି। ପୁଲିସ ସହିତ ଧସ୍ତାଧସ୍ତି ବେଳେ ‌ରମେଶ ପଥୁରିଆ ରାସ୍ତା (ଷ୍ଟୋନି ରୋଡ୍) ଉପରେ ପଡିଯାଇ ଅଚେତ ହୋଇଯାଇଥିଲେ ବୋଲି ପୁରୀ ଏସପି ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ତାହା କିନ୍ତୁ ପ୍ରକୃତ ଘଟଣା ନୁହେଁ। ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ଭଡ଼ା ଘରୁ ଗତ ୧୮ ତାରିଖ ଦିନ ୨ଟା ବେଳେ ରମେଶଙ୍କୁ ପୁଲିସ ନେବା ବେଳେ ମାଡ଼ ମାରିଥିଲା। ଏହି ଘଟଣା ସ୍ଥାନୀୟ ଲୋକମାନେ ଦେଖିଥିଲେ। ଏହାପରେ ଥାନାରେ ରମେଶଙ୍କୁ ମାଡ଼ ମରାଯାଇଥିଲା ଓ ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରମେଶଙ୍କ ଶରୀର ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ସ୍ଥାନୀୟ ଅଞ୍ଚଳରୁ ମିଳିଥିବା ସୂଚନା ସହିତ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ସ୍ପଷ୍ଟ ହୋଇଛି ଯେ ଏହି ଘଟଣା ଦିନ ତତ୍କାଳୀନ ପୁରୀ ଏସପି ଅଖିଳେଶ୍ବର ସିଂହ ବାସେଳିସାହି ଥାନାକୁ ୬ଟା ବେଳେ ଯାଇଥିଲେ। ୮ଟା ସମୟରେ ଏସ୍‌ପି ଥାନାରୁ ଫେରିଥିଲେ। ଘଟଣା ସମୟରେ ଏସ୍‌ପି ଓ ବାସେଳିସାହି ଥାନା ଅଧିକାରୀ ଥାନାରେ ଉପସ୍ଥିତ ଥିଲେ। ଏହି ଘଟଣା ପରେ ପ୍ରେସ୍ ମିଟରେ ପୁଲିସ କହିଥିଲା ଯେ ପୁଲିସ ସହିତ ରମେଶଙ୍କ ଧସ୍ତାଧସ୍ତି ‌ହୋଇଥିଲା। ଏଥିରେ ତିନି ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। କିନ୍ତୁ ହାଇକୋର୍ଟରେ ପୁରୀ ଏସ୍‌ପି ଦାଖଲ କରିଥିବା ସତ୍ୟପାଠରେ ପୁଲିସ କର୍ମଚାରୀଙ୍କ ଆଘାତ ପ୍ରସଂଗରେ କିଛି ବି କୁହାଯାଇନାହିଁ। ଏହା ଏକ ହାଜତ ମୃତ୍ୟୁ ଘଟଣା ବୋଲି ସ୍ପଷ୍ଟ ହୋଇଥିବା ବେଳେ ପୁଲିସ ବିରୋଧରେ ଗୁରୁତର ଅଭିଯୋଗ ରହିଛି। ତେଣୁ ପୁଲିସ ଛଡ଼ା ଅନ୍ୟ ସ୍ବାଧୀନ ଏଜେନ୍ସି ଦ୍ବାରା ଘଟଣାର ତଦନ୍ତ କରାଯିବା ଆବଶ୍ୟକ ବୋଲି ଆବେଦନକାରୀ ଶ୍ରୀ ରାୟଗୁରୁ ଦର୍ଶାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନର ଶୁଣାଣି କରି ଏହା ଉପରେ ପକ୍ଷ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୪କୁ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ ଯେ ଏହି ଘଟଣାର ତଦନ୍ତ ଅଦାଲତ ନିଜେ ତଦାରଖ କରନ୍ତୁ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଏଭଳି ଘଟଣାରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ପୀଡ଼ିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, ପୁରୀ ଜିଲ୍ଲାପାଳ, ଏସପି ଓ ବାସେଳିସାହି ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଆଇନଜୀବୀ ଦୀପକ ମହାପାତ୍ର, କବିରାଜ ପ୍ରଧାନ ଓ ପଦ୍ମାଳୟା ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ପୁଲିସ ଡିଜିଙ୍କ ବୈଠକ, ହାଜତମୃତ୍ୟୁ ଅଭିଯୋଗକୁ ନେଇ ତାଗିଦ୍‌

କଟକ: ପୁଲିସ ଡିଜିଙ୍କ ଅଭୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ପୁଲିସ ମୁଖ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଛି। ରାଜ୍ୟରେ ହାଜତ ମୃତ୍ୟୁ ଓ ଅଭିଯୁକ୍ତଙ୍କ ପ୍ରତି ପୁଲିସର ମାତ୍ରାଧିକ କାର୍ଯ୍ୟାଳାପ ଯୋଗୁଁ ପୁଲିସ ବିଭାଗ ବଦନାମ ହେଉଥିବାରୁ ଏହି ପ୍ରସ˚ଗକୁ ବୈଠକରେ ଗୁରୁତ୍ବ ଦିଆଯାଇଛି। ଅଭିଯୁକ୍ତଙ୍କ ଗିରଫ ଓ ହାଜତ ରହଣି ସମୟରେ ନିୟମ ବର୍ହିଭୂତ କାର୍ଯ୍ୟ କିମ୍ବା ଅନିୟମିତତାକୁ ଯେଭଳି ପ୍ରତିରୋଧ କରାଯାଇପାରିବ, ସେ ନେଇ ଡିଜି ଆଜି ଜିଲ୍ଲା ଏସ୍‌ପିମାନଙ୍କୁ ତାଗିଦ୍‌ କରିଥିଲେ।

ପୁଲିସ ମୁଖ୍ୟାଳୟରେ ଆଜି ଅପରାହ୍ନରେ ସମସ୍ତ ଜିଲ୍ଲା ଏସପି, କଟକ ଓ ରାଉରକେଲା ରେଳବାଇ ଏସପି, ସମସ୍ତ ରେଞ୍ଜ ଆଇଜି ଓ ଡିଆଇଜିଙ୍କ ସହିତ ପୁଲିସ ଡିଜି ଭିଡିଓ କନଫରେନସି˚ ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ପ୍ରସ˚ଗର ସମୀକ୍ଷା କରିଥିଲେ। ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ଏହି ବୈଠକ ବସିଥିଲା। ଏଥିରେ ‘ମୋ ସରକାର’ ଟେଲିଫୋନ୍‌ ଫିଡ୍‌ ବ୍ୟାକ୍‌ ବ୍ୟବସ୍ଥାର ପୁନଃ ଆରମ୍ଭ କରାଯିବା ସମ୍ପର୍କରେ ପୁଲିସ ଡିଜି କହିଥିଲେ। ତଦନ୍ତର ମାନ ବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ଏସପିଙ୍କୁ କୁହାଯାଇଛି। ସିସିଟିଏନଏସ୍‌ ମାଧ୍ୟମରେ ଅପରାଧର ସମୀକ୍ଷା ପାଇଁ ସ୍ପେଶାଲ ରିପୋର୍ଟ ମଡ୍ୟୁଲ ପ୍ରବର୍ତ୍ତନର ଅଗ୍ରଗତି କିଭଳି କରାଯିବ, ସେ ନେଇ ବୈଠକରେ ଡିଜି ଗୁରୁତ୍ବ ଦେଇଥିଲେ। ପୁଲିସ ଷ୍ଟେସନରେ ସିସି ଟିଭିର କାର୍ଯ୍ୟକାରିତା ସମେତ ଡିଜିପି ଡିସ୍କ ପ୍ରଦାନ ପ୍ର˚ସଗ ଠିକ୍‌ ଢ˚ଗରେ କରିବାକୁ ଆଲୋଚନା ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର