ସୁପ୍ରିମକୋର୍ଟଙ୍କ ଭରସା ରଖିଲେ ସରକାର: ନୀତି, ରଥଟଣା, ପ୍ରସ୍ତୁତି ସବୁଥିରେ ରେକର୍ଡ

କୋଭିଡ୍ କଟକଣା ମାନିଲେ, ଭକ୍ତଙ୍କ ମନ ଜିଣିଲେ, ଟିଭିରେ ମହାପ୍ରଭୁଙ୍କୁ ଦର୍ଶନ କଲେ ନବୀନ

ଭୁବନେଶ୍ବର: ବଡ଼ଦାଣ୍ଡକୁ ଆସିବା ପାଇଁ ମହାପ୍ରଭୁ ଏତେ ତର ତର ଥିଲେ ଯେ ଭୋର ସାଢ଼େ ପାଞ୍ଚଟା ବେଳକୁ ବେଶ ହୋଇ ପ୍ରସ୍ତୁତ ହୋଇଯାଇଥିଲେ। ସାଢେ ଛଅଟା ବେଳକୁ ରଥ ପ୍ରତିଷ୍ଠା ସରିଯାଇଥିଲା। ଘଣ୍ଟାଏ ବିତିନି, ଚକ୍ରରାଜ ସୁଦର୍ଶନ ବଡ଼ଦାଣ୍ଡରେ ହାଜର। ସକାଳ ସାଢ଼େ ନଅଟା ବେଳକୁ ମହାପ୍ରଭୁ ପୂର୍ବବର୍ଷ ମାନଙ୍କରେ ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ଆସିନଥାନ୍ତି। ଏବର୍ଷ କିନ୍ତୁ ୯ଟା ୧୦ ବେଳକୁ ସରିଗଲାଣି ପହଣ୍ଡି। ଠିକ୍ ସେମିତି ଘଣ୍ଟାଏ ଲେଖାଏ ବ୍ୟବଧାନରେ ତିନି ରଥ ଟାଣିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ସର୍ତ ରଖିଥିଲେ ହେଁ, ସନ୍ଧ୍ୟା ୫ଟା ୧୫ ବେଳକୁ ତାଳଧ୍ବଜ, ଦର୍ପଦଳ​ନ ଓ ନନ୍ଦିେଘାଷ ରଥ ଶରଧାବାଲିରେ ପହଞ୍ଚିଯାଇଥିଲେ। ବିନା ଭକ୍ତରେ ଓ କଟକଣା ଭିତରେ ରଥଯାତ୍ରା କରିବା ଲାଗି ସୁପ୍ରିମକୋର୍ଟ ଯେଉଁ ନିର୍ଦେଶ ଦେଇଥିଲେ, ତାହା ଏମିତି ଅନୁପାଳନ ହୋଇଛି ଯେ ସମଗ୍ର ବିଶ୍ବର ଆଖି ଆଜି ପୁରୀରେ ଲାଖି ରହିଥିଲା। ରଥଯାତ୍ରା ଇତିହାସରେ ଆଜି ଅନେକ ନୂଆ ରେକର୍ଡ ଯୋଡ଼ିହୋଇଯାଇଛି। ବିନା ଭକ୍ତରେ ରଥଯାତ୍ରା ଠାରୁ ଆରମ୍ଭ କରି ନୀତିକାନ୍ତି ଯାଏ। ସେପଟେ ମହାପ୍ରଭୁଙ୍କ ନୀତିକାନ୍ତି ଯେମିତି, ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏ ରଥଟଣା, ପୁରୀେର ସୁରକ୍ଷା ବ୍ୟବସ୍ଥା ବି ସେମିତି ସମ୍ପୂର୍ଣ୍ଣ ଶୃଙ୍ଖଳାରେ ସମାହିତ େହାଇଥିଲା। ଭକ୍ତ ସଂଭ୍ରମ ଓ ସଂଯମର ଏକ ବଡ଼ ଉଦାହରଣ ବିଶ୍ବ ସାମ୍ନାରେ ରଖିଥିଲେ। ଖାସ୍ ଏଥିପାଇଁ ଆଜି ସବୁ ମହଲରେ ରଥଯାତ୍ରାକୁ ଭୁରି ଭୁରି ପ୍ରଶଂସା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁଙ୍କ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ, ପୁରୀ ପ୍ରଶାସନକୁ ପ୍ରଶଂସା ଅଜାଡ଼ି ଦେଇଛନ୍ତି। ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଓ ପୁରୀର ଜନସାଧାରଣକୁ ମଧ୍ୟ।

