ପାରଳାଖେମୁଣ୍ଡି : ମହେନ୍ଦ୍ରତନୟା ତଳମୁଣ୍ଡରେ ଆନ୍ଧ୍ରର 'ଅଫ୍ସର' ଡ୍ୟାମ୍ ପ୍ରକଳ୍ପ ସମ୍ପର୍କିତ ବିବାଦ ଗତ କିଛିଦିନ ହେଲା ସ୍ଥାଣୁ ହୋଇ ଯାଇଥିଲା। ଗତକାଲି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ୍.ଏସ୍. ଜଗନମୋହନ ରେଡ୍ଡୀ ପୁଣି ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି କହିବା ପରେ ପାରଳାଖେମୁଣ୍ଡିବାସୀଙ୍କ ଚିନ୍ତା ବଢ଼ିଯାଇଛି। ପାରଳା ପୌରପାଳିକାର ଜନସଂଖ୍ୟା ପ୍ରାୟ ୭୦ ହଜାର। ଦୁଇଟି ବଡ଼ ପମ୍ପ ହାଉସ୍ ଏବଂ ଦୁଇଟି ଜଳ ସଂଗ୍ରହ କେନ୍ଦ୍ର ମାଧ୍ୟମରେ ମହେନ୍ଦ୍ରତନୟାରୁ ସେମାନଙ୍କୁ ପାନୀୟ ଜଳ ଯୋଗାଣ ହେଉଛି। ୧୫ ବର୍ଷ ପୂର୍ବେ ପାରଳାବାସୀଙ୍କୁ ଦିନକୁ ୨ ଓଳି ଘଣ୍ଟାଏ ଲେଖାଏଁ ପାନୀୟ ଜଳ ଯୋଗାଣ ହେଉଥିଲା ବେଳେ ପରବର୍ତ୍ତୀ ସମୟରେ ଜନସଂଖ୍ୟା, ଗୃହ ସଂଖ୍ୟା ଓ ବ୍ୟାବସାୟିକ ଅନୁଷ୍ଠାନ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଏବେ ପ୍ରତିଦିନ ସକାଳେ ୪୦ ରୁ ୪୫ ମିନିଟ ପାଣି ଯୋଗାଣ ହେଉଛି। ସେହିପରି ଖରାଦିନେ ଜନସାଧାରଣଙ୍କୁ ନିୟମିତ ଜଳ ଯୋଗାଣ ସମୟ ଆହୁରି ୧୦ ମିନିଟ କମାଇ ଦିଆଯାଇଛି। ଏପରି ସ୍ଥିତିରେ ମହେନ୍ଦ୍ରତନୟା ନଦୀର ଜଳ ରେଗୁଲପାଡ଼ୁରେ ପାହାଡ଼କୁ କାଟି ଆନ୍ଧ୍ର ପ୍ରଦେଶ ସରକାର ଶୋଷି ନେବା ପାଇଁ କରିଥିବା ଯୋଜନାକୁ ଓଡ଼ିଶା ସରକାର ବିରୋଧ କରି ଆସୁଛନ୍ତି।
୨୦୦୮ରେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ୱାଇ.ଏସ. ରାଜଶେଖର ରେଡ୍ଡୀଙ୍କ ଦ୍ବାରା ରେଗୁଲପାଡ଼ୁରେ ମହେନ୍ଦ୍ରତନୟା ପ୍ରକଳ୍ପ ଘୋଷଣାକୁ ଗଜପତିବାସୀ ବିରୋଧ କରିଥିଲେ। ପରେ ଓଡ଼ିଶା ସରକାର ଏହାର ଜବାବ୍ରେ ମହେନ୍ଦ୍ରତନୟା ଉପରମୁଣ୍ଡରେ ଡମ୍ବାପୁର ଓ ଚମ୍ପାପୁର ଠାରେ ଡ୍ୟାମ୍ ନିର୍ମାଣ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ୧୪ ବର୍ଷ ବିତିଥିଲେ ମଧ୍ୟ ଚମ୍ପାପୁର ଏବଂ ଡମ୍ବାପୁର ଡ୍ୟାମ୍ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଏହାର ମୁଖ୍ୟ କାରଣ ହେଉଛି ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପ ପାଇଁ ଆଉ ଆଗ୍ରହ ନାହିଁ। ଅନ୍ୟପଟେ ଚମ୍ପାପୁର ଏବଂ ଡମ୍ବାପୁର ଡ୍ୟାମ୍ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେଲେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ତଳମୁଣ୍ଡରେ ରେଗୁଲପାଡୁ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କରେ ଦୁଇଥର ଚିନ୍ତା କରିବାକୁ ପଡ଼ିବ। ଉପରମୁଣ୍ଡରେ ଓଡ଼ିଶାର ପ୍ରକଳ୍ପ ସଂମ୍ପୂର୍ଣ ହୋଇ କାର୍ଯ୍ୟକ୍ଷମ ହେଲେ ଗଜପତି ଜିଲ୍ଲାର ରାୟଗଡ଼ ଏବଂ ଗୋଷାଣୀ ବ୍ଲକ୍ ଚାଷୀ ୧୨ ମାସ ଜଳ ପାଇବେ। ଏତେ ସବୁ ସମ୍ଭାବନା ଥିଲେ ମଧ୍ୟ ରାଜ୍ୟ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ତାହା ଏବେ ବଡ଼ ପ୍ରଶ୍ନବାଚୀ ହୋଇଛି।
ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ରକଳ୍ପ ହେଲେ ରେଗୁଲାପାଡୁରେ ଆନ୍ଧ୍ରର 'ଅଫ୍ସର' ପ୍ରକଳ୍ପ ବିଫଳ ହୋଇଯିବ ଏବଂ ଆନ୍ଧ୍ର ସରକାରଙ୍କ ଏକତରଫା ଓଡ଼ିଶା ଜଳ ଶୋଷି ନେବାର ଯୋଜନା ମଧ୍ୟ ଫସର ଫାଟିବ। ହେଲେ ଚମ୍ପାପୁର ଓ ଡମ୍ବାପୁର ପ୍ରକଳ୍ପର ୭୦ ରୁ ୮୦ ପ୍ରତିଶତ କାମ ସରିଥିଲେ ହେଁ, ବାକି କାମ ଶେଷ କରିବା ପାଇଁ ରାଜ୍ୟ ସରକାର ଯେମିତି ଭୁଲି ଯାଇଛନ୍ତି। ଚମ୍ପାପୁର ଠାରୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ପାଇପ୍ ବିଛାଇବା କାର୍ଯ୍ୟ ଶେଷ ହୋଇ ନାହିଁ। ଆନ୍ଧ୍ର କୌଣସି ଚାଲ୍ ଖେଳିବା ପୂର୍ବରୁ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଶେଷ କରି ଆନ୍ଧ୍ରର ବାଟ ବନ୍ଦ କରିବା ପାଇଁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/charampa-dam.jpg)