ପିପିଲି : ବାତ୍ୟା ‘ଫନି’କୁ ସାଢ଼େ ୩ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ସ୍ଥାନୀୟ ଅଞ୍ଚଳର କତା ଶିଳ୍ପ କଥା ଭୁଲିଗଲେ। ଫଳରେ କତା ଶିଳ୍ପ ଉପରେ ନିର୍ଭର କରୁଥିବା ପ୍ରାୟ ୧୦ ହଜାରରୁ ଅଧିକ ପରିବାର ଏବେ ହାତ ବାନ୍ଧି ବସିଛନ୍ତି। ଫନି କତାଶିଳ୍ପ ସଂସ୍ଥାଗୁଡ଼ିକୁ ମାଟିରେ ମିଶାଇ ଦେଇଥିଲା। ବାତ୍ୟା ବିପର୍ଯ୍ୟସ୍ତ କତାଶିଳ୍ପ ଗୁଡ଼ିକର ଦୁର୍ଦ୍ଦଶା ବିଷୟରେ ଶୁଣି ତତ୍କାଳୀନ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ୨୦୧୯ ଅଗଷ୍ଟ ୧୦ରେ ପିପିଲି ଆସିଥିଲେ। ସାତଶଙ୍ଖ ନିକଟରେ ଶିରିଆପୁର ଗ୍ରାମରେ ଭାଙ୍ଗିରୁଜି ଯାଇଥିବା କତାଶିଳ୍ପ ବୁଲି ଦେଖିବା ସହ ଜିଲ୍ଲାର ଏଭଳି କୁଟୀରଶିଳ୍ପର ପୁନରୁଦ୍ଧାର ପାଇଁ ଆର୍ଥିକ ପ୍ରୋତ୍ସାହନ ଓ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେଦିନ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ସହ ଆସିଥିବା ବିଭାଗୀୟ ଅଧିକାରୀମାନେ କ୍ଷୟକ୍ଷତି ବାବଦରେ ଆଲୋଚନା କରିଥିଲେ। ତେବେ ଫନିକୁ ଦୀର୍ଘ ସାଢେ ୩ବର୍ଷ ବିତିଯାଇଥିଲେ ମଧ୍ୟ ଏମାନଙ୍କୁ ଅଦ୍ୟାବଧି କୌଣସି ସରକାରୀ ସହାୟତା ମିଳିନି।
ପିପିଲି ଅଂଚଳରୁ ଉତ୍ପାଦିତ କତା ରଶି, ପାପୋଛ ଓ ଅନ୍ୟାନ୍ୟ ସାମଗ୍ରୀ ରାଜ୍ୟର ୩୦ଟି ଜିଲ୍ଲା ସମେତ ଦିଲ୍ଲୀ, କୋଲକାତା, ବନାରସ ଆଦି ରାଜ୍ୟ ବାହାରକୁ ବିକ୍ରୀ ପାଇଁ ଯାଇଥାଏ। କତା ଶିଳ୍ପ ବନ୍ଦ ହୋଇଯିବା ଫଳରେ ଏହି ଶିଳ୍ପ ଉପରେ ନିର୍ଭର କରୁଥିବା ପ୍ରାୟ ୧୦ ହଜାରରୁ ଅଧିକ ଶ୍ରମିକ ପରିବାର ନାହିଁ ନ ଥିବା ଆର୍ଥିକ ସ୍ଥିତି ଦେଇ ଗତି କରୁଛନ୍ତି। ବାତ୍ୟା ଫନି ପରେ ଜିଲ୍ଲାରେ ନଡ଼ିଆଗଛଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ନଡ଼ିଆରୁ ସଂଗୃହୀତ ଆବଶ୍ୟକ କତା ପ୍ରଚୁର ପରିମାଣର ମିଳିପାରୁ ନାହିଁ। ଫଳରେ ସ୍ଥାନୀୟ ବ୍ୟବସାୟୀମାନେ ତାମିଲନାଡ଼ୁ ଓ କେରଳ ଆଦି ରାଜ୍ୟରୁ ନଡ଼ିଆକତା ମଗାଇବାକୁ ବାଧ୍ୟ ହେଉଛନ୍ତି।
୧୯୯୯ ବାତ୍ୟାରେ କ୍ଷତିଗ୍ରସ୍ତ କତା ଶିଳ୍ପର ପୁନରୁଦ୍ଧାର ପାଇଁ ସରକାରୀ ସହାୟତା ମିଳିଥଲା। କିନ୍ତୁ ଗତ ଫନି ବାତ୍ୟାରେ ଏହି ଶିଳ୍ପ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଟଙ୍କାଟିଏ ସରକାରୀ ସହାୟତା ମିଳିନାହିଁ ବୋଲି କତା ଶିଳ୍ପ ସଂସ୍ଥାଗୁଡ଼ିକର ମାଲିକମାନେ ଅଭିଯୋଗ କରିଛନ୍ତି। ଏନେଇ ୧ହଜାରରୁ ଅଧିକ ସ୍ଥାନୀୟ କତାଶିଳ୍ପର ମାଲିକମାନେ ରାଜ୍ୟ କତା ବୋର୍ଡ, ପୁରୀ ଜିଲ୍ଲାପାଳ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଏମ୍ଏସ୍ଏମ୍ଇ ଆଦି ଅଧିକାରୀଙ୍କୁ ବାରମ୍ବାର ଲିଖିତ ଅନୁରୋଧ କରିଥିଲେ ମଧ୍ୟ ଅଦ୍ୟାବଧି କେହି କର୍ଣ୍ଣପାତ କରିନାହାନ୍ତି। ଏହି ଶିଳ୍ପକୁ ବଞ୍ଚାଇ ରଖିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପିପିଲି ବାସୀ ଦାବି କରିଛନ୍ତି।