ଉଲ୍ଲେଖଯୋଗ୍ୟ ଯେ କଟକଣାଯୁକ୍ତ ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଓ ଆଜିର ରଥଟଣା ମଧ୍ୟରେ ୨୪ ଘଣ୍ଟାର ବ୍ୟବଧାନ ନଥିଲା। ନା ଏଥର ରଥ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ହୋଇଥିଲା ନା ପୁରୀ ଜିଲ୍ଲା ପ୍ରଶାସନ ଆଗତୁରା କିଛି ପଦକ୍ଷେପ ନେଇଥିଲେ। ଏପରିକି ବଡ଼ଦାଣ୍ଡକୁ ପୌରସଂସ୍ଥା ଦୋକାନ ବି ଉଠାଇନଥିଲେ, ଯଦିଓ ନିର୍ଦେଶନାମା କାଗଜପତ୍ରରେ ହୋଇଥିଲା। ପ୍ରସ୍ତୁତି କହିଲେ, ୧୨ ଦିନ ବିଳମ୍ବରେ ରଥନିର୍ମାଣ ହୋଇଥିଲେ ହେଁ ନିର୍ଧାରିତ ସମୟ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟ ସାରିଥିଲେ। ସେବାୟତମାନେ ମହାପ୍ରଭୁଙ୍କ ନୀତିକାନ୍ତି ସଂକ୍ରାନ୍ତ ଅନ୍ୟ ପ୍ରସ୍ତୁତି ବି େଶଷ କରିଥିଲେ। ବାସ୍ ସେତିକି।

ଏଭଳି ପରିସ୍ଥିତିରେ ୧୫ ଘଣ୍ଟା ଭିତରେ ରଥଯାତ୍ରା ପାଇଁ କୋର୍ଟ ସବୁଜ ସଙ୍କେତ ଦେବା ପରେ ପୂରା ପ୍ରଶାସନ ଅଣ୍ଟା ଭିଡ଼ିଥିଲା। ପୁରୀ ଜିଲ୍ଲାପାଳ ବଲଵନ୍ତ ସିଂହ, ଏସପି ଉମାଚରଣ ଦାଶ, ଡିଆଇଜି ଆଶିଷ ସିଂ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର ଗତକାଲି ପ୍ରଥମ ପ୍ରସ୍ତୁତି ବୈଠକ କରିଥିଲେ। କିଛି ମିନିଟ୍ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ଡିଜି ଅଭୟ ଯାଇ ଦ୍ବିତୀୟ ବୈଠକରେ ଯୋଗଦେଇଥିଲେ। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିଲା ତୃତୀୟ ବୈଠକ। ଆଉ ଅପରାହ୍ନ ୫ଟା ବେଳେ ନିଜେ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତି ବୈଠକ ନେଇଥିଲେ। ମାତ୍ର ତିନି ଘଣ୍ଟା ମଧ୍ୟରେ ରଣନୀତି ଚୂଡ଼ାନ୍ତ ହୋଇଥିଲା। ମନ୍ତ୍ରୀ ଶ୍ରୀ ଜେନାଙ୍କ ସମେତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ପୁରୀରେ କ୍ୟାମ୍ପ କରିବାକୁ ନିର୍ଦେଶ ଦିଆଯାଇଥିଲା। ସେମାନେ ବି ପ୍ରସ୍ତୁତିରେ ଲାଗିଯାଇଥି‌ଲେ। କୋଭିଡ୍ ଓ ଭକ୍ତଙ୍କ ଭାବାବେଗ ମଧ୍ୟରେ ହୋଇଥିବା ଲଢ଼େଇ ଭିତରେ ରଥଯାତ୍ରା ପାଇଁ ଅନୁମତି ଥିଲା। ଏଣୁ ରାଜ୍ୟ ସାମ୍ନାରେ ଦୁଇଟି ବଡ଼ ଚ୍ୟାଲେଞ୍ଜ ଥିଲା। ଭକ୍ତଙ୍କ ଭାବାବେଗ ଓ ମହାମାରୀ ପାଇଁ କଟକଣା। ମୁଖ୍ୟମନ୍ତ୍ରୀ ସିଧା ସିଧା ଏହାକୁ ରାଜ୍ୟ ସାମ୍ନାକୁ ଆଣିଥିଲେ। ଗତକାଲି ସନ୍ଧ୍ୟାରେ ସ୍ପଷ୍ଟ ଭାବେ କହିଥିଲେ ଯେ ପ୍ରଥମତଃ କୋଭିଡ଼୍‌ ପରିସ୍ଥିତିରେ ରଥଯାତ୍ରାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅତି ସାବଧାନତାର ସହ ରଥଯାତ୍ରା ଦାୟିତ୍ବ ତୁଲାଇବାକୁ ହେବ। ପରମ୍ପରା ସହିତ ଜନସ୍ବାସ୍ଥ୍ୟ ପ୍ରତି ଉଚିତ୍ ଧ୍ୟାନ ଦିଆଯିବା ଦରକାର। ଦ୍ବିତୀୟତଃ, ସାରା ବିଶ୍ବର ନଜର ଏବେ ଓଡ଼ିଶା ଉପରେ ରହିବ। ଏଣୁ ଶୃଙ୍ଖଳା ସହିତ ସାମାଜିକ ଦୂରତା ଓ ନିୟମାବଳୀକୁ ପାଳନ କରି କେମିତି ଠାକୁରଙ୍କ ନୀତିକାନ୍ତି କରାଯାଏ, ତାର ନିଦର୍ଶନ ସାରା ବିଶ୍ବକୁ ଦେଖାଇବାକୁ ହେବ।

ସରକାରଙ୍କ ନିର୍ଦେଶ ଆଜି ଅକ୍ଷରେ ଅକ୍ଷରେ ପାଳନ ହୋଇଛି। ଆଜି ଉଭୟ ଦିଗକୁ ମହାପ୍ରଭୁଙ୍କ ସେବାୟତ, ରାଜ୍ୟର ଲକ୍ଷ ଲକ୍ଷ ଶୃଙ୍ଖଳିତ ଭକ୍ତ, ପ୍ରଶାସନ ନିର୍ବାହ କରି ଦେଖାଇଛନ୍ତି। ଆଜି ପହଣ୍ଡି ସମୟରେ ଦଇତାପତି ସେବାୟତମାନେ ସାମାଜିକ ଦୂରତା ରଖିବା ସମ୍ଭବ ନଥିଲେ ହେଁ ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିଲେ ଏବଂ ପାଖରେ ସାନିଟାଇଜର ରଖିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଘଣ୍ଟୁଆମାନେ ସାମାଜିକ ଦୂରତା ରକ୍ଷା କରି ନୀତି ସଂପାଦନ କରିଥିଲେ। ରଥ ଉପରେ ଅଳ୍ପ କେଇଜଣ ଥିବାରୁ ବେଶ୍ ସୁନ୍ଦର ଭାବେ ଟିଭି ପରଦାରେ ଦିଶୁଥିଲେ ଚତୁର୍ଧାମୂର୍ତି। ଖାଲି ପାଦରେ, ଅତ୍ୟନ୍ତ ଧର୍ମୀୟ ଭାବନା ଓ ନିଷ୍ଠାରେ ଗୋଟିଏ ରାହାରେ ସେବାୟତମାନେ ରଥକୁ ଟାଣିନେଇଥିଲେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏ। ଆଉ ନଟଖଟିଆ ଠାକୁରଙ୍କ ମନରେ ଭକ୍ତଙ୍କ ଅନୁପସ୍ଥିତିରେ ସରସ ନଥିଲା କି କ’ଣ; ଅଝଟ େହାଇନଥିଲେ। ସରକାର ପୁରୀକୁ ସୋମବାର ରାତି ୯ଟାରୁ ୨୪ ତାରିଖ ଦିନ ୨ଟା ଯାଏଁ ସଟଡାଉନ ଘୋଷଣା କରିଥିଲେ। ସ୍ଥିତିରେ ବ୍ୟାପକ ଉନ୍ନତି ଲକ୍ଷ୍ୟ କରି ଆଜି ରାତି ୭ଟା ପରଠାରୁ କେବଳ ଡାକ୍ତରଖାନା ଛକ ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଓ ରଥସଂଲଗ୍ନ ଅଞ୍ଚଳ ଛାଡ଼ି ଅନ୍ୟ ସବୁସ୍ଥାନରେ କୋହଳ କରିଦିଆଯାଇଛି।

ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଯାଇନଥିଲେ। ବରଂ ଲୋକସେବା ଭବନ ଆସି ରଥ ଗଡ଼ିବା ପୂର୍ବରୁ ଉତ୍କଳ ପ୍ରସଙ୍ଗ ଉନ୍ମୋଚନ କରିଥିଲେ। ନବୀନ ନିବାସ ଓ ଲୋକସେବା ଭବନରେ ଟିଭି ସ୍କ୍ରିନରେ ଦେଖିଥିଲେ ମହାପ୍ରଭୁଙ୍କ ରଥଯାତ୍ରା। ସେଇଠୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ଜଣାଇଥିଲେ ମହାପ୍ରଭୁଙ୍କୁ। ସେହିପରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଛତିଶା ନିଯୋଗ ଠାରୁ ଆରମ୍ଭ କରି ପୁରୀ ଜନସାଧାରଣ, ପ୍ରଶାସନକୁ ଶୃଙ୍ଖଳିତ ରଥଯାତ୍ରା ପାଇଁ ସାଧୁବାଦ ଜଣାଇଥିଲେ। େସବାୟତମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ବୋଲି ଗଜପତି ପ୍ରତିକ୍ରିୟା ଦେଇଥିଲେ। ମୁଖ୍ୟଶାସନ ସଚିବ ଟ୍ବିଟ୍ କରି କହିଥିଲେ, ୨୦୦୦ ସେବାୟତଙ୍କର କୋଭିଡ୍ ପରୀକ୍ଷା ହୋଇଥିଲା। ଯେଉଁମାନଙ୍କର ନେଗେଟିଭ୍ ବାହାରିଲା, ସେମାନଙ୍କୁ ନେଇ ରଥଯାତ୍ରା କାର୍ଯ୍ୟ ଆଜି ଶେଷ କରାଯାଇଛି। ସେମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଭରସା ରଖିଥିଲେ, ଯାହାକୁ ଆଜି ପ୍ରଶାସନ ପ୍ରମାଣ କରି ଦେଖାଇଛି।

ସମ୍ବନ୍ଧିତ ଖବର